ରାଉରକେଲା: ଜମି ଦଲାଲଙ୍କ କବ୍‌ଜାରେ ସୁନ୍ଦରଗଡ଼ର ସମସ୍ତ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ। ବୀରମିତ୍ରପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଜମିଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ସଜାଗ ହୋଇଛି। କେବଳ ବୀରମିତ୍ରପୁର ନୁହେଁ ଜିଲ୍ଲାର ୭ଟି କାର୍ଯ୍ୟାଳୟର ସମାନସ୍ଥିତି ଉପୁଜିଛି। ଯେଉଁମାନେ ଅଧିକାରୀ ଓ କର୍ମଚାରୀଙ୍କୁ ମୋଟାଅଙ୍କର ଲାଞ୍ଚ ଦେଉଛନ୍ତି, ସେମାନଙ୍କ ଜମି ପଞ୍ଜୀକରଣ ଆଗ ହେଉଛି। ‌ଯେଉଁ ଜମିମାଲିକମାନେ ଦାବିମୁତାବକ ଟଙ୍କା ଦେଇପାରୁନାହାନ୍ତି, ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ମାସ ମାସ ସମୟ ଗଡାଯାଉଛି। କାର୍ଯ୍ୟାଳୟର ଅଧିକାରୀମାନେ ବିଲ୍‌ଡର ଓ ଜମି ଦଲାଲଙ୍କୁ ପ୍ରାଥିକତା ଦେଉଥିବା ଜମିମାଲିକମାନେ ଅଭିଯୋଗ କରିଛନ୍ତି। ବିନା ଦଲାଲ ଓ ଲାଞ୍ଚ ନ ଦେଲେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଫାଇଲ୍‌ ଆଗକୁ ବଢ଼ୁନି। ପୁଲିସ ଚଢ଼ଉ ପରେ ବୀମରିତ୍ରପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚାଲିଥିବା ବେଆଇନ କାମର କିଛିଟା ରୋକ୍‌ ଲାଗିଛି। ଗତ ପ୍ରାୟ ମାସେ ହେଲା ପୂର୍ବପରି ପଞ୍ଜୀକରଣ ହେଉନି। ସବୁଠୁ ଆଶ୍ଚର୍ଯ୍ୟ କଥା, ଯେଉଁ ଅଧିକାରୀମାନଙ୍କ ନାଁରେ ମାଳ ମାଳ ଅଭିଯୋଗ ରହିଛି, ସେମାନଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଉନି। ଲୋକଦେଖାଣିଆ ଭାବେ ଜିଲ୍ଲାର ଅନ୍ୟ କାର୍ଯ୍ୟାଳୟକୁ କିଛି ମାସ ପାଇଁ ବଦଳି କରାଯାଉଛି। ପରେ ପୂର୍ବ କାର୍ଯ୍ୟାଳୟକୁ ବଦଳି ହୋଇଆସୁଛନ୍ତି। ଏମାନଙ୍କ ସହାୟତାରେ ଘରବାଡ଼ି ହେଉନଥିବା ଚାଷଜମିକୁ ଘରବାଡ଼ି ପରିବର୍ତ୍ତନ କରି ଅନ୍ୟମାନଙ୍କୁ ବର୍ଦ୍ଧିତ ଦାମରେ ବିଲ୍‌ଡରମାନଙ୍କୁ ବିକ୍ରି କରିଦିଆଯାଉଥିବା ଅଭିଯୋଗ ହେଉଛି। ବୀରମିତ୍ରପୁର ପରି ପାନପୋଷ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ବିଭାଗୀୟ ତଦନ୍ତ ହେଲେ ଅନେକ ବେଆଇନ କାମ ପଦାକୁ ଆସିପାରିନ୍ତା। ଅନ୍ୟପଟେ ସରକାର ପ୍ରତ୍ୟେକ ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ବର୍ଷକୁ ୩୦ /୩୫ କୋଟିରୁ ଅଧିକ ରାଜସ୍ବ ପାଉଛନ୍ତି। ହେଲେ ବର୍ଷ ବର୍ଷ ଧରି ପ୍ରତ୍ୟେକ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚାଲିଥିବା ବେଆଇନ କାର୍ଯ୍ୟକୁ ରୋକଯାଇପାରୁନି। ଆବଶ୍ୟକ କର୍ମଚାରୀ ମଧ୍ୟ ନିଯୁକ୍ତି କାରୁନାହାନ୍ତି। ଯାହାର ଭରପୁର ଫାଇଦା ଉଠାଉଛନ୍ତି ପଞ୍ଜୀକରଣ କରୁଥିବା ଅଧିକାରୀମାନେ।

