ନିର୍ବାଚନ ହାରିଯିବା ପରେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ସ୍ବୀକାରୋକ୍ତି: ଭୋଟ ରାଜନୀତିର ଅସଲ ପାଠ ଛାତ୍ରଙ୍କୁ ପଢ଼ାଇ ପାରି ନାହିଁ

ଭୋଟ ପେଡ଼ିର ପୁରୁଣା କଥା-୨୧ / ସ୍ବରାଜ ମିଶ୍ର

ଓଡ଼ିଶାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ରାଜନୀତି ବିଜ୍ଞାନର ବିଚକ୍ଷଣ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କର ଜ୍ଞାନ ତଥା ପାଠପଢ଼ାଇବାର ଶୈଳୀ ଯେ ଖୁବ୍‌ ଉଚ୍ଚକୋଟୀର ଏହା ତାଙ୍କ ପାଖରେ ପଢ଼ିଥିବା ଯେକେହି ଛାତ୍ରଛାତ୍ରୀ ନିଶ୍ଚୟ ସ୍ୱୀକାର କରିବେ। କିନ୍ତୁ ସେ ନିଜେ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା କାହାଣୀ’ରେ ଦେଇଛନ୍ତି ଏକ ଅଦ୍ଭୁତ ସ୍ୱୀକାରୋକ୍ତି – ‘‘ମୁଁ ଯେ ରାଜନୀତି ବିଜ୍ଞାନର ଅଧ୍ୟାପକରୂପେ ପ୍ରକୃତକଥା ଛାତ୍ରମାନଙ୍କୁ କହିନାହିଁ, ତାହା ସ୍ପଷ୍ଟ ଉପଲବ୍‌ଧି କଲି।’’ ୧୯୭୭ ଓଡ଼ିଶା ବିଧାନସଭା ନିର୍ବାଚନରେ ଲଢ଼ି ହାରିଯିବା ପରେ ଏହାଥିଲା ତାଙ୍କର ଉପଲବ୍‌ଧି।
ଶ୍ରୀରାମଚନ୍ଦ୍ର ଦାଶ ଜଣେ କୃତବିଦ୍ୟ ପ୍ରାଧ୍ୟାପକଓ ଜଣେ ଅସାଧାରଣ ଜ୍ଞାନୀ ମଣିଷ ହିସାବରେ ଓଡ଼ିଶାର ଘରେ ଘରେ ପରିଚିତ। ୧୯୧୮ ମସିହା ନଭେମ୍ବର ୧୭ ତାରିଖରେ ଅଳକା ନଈ କୂଳରେ ଅବସ୍ଥିତ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ର ବୀରନରସିଂହପୁର ଗ୍ରାମରେ ତାଙ୍କର ଜନ୍ମ। ଜଣେ କୃତୀ ଛାତ୍ର ହିସାବରେ ପିଲାଟି ଦିନରୁ ତାଙ୍କର ବହୁତ୍‌ ସୁନାମ। ମାତ୍ର ଅତିମାତ୍ରାରେ ସ୍ୱାଭିମାନୀ ହୋଇଥିବାରୁ ଏବଂ ଅପ୍ରିୟ ସତକଥା ମୁହେଁ ମୁହେଁ କହୁଥିବାରୁ ସେ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ବର ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ଥିବା ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ପଦବୀରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ତା’ପରେ ସେ ଓକିଲାତିରେ ମନୋନିବେଶ କରିଥିଲେ। ୧୯୭୭ ମସିହାରେ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହୃତ ହେବାପରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ପ୍ରଫେସର ଦାଶ ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ।
ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ
ତାଙ୍କଭଳି ଜଣେ ରାଜନୀତି ବିଜ୍ଞାନୀ ଓଡ଼ିଶା ରାଜନୀତିକୁ ଓହ୍ଲାଇବା ଏକ ସ୍ୱାଗତଯୋଗ୍ୟ ଘଟଣା ଥିଲା। ମାତ୍ର ସେ କୌଣସି ଜାତୀୟ ଦଳ ବା ନାମକରା ଆଞ୍ଚଳିକ ଦଳ ତରଫରୁ ନିର୍ବାଚନ ଲଢ଼ୁ ନଥିଲେ। ନିର୍ବାଚନ କମିଶନ ଦ୍ଵାରା ମାନ୍ୟତା ପାଇ ନଥିବା ଏକ ନୂଆ ଆଞ୍ଚଳିକ ଦଳ ‘ଉତ୍କଳ ଜନତା’ ପକ୍ଷରୁ ପ୍ରାର୍ଥୀ ହୋଇ ସେ ନିର୍ବାଚନ ଲଢ଼ିଥିଲେଏବଂ ତାଙ୍କର ନିର୍ବାଚନ ଚିହ୍ନ ଥିଲା ‘ହାତୀ’।
