ରାଉରକେଲା: ସହରର ସର୍ବପୁରାତନ ପାନପୋଷ ଉପଖଣ୍ଡ ସରକାରୀ ଡାକ୍ତରଖାନା। ଗତ ୨୦୧୪ରେ ପରିବର୍ତ୍ତନ ହୋଇ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ୟୁସିଏଚ୍ଏସ୍) ହେଲା। ନାମ ପରିବର୍ତ୍ତନ ହେଲା ସତ, କିନ୍ତୁ ଚିକିତ୍ସାସେବାରେ କୌଣସି ସୁବିଧା କରାଗଲାନି। ୨ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ ଏହି ଡାକ୍ତରଖାନା ରୋଗୀଙ୍କୁ ସେବା ଦେଇପାରୁନି। ଯେତିକି ରୋଗୀ ଯାଉଛନ୍ତି, ତା’ର ୬୦% ଚିକିତ୍ସାସୁବିଧା ନ ପାଇ ଫେରିଆସୁଛନ୍ତି। ଜିଲ୍ଲାର ଅନ୍ୟ ଉପଖଣ୍ଡ ଡାକ୍ତରଖାନାରେ ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ ହେଉଛି। ଆବଶ୍ୟକ ଯନ୍ତ୍ରପାତି ଉବଲବ୍ଧ କରାଯାଉଛି। ପାନପୋଷ ୟୁସିଏଚ୍ସି ପୂର୍ବରୁ ଯେମିତି ଥିଲା, ଏବେ ବି ସେମିତି ରହିଛି। ସ୍ବାସ୍ଥ୍ୟବିଭାଗ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଯେମିତି ଏହି ଡାକ୍ତରଖାନାର ବିକାଶକୁ ପାସୋରିଯାଇଛନ୍ତି। ଅବଶ୍ୟ ନିକଟରେ ୩୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନାରେ ଅନ୍ତର୍ବିଭାଗ ଖୋଲାଯାଇଛି। କିଛି କର୍ମଚାରୀ ଓ ନର୍ସମାନଙ୍କୁ ନିଯୁକ୍ତି ମିଳିଛି। ହେଲେ ଆଜି ପର୍ଯ୍ୟନ୍ତ ଅନ୍ତର୍ବିଭାଗ ଖୋଲୁନି। ଡାକ୍ତରଖାନା କର୍ତ୍ତୃପକ୍ଷ ଓ କାର୍ଯ୍ୟରତ ଡାକ୍ତରମାନେ ଅଧିକ କାର୍ଯ୍ୟଭାର ଦର୍ଶାଇ ଅନ୍ତର୍ବିଭାଗ ଖୋଲିବାକୁ ପଦକ୍ଷେପ ନେଉନାହାନ୍ତି। ଆର୍ଏମ୍ସି କମିସନର ତଥା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସ୍ବାସ୍ଥ୍ୟ ସମୀକ୍ଷା ବୈଠକରେ ଅନ୍ତର୍ବିଭାଗ କାର୍ଯ୍ୟକ୍ଷମ କରିବାକୁ ୟୁସିଏଚ୍ସିର କର୍ତ୍ତୃପକ୍ଷଙ୍କୁ ଦାଗିଦ୍ କରିଥିଲେ ହେଁ ଫଳ ଶୂନ। ଫଳରେ ଦୈନିକ ୫ରୁ ୧୦ ରୋଗୀ ଭର୍ତ୍ତି ହେବାକୁ ଆସୁଥିଲେ ବହିର୍ବିଭାଗରେ ଚିକିତ୍ସା ହୋଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି। ସବୁଠୁ ବେଶି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟ। ବହିର୍ବିଭାଗରେ ଦୈନିକ ୨୫୦ରୁ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି। ମାସିକ ହାରାହାରି ୫/୬ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି।
କେବଳ ଏତିକି ନୁହେଁ ଡାକ୍ତରଖାନାରେ କେବଳ ଜଣେ ଦନ୍ତ ବିଶେଷଜ୍ଞ ଡାକ୍ତର ଅଛନ୍ତି। ଅନ୍ୟ କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ନାହାନ୍ତି। ନିଯୁକ୍ତି ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ଦେଖାଯାଇ ନାହିଁ। ଏବେ ଜଣେ ଅଧୀକ୍ଷକ , ୩ ଏମ୍ବିବିଏସ୍ ଡାକ୍ତର, ୩ ଫାର୍ମାସିଷ୍ଟ, ୩ ଲାବ୍ରୋଟୋରି ଟେକ୍ନିସିଆନ୍ ଓ ୯ ନର୍ସ କାର୍ଯ୍ୟ କରୁଛନ୍ତି। ବହିର୍ବିଭାଗ ଓ ଅନ୍ତର୍ବିଭାଗ ନୂଆ କୋଠା ହୋଇଛି। ଭଙ୍ଗାଦଦରା ଘରେ କାର୍ଯ୍ୟାଳୟ ଚାଲିଛି। ଏମିତି ସମସ୍ୟା ପାଇଁ ପାନପୋଷ ଶବବ୍ୟବଚ୍ଛେଦ ଗୃହକୁ ଦାୟୀ କରାଯାଉଛି। ଶବବ୍ୟବଚ୍ଛେଦ ଗୃହରେ ମାସକୁ ୧୦୦ରୁ ୧୫୦ ଶବ ବ୍ୟବଚ୍ଛେଦ କରାଯାଉଛି। ଏଥିପାଇଁ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନଥିବାରୁ ପାନପୋଷ ୟୁସିଏଚ୍ଏସ୍ର ଡାକ୍ତର ଓ କର୍ମଚାରୀମାନେ କାମ କରୁଛନ୍ତି। ଶବବ୍ୟବଚ୍ଛେଦ ଗୃହକୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ସ୍ଥାନାନ୍ତର କରିନେବାକୁ ପୂର୍ବରୁ ଅନେକଥର ଦାବି ହୋଇଛି। ସ୍ଥାନାନ୍ତର କରାଯାଉ ନଥିବାରୁ ପାନପୋଷ ଡାକ୍ତରଖାନାର ଡାକ୍ତର ଓ କର୍ମଚାରୀଙ୍କ କାର୍ଯ୍ୟଭାର ବଢୁଥିବାରୁ ଅନ୍ତର୍ବିଭାଗ କାର୍ଯ୍ୟକ୍ଷମ ହୋଇପାରୁ ନଥିବା କୁହାଯାଉଛି। ସ୍ଥାନୀୟ ରୋଗୀଙ୍କ ସମସ୍ୟାକୁ ଦୃଷ୍ଟିର ରଖି ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/27/eOYWmcBaAsLliuq3nUKX.jpeg)