ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲିଙ୍କ ଚଳଚ୍ଚିତ୍ରରେ ନଜର ଆସିବେ। ବୁଧବାର ଦିନ, ଅଭିନେତ୍ରୀ ଇନଷ୍ଟାଗ୍ରାମରେ ସେଟର କିଛି ଝଲକ ସେୟାର କରି ଓଡ଼ିଶାରେ ଗତ କିଛି ଦିନ କିପରି ବିତିଥିଲା ତାହା କହିଥିଲେ। ସେ ଏକ ପ୍ରେରଣାଦାୟକ କାହାଣୀ ମଧ୍ୟ କହିଥିଲେ। ପ୍ରିୟଙ୍କା ଚୋପ୍ରା ଭିଡିଓରେ କହିଛନ୍ତି, 'ମୁଁ ଆଜି ଏକ ପ୍ରେରଣା ପାଇଲି।' ମୁଁ ମୁମ୍ବାଇ ଯିବା ପାଇଁ ବିଶାଖାପାଟଣା ବିମାନବନ୍ଦର ଆଡକୁ ଯାଉଥିଲି। ରାସ୍ତାରେ ମୁଁ ଜଣେ ମହିଳାଙ୍କୁ ପିଜୁଳି ବିକୁଥିବାର ଦେଖିଲି। ମୁଁ କଞ୍ଚା ପିଜୁଳି ବହୁତ ପସନ୍ଦ କରେ। ତେଣୁ ମୁଁ ଅଟକିଗଲି ଏବଂ ପଚାରିଲି ପିଜୁଳି ମୂଲ୍ୟ କେତେ। ସେ କହିଲେ ୧୫୦ ଟଙ୍କା। ତେବେ ମୁଁ ତାଙ୍କୁ ୨୦୦ ଟଙ୍କା ଦେଇଥିଲି।
'ତା'ପରେ ସେହି ମହିଳା ମୋତେ ୫୦ ଟଙ୍କା ଫେରାଇବାକୁ ଲାଗିଲେ। ମୁଁ କହିଲି ନାଇଁ ମ, ଏହି ଟଙ୍କା ରଖ। ମହିଳା ଜଣକ ପିଜୁଳି ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଥିଲେ। ତେବେ ସେ ସେହି ୫୦ ଟଙ୍କା ମାଗଣାରେ ନ ନେଇ ମୋତେ ଦୁଇଟି ପିଜୁଳି ଅଧିକ ଦେଇଥିଲେ | ଏନେଇ ପ୍ରିୟଙ୍କା କହିଛନ୍ତି ଯେ ଜଣେ କର୍ମଜୀବୀ ମହିଳା, ଦାନ ଚାହାଁନ୍ତି ନାହିଁ। ଏହି କଥାଟି ମୋତେ ବହୁତ ପ୍ରେରଣା ଦେଇଥିଲା। ପ୍ରିୟଙ୍କାଙ୍କ କହିବା କଥା ସେ ମହିଳା ଚାହିଁଥିଲେ ଆରାମରେ ୫୦ ଟଙ୍କା ରଖିପାରିଦେଇଥାନ୍ତେ | କିନ୍ତୁ ସେ ମାଗଣାରେ ଟଙ୍କା ରଖିବାକୁ ଚାହିଁନଥିଲେ, ଯେତିକି ପ୍ରାପ୍ୟ ସେତିକି ପାଇବା କଥାକୁ ହିଁ ଗୁରୁତ୍ୱ ଦେଇଥିଲେ |
ପ୍ରିୟଙ୍କା ଚୋପ୍ରାଙ୍କ କାମ ବିଷୟରେ କହିବାକୁ ଗଲେ, ଆଜିକାଲି ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ ରହିଛି। ସେ ହେଡ୍ସ ଅଫ୍ ଷ୍ଟେଟ୍, ଦି ବ୍ଲଫ୍, ଏସଏସଏମବି୨୯ ଭଳି ଫିଲ୍ମରେ କାମ କରୁଛନ୍ତି। ଏସଏସଏମବି୨୯ ଏକ ତେଲୁଗୁ ସିନେମା। ଏହି ଫିଲ୍ମର ସୁଟିଂ ଚାଲିଛି।