ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଛତିଶଗଡ ଗସ୍ତ କରି ୨୦୨୬ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଏବଂ ଦେଶରେ ନକ୍ସଲ ରାଜୁତି ସମାପ୍ତ କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ନଜରରେ ରଖି ଛତିଶଗଡ ସରକାର ତରଫରୁ ଘନ ଘନ ଜଂଗଲରେ ଚଢାଉ କରାଯାଇ ନକ୍ସଲଙ୍କ ଅଣ୍ଟା ଭାଙ୍ଗି ଦିଆଯାଉଛି। ଲଗାତାର ନକ୍ସଲ ଏନକାଉଣ୍ଟରରେ ମୃତ୍ୟୁବରଣ କରୁଥିବା ବେଳେ ଆତ୍ମସମର୍ପଣ ଓ ଗିରଫ ମଧ୍ୟ ହେଉଛନ୍ତି।ଗତକାଲି ଦନ୍ତେଵେଡା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଲୋହାଗାଓଁ ପୁରେଙ୍ଗେଲ ଜଂଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୯ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ।

Advertisment

ବୁଧବାର ସକାଳେ ଜିଲ୍ଲା ମୁଖ୍ୟାଳୟରେ ଯବାନ ସମସ୍ତ ଶବ ଏବଂ ମାଓ ସାମଗ୍ରୀ ଧରି ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ମୃତ ନକ୍ସଲ ମଧ୍ୟରୁ ୬ ଜଣ ମହିଳା ନକ୍ସଲ ଥିଲେ।ଏମାନଙ୍କ ନାମରେ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ପୁରସ୍କାର ରହିଥିବା କୁହାଯାଇଛି। ମୃତ ନକ୍ସଲମାନଙ୍କ ମଧ୍ୟରୁ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ସଦସ୍ୟ ରଣବୀରର ମଧ୍ୟ ମୃତ୍ୟୁ ହୋଇଛି। ରଣବୀର ନାମରେ ସରକାର ୨୫ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ।

ସେହିପରି ଅନ୍ୟ ମୃତ ନକ୍ସଲମାନଙ୍କ ମଧ୍ୟରୁ ୫ ଲକ୍ଷ ପୁରସ୍କାର ଘୋଷିତ ମୃତ ନକ୍ସଲମାନେ ହେଲେ ପିଏଲ ସଦସ୍ୟା କୁମାରୀ ଶାନ୍ତି, ଏସିଏମ ସୁଶିଲା ମାଡକମ, କଟେକଲ୍ୟାଣ ଏରିଆ କମିଟି ସଦସ୍ୟା ଗାଙ୍ଗି ମୁଚାକି, ମଲିଙ୍ଗର ଏରିଆ କମିଟିର ସଦସ୍ୟ କୋସା ମାଡବୀ, ଡିବିସିଏମ ସଦସ୍ୟା ଲଳିତା, ଆନ୍ଧ୍ର-ଓଡିଶା ବୋର୍ଡର ଡିଭିଜନାଲ କମିଟିର ସଦସ୍ୟା କବିତା ଏବଂ ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ହେଲେ ଡିବିସିଏମ ସଦସ୍ୟା ହିଡମେ ଓ ପ୍ଲାଟୁନ ସଦସ୍ୟ କମଲେଶ।

ସାମ୍ବାଦିକ ସମ୍ମିଳନୀରେ ଆଇଜି ପି.ସୁନ୍ଦରରାଜ, ଦନ୍ତେୱାଡା ଏସପି କମଳଲୋଚନ କଶ୍ୟପ ପ୍ରମୁଖ ଉପସ୍ଥିତ ରହି ଏହି ଏନକାଉଣ୍ଟର କିପରି ହୋଇଥିଲା ତାହାର ସଂପୂର୍ଣ୍ଣ ବିବରଣୀ ରଖିଥିଲେ। ଏହି ଏନକାଉଣ୍ଟରରେ ବହୁ ନକ୍ସଲ ଆହତ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ଏନକାଉଣ୍ଟରରେ ଡିଆରଜି, ବସ୍ତର ଫାଇଟରସ୍ ଏବଂ ସିଆରପିଏଫ ଯବାନ ସାମିଲ ଥିଲେ। ଏହି ଘଟଣା ପରେ ନକ୍ସଲ ସଂଗଠନରେ ବଡ ଧରଣର ହେରଫେର ହେବ ବୋଲି ଅନୁମାନ କରାଯାଉଛି। ବହୁ ନକ୍ସଲ ଆତ୍ମସମର୍ପଣ କରିବେ ବୋଲି ଆଶା କରାଯାଉଛି।