ବୈଶିଙ୍ଗା: ବିଗତ ୨ବର୍ଷ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଠାକୁରମୁଣ୍ଡା-ରୁପ୍ସା ଏମଡିଆର -୭୦ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ବ୍ୟାପକ ଅନିୟମିତାକୁ ନେଇ ଜନ ଅସନ୍ତୋଷ ଭୟଙ୍କର ରୂପ ନେଇଥିବାବେଳେ ସମୟ ଅନ୍ତରାଳେ ଏହି ରାସ୍ତା ନିର୍ମାଣର ମାନକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ବିବାଦ ଲାଗି ରହିଛି l ଚାହିଁକି ବି ପ୍ରଶାସନ ଏହାର ସମାଧାନ କରି ପାରିନି l ଏବେ  ପୁଣି ଏହି ରାସ୍ତାରେ ଗୋଟିଏ ସ୍ଥାନରେ ୨ୟ କଲଭର୍ଟ ନିର୍ମାଣକୁ ନେଇ ବିବାଦ ଉପୁଜିଛି l ଜନୈକ ଠିକାଦାର ଧନାପାଳ ଛକ ଠାରେ ରାସ୍ତାର ଅର୍ଦ୍ଧାଧିକ ଅଂଶ ଖୋଳି ଦେଇ ଛାଡି ଚାଲି ଯାଇଛନ୍ତି | ଯାହାଦ୍ୱାରା ଦୈନିକ ଦୁର୍ଘଟଣାର ସମ୍ମୁଖୀନ ହୋଉଛନ୍ତି ନିରୀହ ଯାତ୍ରୀ l ଏହିଭଳି ଏହି ରାସ୍ତାର ଏକାଧିକ ସ୍ଥାନରେ ଠିକାଦାରଙ୍କ ଅଧାପନ୍ତରିଆ କାମ ତଥା ଚାଲିଥିବା କାମର ଶିଥିଳତାକୁ ନେଇ ପୁଣି ଲୋକଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଲାଣି l 

Advertisment

ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ଅଧିନରେ ଠାକୁରମୁଣ୍ଡା ଠାରୁ ରୁପ୍ସା ପର୍ଯ୍ୟନ୍ତ ଏମଡିଆର-୭୦ ରାସ୍ତାର ନବୀକରଣ କାର୍ଯ୍ୟ ଚାଲୁ ରହିଛି l ହେଲେ ଉକ୍ତ କାର୍ଯ୍ୟ କରୁଥିବା ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ଆରମ୍ଭରୁ ବିବାଦ ଲାଗି ରହିଛି l ସୂଚନା ଅନୁଯାଇ ଉକ୍ତ କାର୍ଯ୍ୟ ପାଇଁ ବିଭାଗୀୟ ଅନୁଦାନ ୨୨କୋଟି ୫୯ଲକ୍ଷ ୭୦ହଜାର ୧୪୪ଟଙ୍କା ଅନୁମୋଦନ କରାଯାଇଛି l ପୂର୍ବରୁ ସାଢେ ୩.୭୫ମିଟର ଥିବା ରାସ୍ତାକୁ ଓସାରିଆ କରି ୬.୫ ମିଟର କରିବାର ଅଟକଳ ପ୍ରଦାନ କରାଯିବା ସହିତ ଗତ ଜୁଲାଇ ମାସରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ରହିଥିଲା l ତେବେ ପ୍ରାଥମିକ ଭାବେ ଭୀମଦା ଠାରୁ ଆରମ୍ଭ କରି ବୈଶିଙ୍ଗା ୧୨କିମି ରାସ୍ତା ନିର୍ମାଣଧିନ ରାସ୍ତା ଏଯାବତ ଅଧପନ୍ତରିଆ ହୋଇ ରହିଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ତେବେ ସବୁଠୁ ବଡ଼ ସମସ୍ୟା ଉପୁଜିଛି ଏବେ ଉତ୍ତରପାଳ ଛକ ଓ ମାନଗୋବିନ୍ଦପୁର ଉପକଣ୍ଠ ତାଳଗଛ ଛକ ମଧ୍ୟରେ ଧନାପାଳ ଛକ ନିକଟରେ ଥିବା ଏକ ପୋଲ ନିର୍ମାଣ କାର୍ଯ୍ୟରେ l

ଏଠାରେ ବିଗତ ଦଶନ୍ଧି ଧରି ବୁଢ଼ାବଳଙ୍ଗ ବନ୍ୟା ଜଳ ନିଷ୍କାସନ ପାଇଁ ରାସ୍ତାରେ କେବଳ ଦୁଇଟି ହୋମପାଇପ ପକାଇ କଲଭର୍ଟ ନିର୍ମାଣ କରାଯାଇଥିଲା, ଆଉ ସେଇଥିରେ ହିଁ ସବୁ ଜଳନିଷ୍କାସନ ହୋଇଯାଉଥିଲା l ପରେ ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସମୟରେ ଉକ୍ତ ହୋମ ପାଇପ ସବୁକୁ ଉଠାଯାଇ ଏକ ବଡ଼ ପୋଲ ନିର୍ମାଣ କରାଯାଇଛି l ହେଲେ ଠିକାଦାର ସେଠାରେ କିଛି ଲୋକଙ୍କ ପ୍ରରୋଚନାରେ ପଡି ୨ୟ ପୋଲ ନିର୍ମାଣ କରିବାକୁ ଅଡ଼ି ବସିଲେ ଓ ସେହି ପୋଲ ଠାରୁ ୨୦ମିଟର ଦୂରରେ ପୁଣି ଏକ ପୋଲ ନିର୍ମାଣ ପାଇଁ କିଛି ରାଜନୈତିକ ଲୋକଙ୍କୁ ନେଇ ଶିଳାନ୍ୟାସ କଲେ l ପରେ ପ୍ରାୟ ୧ମାସ ପୁର୍ବରୁ ସେହି ସ୍ଥାନରେ ଜେସିବି ଲଗେଇ ଅଧାରୁ ଅଧିକ ରାସ୍ତା ଖୋଳିଦେଲେ l

ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ଖୋଳାଯିବା ପରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଥିବା ସଂକୁଚିତ ରାସ୍ତାରେ ଲୋକଙ୍କ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧା ହେବା ସତ୍ୱେ, ଶୀଘ୍ର ପୋଲ ନିର୍ମାଣ ସରିଯିବ ଭାବି ଲୋକେ କିଛି ଅଭିଯୋଗ କରିନଥିଲେ l ହେଲେ ଖୋଳି ସାରିବା ପରେ ଉଭୟ ପାର୍ଶ୍ୱରେ ଥିବା ଜମି ମାଲିକ ପୋଲ ନିର୍ମାଣକୁ ବିରୋଧ କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି l ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହି ଯାଇଛି l ତେବେ ଏବେ ଦୀର୍ଘ ଦିନ ଧରି ଯିବା ଆସିବାରେ ଅସୁବିଧା ଭୋଗ କରୁଛନ୍ତି ଶତାଧିକ ଯାତ୍ରୀ l ପ୍ରାୟ ଦିନରେ ଉକ୍ତ ମୁକୁଳା ଖାଲରେ ଛୋଟ ବଡ଼ ଦୁର୍ଘଟଣା ବି ଘଟୁଛି l ସେହିଭଳି ବର୍ଷା ଋତୁ ଆସିବା ପରେ ଖାଲ ପାର୍ଶ୍ୱସ୍ଥ ସଂକୀର୍ଣ୍ଣ ରାସ୍ତା ପାଲଟିଛି ମରଣ ଯନ୍ତା l ରାସ୍ତାରେ ସୃଷ୍ଟି ହୋଇଛି ଆଣ୍ଠୁଏ ଆଣ୍ଠୁଏର ଏକାଧିକ ଖାଲଖମା l ଯେଉଁଥିରେ ବର୍ଷା ହେଲେ ପାଣି ଭର୍ତ୍ତି ହୋଇ ରହୁଛି ଓ ରାସ୍ତାରେ ଯାଉଥିବା ବାଇକ ଚାଳକ କିମ୍ବା ଅନ୍ୟାନ୍ୟ ଗାଡି ଚାଳକ ହଠାତ ଖାଲର ଗଭୀରତା ଜାଣି ନପାରି ଦୁର୍ଘଟଣାଗ୍ରସ୍ତ ହୋଉଛନ୍ତି l

ଯାହା ଦୈନନ୍ଦିନ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି l ଅନ୍ୟପଟେ ଏହି ସଂକୀର୍ଣ୍ଣ ରାସ୍ତାରେ ଗୋଟିଏ କାର କିମ୍ବା ବଡ଼ ଗାଡି ଗଲେ ଆଉ ଗୋଟେ ବାଇକ ଯିବା ବି ଅସମ୍ଭବ l ଏଠାରେ କଥା ଉଠୁଛି ଯଦି ପାର୍ଶ୍ୱବର୍ତ୍ତୀ ଜମି ମାଲିକ ମାନଙ୍କ ସହିତ ନିର୍ମାଣ ପୂର୍ବରୁ କଥା ନହୋଇ କଣ ପାଇଁ ରାସ୍ତା ଖୋଳି ଦେଇଛନ୍ତି ଠିକାଦାର l  ଏହି ରାସ୍ତା ଦେଇ ବଡ଼ସାହି ଓ ବେତନଟୀ ବ୍ଲକର ଲକ୍ଷାଧିକ ଲୋକ ପ୍ରତ୍ୟହ ବାଲେଶ୍ୱର, ବାରିପଦା, ବ୍ଲକ, ତହସିଲ, ଥାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ରାଷ୍ଟ୍ରାୟତ ବ୍ୟାଙ୍କ ସମେତ ଏକାଧିକ ସରକାରୀ କାର୍ଯ୍ୟାଳୟକୁ ଯିବାଆସିବା କରନ୍ତି l ହେଲେ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣ ଅଧାପନ୍ତରିଆ ହୋଇ ରହିଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି l ଘଟଣା ସମ୍ପର୍କରେ ଦାୟିତ୍ୱରେ ଥିବା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ରଙ୍କ କହିବା କଥା ଆମେ ପାର୍ଶ୍ୱବର୍ତ୍ତୀ ଜମି ମାଲିକଙ୍କୁ ଡକାଇଛୁ, ତାଙ୍କ ସହିତ କଥା ହୋଇ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବୁ l