ଭାଇଙ୍କ ରାସ୍ତାରେ ଭଉଣୀ, ମାରାଥନ ଦେବଦର୍ଶନ କରୁଛନ୍ତି ପ୍ରିୟଙ୍କା ଗାନ୍ଧୀ

ଉଜ୍ଜୟିନୀ: କଂଗ୍ରେସ ଅଧ୍ୟକ୍ଷ ଭାଇ ରାହୁଲଙ୍କ ଫଣ୍ଡାକୁ ଆପଣେଇଛନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ | ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରିୟଙ୍କା ଏବେ ଭୋଟରଙ୍କ ମନ ଜିତିବାକୁ ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି | ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ଵର ମନ୍ଦିର ଯାଇଥିଲେ | ସେଠାରେ ସମ୍ପୂର୍ଣ୍ଣ ନୀତି ମୁତାବକ ପଞ୍ଚାମୃତରେ ଅଭିଷେକ କରାଇଛନ୍ତି | ପାଖାପାଖି ଅଧଘଣ୍ଟା ଧରି ପ୍ରିୟଙ୍କା ପୂଜାର୍ଚ୍ଚନା କରିଥିବାବେଳେ ତାଙ୍କ ସହ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ଉପସ୍ଥିତ ଥିଲେ |

ତେବେ ଏହାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାହୁଲ ଗାନ୍ଧୀ ଓ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି | ଶିବରାଜ କହିଛନ୍ତି ପ୍ରିୟଙ୍କା କେବଳ ପୂଜା ନକରି ତାଙ୍କ ଭାଇ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରନ୍ତୁ କୃଷକଙ୍କୁ ଋଣଛାଡ଼ ପ୍ରତିଶୃତି କୁଆଡେ ଗଲା ? ଆଉ ପ୍ରିୟଙ୍କା ଏହାର ଜବାବ ରଖି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ତପସ୍ୱୀ ବୋଲି କୁହନ୍ତି | କିନ୍ତୁ ଏହି ତପସ୍ୱୀ କୃଷକଙ୍କୁ ସେମାନଙ୍କ ଉଚିତ ମୂଲ୍ୟ ଓ ଅଧିକାର ଦେଇନାହାନ୍ତି | ହଜାର ହଜାର କୃଷକଙ୍କ ମୃତ୍ୟୁ ପରେ ବି ତପସ୍ୱୀ ଜଣକ ନିରବ ରହିଛନ୍ତି | ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ବାକି ଥିବାବେଳେ ନିକଟରେ ସରିଥିବା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଫାଇଦା ମିଳିଥିଲା | ଆଉ ଏହାପରେ ରାହୁଲଙ୍କୁ ଅଧିକରୁ ଅଧିକ ମନ୍ଦିର ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା |

ଏଠାରେ ସୂଚନା ଥାଉ କି ମଧ୍ୟପ୍ରଦେଶରେ ୨୯ଟି ଆସନ ମଧ୍ୟରୁ ୨୧ଟି ଆସନ ପାଇଁ ପୂର୍ବ ପର୍ଯାୟରେ ନିର୍ବାଚନ ସରିଛି | ଆଉ ବାକି ଥିବା ୮ଟି ସିଟ ପାଇଁ ଆସନ୍ତା ୧୯ ମେ ରେ ନିର୍ବାଚନ ହେବାକୁ ଯାଉଛି |

ସମ୍ବନ୍ଧିତ ଖବର