ନୂଆଦିଲ୍ଲୀ: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନର ତାରିଖ | ଆଉ ଏହାରି ଭିତରେ ନେତାମାନଙ୍କ ମଧ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି | ଶୁକ୍ରବାର ଶିବସେନା (ୟୁବିଟି) ଦଳର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶିବସେନା ଛାଡି ବିଜେପି ସହ ସରକାର ଗଠନ କରିଥିବା ନେତାଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଗତ ନିର୍ବାଚନ ତୁଳନାରେ ଏହି ନେତାଙ୍କ ସମ୍ପତ୍ତି ୫୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି ପାଇଛି।

Advertisment

ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ଗୀତା ଜୈନ, ଦୀପକ କେସରକର କିମ୍ବା ତାନଜୀ ସାୱନ୍ତ ହୁଅନ୍ତୁ କିମ୍ବା ଅନ୍ୟ ୪୦ ଜଣ ବିଶ୍ୱାସଘାତକ ହୁଅନ୍ତୁ, ସେମାନଙ୍କର ନିର୍ବାଚନ ସ୍ୱୀକାରପତ୍ର ପ୍ରମାଣ କରୁଛି ଯେ ୨୦୧୯ ରେ ସେମାନେ ଘୋଷଣା କରିଥିବା ସମ୍ପତ୍ତି ପ୍ରାୟ ୫୦ ରୁ ନେଇ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। 
ପ୍ରିୟଙ୍କା ଚତୁର୍ବେଦୀ ଆହୁରି କହିଛନ୍ତି, "ଯେଉଁମାନେ ବିଶ୍ୱାସଘାତକତା ପରେ ପ୍ରଥମେ ଗୁଆହାଟୀକୁ ପଳାୟନ କରିଥିଲେ ଏବଂ ପରେ ଗୋଆର ଟେବୁଲ ଉପରେ ନାଚିଲେ, ଆଜି ସେମାନଙ୍କର ସମ୍ପତ୍ତି ବୃଦ୍ଧି ପାଉଛି | ସେମାନେ ନିଜର ବିକାଶ ପାଇଁ ମହାରାଷ୍ଟ୍ର ସହ ପ୍ରତାରଣା କରିଥିଲେ |

ପ୍ରିୟଙ୍କା ଚତୁର୍ବେଦୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ତଥ୍ୟ ପୋଷ୍ଟ କରିଛନ୍ତି | ଏଥିରେ ସେ ୪୦ ଜଣ ନେତାଙ୍କ ସମ୍ପତ୍ତି ତାଲିକାକୁ ତୁଳନା କରିଛନ୍ତି | ସେ ୨୦୧୯ ଓ ୨୦୨୪ ମସିହାର ସମ୍ପତ୍ତି ତାଲିକାକୁ ପୋଷ୍ଟ କରିଛନ୍ତି | ତାଙ୍କର ପୋଷ୍ଟ ମୁତାବକ ୨୦୧୯ରେ ରାହୁଲ ନର୍ଭକରଙ୍କ ସମ୍ପତ୍ତି ୩୮.୦୯ କୋଟି ଥିଲା, ଯାହା ବର୍ତ୍ତମାନ ୧୨୯.୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ସେ ଅନ୍ୟ ବିଧାୟକଙ୍କ ସମ୍ପତ୍ତି ଆକଳନ ଉପସ୍ଥାପନ କରିଥିଲେ।