ପ୍ରଫେସର ଦାଶଙ୍କ ନିକଟରେ ନା ଥିଲା ଅର୍ଥବଳ ନା ଲୋକବଳ ! ସେ ମୁଖ୍ୟତଃ ନିଜର କିଛି ବିଶ୍ୱସ୍ତ ଛାତ୍ରଛାତ୍ରୀ ଓ ପରିବାର ବର୍ଗଙ୍କୁ ନେଇ ପ୍ରଚାର କାର୍ଯ୍ୟ ଚଳାଇଥିଲେ। ତାଙ୍କ ବାପା ହାଡ଼ିବନ୍ଧୁ ଦାଶ ତାଙ୍କ ନିର୍ବାଚନ ଲଢ଼ିବା ନେଇ ବେଶ୍‌ ଖୁସିଥିଲେ। ପ୍ରଫେସର ଦାଶଙ୍କ ଭାଷାରେ, ‘‘କେବଳ ତାଙ୍କୁ ଖୁସି କରିବା ଲାଗି ମୁଁ ୧୯୭୭ ନିର୍ବାଚନରେ ଆମ ଗାଁ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚନ ଲଢ଼ିଲି। ତାଙ୍କୁ ସେତେବେଳେ ୮୧ ବର୍ଷ। ସେ ବହୁ କଷ୍ଟ ସ୍ୱୀକାର କରି ଗାଁଗଣ୍ଡା ବୁଲି ମୋ ପାଇଁ ପ୍ରଚାର କରିଛନ୍ତି। ଗାଡ଼ିରେ ଯିବାକୁ ଡାକିଲେ ସେ ତାଙ୍କର ନିଜ ଢଙ୍ଗରେ ପାଦରେ ବୁଲି ପ୍ରଚାର କରିବେ ବୋଲି ସାଂଗରେ ଯାଉ ନଥିଲେ।’’
ଜଣେ ଜନପ୍ରିୟ ପ୍ରଫେସର ଓ ଓଜଃସ୍ୱିନୀ ବକ୍ତା ହିସାବରେ ସୁନାମ ଥିବାରୁ ତାଙ୍କ ନିର୍ବାଚନୀ ସଭାଗୁଡ଼ିକରେ ବେଶ୍‌ ଭିଡ଼ ଜମୁଥିଲା। ମାତ୍ର ସେତେବେଳେ ଜନତା ପାର୍ଟି ସପକ୍ଷରେ ସାରା ଦେଶରେ ନିର୍ବାଚନୀ ହାୱା ବହୁଥିବାରୁ ନିର୍ବାଚନ ଜିଣିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଏହି ନିର୍ବାଚନରେ ଜନତା ପାର୍ଟିର ଉମେଶ ସ୍ୱାଇଁ ୨୮,୭୩୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲାବେଳେ କଂଗ୍ରେସ ଦଳର ବାସୁଦେବ ମହାପାତ୍ର ୧୯୭୨୭ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ। ପ୍ରଫେସର ଦାଶ ମାତ୍ର ୨୪୫୮ ଖଣ୍ଡ ଭୋଟପାଇ ହାରିଯାଇଥିଲେ।
ଜୀବନରେ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ହାରିଯିବା ପରେ ପ୍ରଫେସର ଦାଶଙ୍କର ମନ୍ତବ୍ୟ ଥିଲା ଯେତିକି ମର୍ମସ୍ପର୍ଶୀ, ସେତିକି କରୁଣ। ‘‘ଭଲ ପାଠ ପଢ଼ୁଥିଲି ବୋଲି ମୋର ଖୁବ୍‌ ଆତ୍ମବିଶ୍ୱାସ ଥିଲା। ଭଲ ବକ୍ତୃତା ଦେଉଥିଲି ଓ ଲୋକଙ୍କୁ ପ୍ରଭାବିତ କରିପାରୁଥିଲି ବୋଲି ଭାବିଥିଲି ମୁଁ ଯେଉଁଥିରେ ହାତଦେବି ସେଥିରେ ସଫଳ ହେବି।… ମାତ୍ର ଏ ସବୁ ଯେ ମୋର ଭୁଲ ଧାରଣା ଥିଲା ତାହା ପ୍ରମାଣିତ ହୋଇଗଲା।’’
ଜଣେ ରାଜନୀତି ବିଜ୍ଞାନର ପ୍ରଫେସର ହିସାବରେ କିନ୍ତୁ ତାଙ୍କର ପରବର୍ତ୍ତୀ ମନ୍ତବ୍ୟଟି ଥିଲା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ‘‘ସମଗ୍ର ନିର୍ବାଚନମଣ୍ଡଳୀରେ ଗସ୍ତ କରିବାବେଳେ ଗୋଟିଏ କଥା ଜଣାପଡ଼ିଲା ଯେ ଭାରତରେ ପ୍ରକୃତରେ ନିର୍ବାଚନ ହେଉନାହିଁ। ବଜାରର ପଣ୍ୟ ଭଳି ଭୋଟ୍‌ କିଣାବିକା ହେଉଛି। … ଏହି ପ୍ରଚାର ବେଳେ ମୁଁ ଯେ ରାଜନୀତି ବିଜ୍ଞାନର ଅଧ୍ୟାପକରୂପେ ପ୍ରକୃତ କଥା ଛାତ୍ରମାନଙ୍କୁ କହିନାହିଁ ତାହା ସ୍ପଷ୍ଟ ଉପଲବ୍‌ଧି କଲି।’’
ସମ୍ବନ୍ଧିତ ଖବର