Advertisment

ପାନପୋଷସ୍ଥ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ସରକାର ବର୍ଷକୁ ୩୫ କୋଟିରୁ ଅଧିକ ଟଙ୍କା ରାଜସ୍ବ ପାଉଛନ୍ତି। ମାସକୁ ପ୍ରାୟ ୨୦୦ରୁ ୨୫୦  ଜମି ରେଜିଷ୍ଟ୍ରସନ କରାଯାଉଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ରେ ୨୫୪୪ ଟି ରେଜିଷ୍ଟ୍ରସନ କରାଯାଇଛି। ଏ ବାବଦରେ ମୋଟ ୩୫ କୋଟି ୬୮ ଲକ୍ଷ ଆଦାୟ ହୋଇଛି।

ପାନପୋଷସ୍ଥ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ସରକାର ବର୍ଷକୁ ୩୫ କୋଟିରୁ ଅଧିକ ଟଙ୍କା ରାଜସ୍ବ ପାଉଛନ୍ତି। ମାସକୁ ପ୍ରାୟ ୨୦୦ରୁ ୨୫୦  ଜମି ରେଜିଷ୍ଟ୍ରସନ କରାଯାଉଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୨ରେ ୨୫୪୪ ଟି ରେଜିଷ୍ଟ୍ରସନ କରାଯାଇଛି। ଏ ବାବଦରେ ମୋଟ ୩୫ କୋଟି ୬୮ ଲକ୍ଷ ଆଦାୟ ହୋଇଛି। ୨୦୨୩ରେ ୨୭୯୪ଟି ପଞ୍ଜୀକରଣ ହୋଇଛି। ୩୪ କୋଟି  ୫୧ ଲକ୍ଷ ୩୬ ହଜାର ୪୬୫ ଟଙ୍କା ରାଜସ୍ବ ଆଦାୟ ହୋଇଛି। ୨୦୨୪ ଆଜି ସୁନ୍ଧା ମୋଟ ୨୬୮୨ଟି ପଞ୍ଜୀକରଣ ହୋଇଛି। ଏ ବାବଦରେ ସରକାର ୩୨ କୋଟି ୪୬ ଲକ୍ଷ ୬ ହଜାର ୪୮୩ ଟଙ୍କା ରାଜସ୍ବ ପାଇଛନ୍ତି। ଆୟରେ ରାଜ୍ୟରେ କେନ୍ଦୁଝର ପ୍ରଥମ ଓ ସୁନ୍ଦରଗଡ଼ ଦ୍ବିତୀୟ ସ୍ଥାନରେ ରହିଛି।

ଜିଲ୍ଲାର ବଣାଇ, ପାନପୋଷ, ବୀରମିତ୍ରପୁର, ରାଜଗାଙ୍ଗପୁର, ସୁନ୍ଦରଗଡ଼, ହେମଗିର ଓ ଲେଫ୍ରିପଡାରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ରହିଛି। ପାନପୋଷ ଓ ସୁନ୍ଦରଗଡ଼ ସବ୍‌ରେଜିଷ୍ଟ୍ରାରର ନିଜସ୍ବ କାର୍ଯ୍ୟାଳୟ ରହିଛି। ଅନ୍ୟ ୫ଟି ଭଡ଼ା ଓ ସରକାରୀ କାର୍ଯ୍ୟାଳୟ ବାରଣ୍ଡାରେ ଚାଲିଛି। ବୀରମିତ୍ରପୁର ପରି ଜିଲ୍ଲାର ସମସ୍ତ ସବ୍‌ରେଜିଷ୍ଟ୍ରାରେ ଚାଲିଥିବା ବେଆଇନ କାର୍ଯ୍ୟ ରୋକିବାକୁ ଜିଲ୍ଲାପାଳ ପଦକ୍ଷେପ ନେବା ଆବଶ୍ୟକତା ରହିଛି।