ଲକ୍ଷ୍ନୌ: ପ୍ରୟାଗରାଜରୁ ବାରଣାସୀକୁ ନୌକା ଯାତ୍ରା କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ବାକ୍ ବାଣରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦିଙ୍କର ‘କଂଗ୍ରେସ ୭୦ ବର୍ଷ ଭିତରେ କ’ଣ କରିଛି?’ ଯୁକ୍ତି ପୁରୁଣା ହୋଇଗଲାଣି। ଏବେ ସେ ନିଜେ କୁହନ୍ତି, ‘ବିଜେପି ୫ ବର୍ଷ ଭିତରେ କ’ଣ କରିଛି?’
କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନୁହେଁ, ଏହି କଂଗ୍ରେସ ନେତ୍ରୀ ଉତ୍ତରପ୍ରଦେଶରେ ଶାସନ କ୍ଷମତାରେ ଥିବା ଯୋଗୀ ଆଦିତ୍ୟନାଥଙ୍କ ଉପରକୁ ବି ଆଙ୍ଗୁଠି ଉଠାଇଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନର ଶାସନରେ ସମାଜର ସବୁ ବର୍ଗ ସଂକଟରେ। ବିଜେପି ନିର୍ବାଚନ ପ୍ରଚାରରେ ଯେପରି ଦେଖାଉଛି ବାସ୍ତବ ସହ ତାହାକୁ ତୁଳନା କଲେ ଆକାଶ ପାତାଳର ଫରକ୍।’
ଉଲ୍ଲେଖଯୋଗ୍ୟ, ସୋମବାର ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମେ ଭି ଚୌକିଦାର ହୁଁ’ ଶୀର୍ଷକ ନିର୍ବାଚନ ପ୍ରଚାରକୁ ସମାଲୋଚନା କରି କହିଥିଲେ କି ମୋଦି କେବଳ ଧନୀ ଲୋକଙ୍କ ଚୌକିଦାର, କୃଷକଙ୍କର ନୁହଁନ୍ତି।