ରାଉରକେଲା: ଯୋଗାଣ ବିଭାଗ ଓ କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରାରେ ବର୍ଷବର୍ଷ ଧରି ପିଡିଏସ୍‌ ସାମଗ୍ରୀ ଉଠାଉଥିବା ଅଯୋଗ୍ୟ କାର୍ଡଧାରୀଙ୍କୁ ଲାଗିଛି ଶକ୍ତ ଧକ୍କା। ହିତାଧିକାରୀଙ୍କ ଆଧାର ଲିଙ୍କ ପରେ ସୁନ୍ଦରଗଡ ଜିଲ୍ଲାରେ ଅଯୋଗ୍ୟ ରାସନକାର୍ଡଧାରୀଙ୍କ ନାମ ଯୋଗାଣ ବିଭାଗରୁ ତାଲିକାରୁ ବାଦ୍‌ ପଡୁଛି। ଯେଉଁ ଅଯୋଗ୍ୟ ହିତାଧିକାରୀ ପରିବାର ନିୟମିତ ପିଡିଏସ୍‌ ସାମଗ୍ରୀ ଉଠାଉଥିଲେ, ସେମାନଙ୍କ ଚିନ୍ତା ବଢ଼ିଛି। ସରକାର ବଦଳିବା ପରେ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି। ଯେଉଁ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିଲେ, ସେମାନଙ୍କୁ ଖୁବ୍‌ ଶୀଘ୍ର ନୂଆ ରାସନ କାର୍ଡ ମିଳିବ ବୋଲି କହାଯାଇଛି। ସୁନ୍ଦରଗଡ଼ରେ ୪ ଲକ୍ଷ ୨୫ ହଜାର ୯୦୯ ରାସନକାର୍ଡଧାରୀ ଅଛନ୍ତି। ଏଥିରେ ମୋଟ ୧୪ ଲକ୍ଷ ୮୬ ହଜାର ୩୦୦ ଜଣ ଉପକୃତ ହେଉଥିଲେ। ଏବେ ସୁଦ୍ଧା ପ୍ରାୟ ୬୦ ହଜାର କାର୍ଡ ଓ ୨ ଲକ୍ଷରୁ ଅଧିକ ହିତାଧକାରୀ ବାଦ୍‌ ପଡି ସାରିଲେଣି ବୋଲି ସୂଚନା ମିଳିଛି। ସମସ୍ତ ହିତାଧିକାରୀଙ୍କ ଆଧାର ଲିଙ୍କ ପରେ ରାସନକାର୍ଡ ସଂଖ୍ୟା ଆହୁରି କମିପାରେ ବୋଲି ଯୋଗାଣ ବିଭାଗ ପକ୍ଷରୁ କହାଯାଇଛି। ତେବେ ବର୍ଷବର୍ଷ ଧରି ‌ଯୋଗାଣବିଭାଗରେ ଏଭଳି ଅନିୟମିତତା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Advertisment

ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ର ବାଲିଶଙ୍କରା ବ୍ଲକରେ ୭୪ ହଜାର ୮୯୮ ହିତାଧକାରୀଙ୍କ ମଧ୍ୟରୁ ୫୦ ହଜାର ୪୮୬ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ସରିଛି। ବର୍ତ୍ତମାନ ସୁଦ୍ଧା ୨୪ ହଜାର ୪୧୨ ହିତାଧିକାରୀ କରି ନାହାନ୍ତି। ବଡଗାଁରେ ୬୧ ହଜାର ୭୪୭ରୁ ୪୧ ହଜାର ୩୯୨, ବୀରମିତ୍ରପୁର ପୌରପାଳିକାରେ ୨୧ ହଜାର ୭୪୭ରୁ ୧୫ ହଜାର୬୧୮,  ବିଶ୍ରା ବ୍ଲକରେ ୫୮ ହଜାର ୮୩୮ରୁ  ୪୦ ହଜାର୯୩୮, ବଣାଇରେ ୫୫ ହଜାର ୭୪୪ ରୁ ୨୬ ହଜାର ୧୮୩ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ସରିଛି। ସେମିତି ଗୁରୁଣ୍ଡିଆ ବ୍ଲକରେ ୬୨ ହଜାର ୨୨୯ ରୁ ୪୦ ହଜାର ୭୬୪, ହେମଗିରିରେ ୬୫ ହଜାର ୬ରୁ  ୩୦ ହଜାର ୫୩୯, କୋଇଡାରେ ୬୯ ହଜାର ୮୧୯ରୁ ୨୮ ହଜାର ୯୩୫, କୁଆରମୁଣ୍ଡା ବ୍ଲକରେ ୯୨ ହଜାର ୪୯୩ରୁ ୬୦ ହଜାର ୪୯୪, କୁତ୍ରାରେ ୬୯ ହଜାର ୧୩୭ରୁ  ୪୪ ହଜାର ୫୯୭, ଲହୁଣିପଡାରେ ୮୪ ହଜାର ୧୮୩ରୁ ୪୩ ହଜାର ୨୪୩, ଲାଠିକଟାରେ ୯୫ ହଜାର ୩୬୯ରୁ ୫୯ ହଜାର ୮୬୭ ହିତାଧିକାରୀଙ୍କ ଆଧାର ଲିଙ୍କ ହୋଇ ସାରିଛି। ଲେଫ୍ରିପଡା ବ୍ଲକର ୬୬ ହଜାର ୬୨୦ରୁ ୩୧ ହଜାର ୧୦୩, ନୂଆଗାଁରେ ୯୨ ହଜାର ୧୨୧ରୁ ୫୯ ହଜାର ୮୨୩, ରାଜଗାଙ୍ଗପୁରରେ ୯୧ ହଜାର ୪୯୨ରୁ ୫୫ ହଜାର୮୨୩, ରାଜଗାଙ୍ଗପୁର ପୌରପାଳିକାରେ ୩୧ ହଜାର ୩୩୨ରୁ ୧୯ ହଜାର ୫୧୮, ରାଉରକେଲା ମହାନଗର ନିଗମରେ ୨ ଲକ୍ଷ ୩୫ ହଜାର ୬୪୩ରୁ ୧ ଲକ୍ଷ ୬୫ ହଜାର ୨୮୦, ସବ୍‌ଡେଗାରେ ୫୪ ହଜାର ୪୮୧ରୁ ୩୭ ହଜାର ୫୭୬, ସୁନ୍ଦରଗଡ ସଦରରେ ୫୫ ହଜାର ୩୫୮ରୁ ୩୭ ହଜାର ୧୯୯, ସୁନ୍ଦରଗଡ ପୌରପାଳିକାରେ ୧୭ ହଜାର ୫୨୬ରୁ ୧୨ହଜାର ୯୬୩, ଟାଙ୍ଗରପାଲିରେ ୫୨ ହଜାର ୮୪୦ରୁ ୨୮ ହଜାର ୪୦୩ ହିତାଧିକାରୀଙ୍କ ଆଧାର ଲିଙ୍କ ଶେଷ ହୋଇଛି। ଜିଲ୍ଲାର ସମସ୍ତ ୧୭ ବ୍ଲକ, ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼‌ ପୌରପାଳିକାରେ ବଳକା ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ସରିବା ପରେ ରାସନକାର୍ଡ ବାତିଲ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ମାପଦଣ୍ଡ ​ଅନୁସାରେ ଯେଉଁ ହିତାଧିକାରୀଙ୍କର କାର୍‌, ଟ୍ରାକ୍ଟର, କୋଠାଘର, ନିର୍ଦ୍ଧାରିତ ପରିମାଣରୁ ଅଧିକ ଜମି ଥିବ ତା’ହେଲେ ସେମାନେ ରାସନକାର୍ଡ ପାଇଁ ଅଯୋଗ୍ୟ ବିବେଚିତ ହେବେ। ଆଧାରକାର୍ଡ ଲିଙ୍କ ହେବାମାତ୍ରେ ଏଭଳି ହିତାଧିକାରୀମାନେ ବାରିହୋଇ ଆପେ ବାଦ ପଡ଼ୁଛନ୍ତି।