ରାଉରକେଲା: ଲମ୍ବା ଅପେକ୍ଷା ପରେ ଚକ୍ରଧରପୁର-ରାଉରକେଲା ୩୨୦ (ଡି) ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହୋଇଛି। ଝାଡ଼ଖଣ୍ଡ ପଟେ ଚକ୍ରଧରପୁରରୁ ଜରେଇକେଲା ପର୍ଯ୍ୟନ୍ତ କାମ ପୂର୍ବରୁ ​ସରିଥିବାବେଳେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲାରୁ ବନ୍ଧମୁଣ୍ଡା ଫୁଲବାରି ପର୍ଯ୍ୟନ୍ତ ୨୫.୪ କିମି ରାସ୍ତା ପାଇଁ ୧୭୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଛତିଶଗଡ଼ର ବିବି ବର୍ମା ଠିକାସଂସ୍ଥା ଜରେଇକେଲା ପଟୁ କାମ ଆରମ୍ଭ କରିଛି। ଆସନ୍ତା ଅକ୍ଟୋବର ୨୦୨୬ ସୁଦ୍ଧା କାମ ସା​ରିବାକୁ ଠିକାସଂସ୍ଥାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ନିର୍ମାଣ ପାଇଁ ଜରେଇକେଲାରେ ଦୋକାନ ଓ ବସ୍ତି ଉଚ୍ଛେଦ ହେବାପରେ ବିଶ୍ରା, ବନ୍ଧମୁଣ୍ଡାର ବ୍ୟବସାୟୀ ଓ ବସ୍ତିବାସିନ୍ଦାଙ୍କ ଚିନ୍ତା ବଢ଼ିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଶ୍ରା ଓ ବନ୍ଧମୁଣ୍ଡା ବାଇପାସ୍ ରାସ୍ତା କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠିଲେଖି ଉଚ୍ଛେଦ ପ୍ରକ୍ରିୟାକୁ ଆସନ୍ତା ୨୦ ନଭେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ସେମିତି ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଜାତୀୟ ରାଜପଥର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବନ୍ଧମୁଣ୍ଡା କୁକୁଡ଼ା ଗେଟ୍ ପରେ ଓ ବନ୍ଧମୁଣ୍ଡା ମଶାଣି ପୂର୍ବରୁ ଟୁ୍ଙ୍ଗିରପାଲି, ଗୁରୁରଝର, ନୂଆଟୋଲି, ରାଜୁବେଡ଼ା, କନରସୂଆଁ, ଅସୁରଛାପଲ, କାଟିନ୍ ଦେଇ ୧୪୩ ନଂ ଜାତୀୟ ରାଜପଥରେ ମିଶାଇବାକୁ ସେ ତାଙ୍କ ଚିଠିରେ ପ୍ରସ୍ତାବ ଦେଇଥିଲେ। ଏସବୁ ଭିତରେ ଜାତୀୟ ରାଜପଥ ନିର୍ମାଣ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଶେଷ ହେବ, ତାକୁ ନେଇ ଅଡ଼ୁଆରେ ପଡିଛନ୍ତି ଜାତୀୟ ରାଜପଥ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ। ଜାତୀୟ ରାଜପଥର ଅଧୀକ୍ଷଣଯନ୍ତ୍ରୀ ଆଲୋକ ନାୟକ କହିଛନ୍ତି ଜରେଇକେଲା ପଟୁ ଉଚ୍ଛେଦ ଚାଲିଛି। କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି। ବିଶ୍ରା ଓ ବନ୍ଧମୁଣ୍ଡାରେ ଜବରଦଖଲକାରୀ ଉଭୟ ରେବଳାଇ ଓ ସରକାରୀ ଜାଗା ଦଖଲରେ ଅଛନ୍ତି। ଅଳ୍ପ କିଛି ଜମି ଘରୋଇ ଲୋକଙ୍କ ଅଛି। ଏଥିପାଇଁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ଆମକୁ ବର୍ତ୍ତମାନ ସୁଦ୍ଧା ବିଶ୍ରା ଓ ବନ୍ଧମୁଣ୍ଡାରେ ବାଇପାସ୍ ରାସ୍ତା ନିର୍ମାଣ କରିବାକୁ କୌଣସି ସୂଚନା ଆସି ନାହିଁ। ଯେ ପର୍ଯ୍ୟନ୍ତ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସୂଚନା ନ ଆସିଛି, ସେପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଜାରି ରହିବ।
କେନ୍ଦ୍ର ପରିବହନ ମନ୍ତ୍ରୀ ଗତ ପ୍ରାୟ ୩ ବର୍ଷ ତଳେ ଝାଡ଼ଖଣ୍ଡର ଚକ୍ରଧପୁର-ରାଉରକେଲାକୁ ୩୨୦ (ଡି) ଜାତୀୟ ରାଜପଥ ଘୋଷଣା କରିଥିଲେ। ଘୋଷଣା କରିବା ପରେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇପାରୁ ନଥିଲା। ଅର୍ଥ ମଞ୍ଜୁରି ସତ୍ତ୍ବେ କାମ ଆରମ୍ଭ ହେଉ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା। ଶେଷରେ ନିର୍ମାଣ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଜରେଇକେଲାରୁ ରାଉରକେଲା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଛତିଶଗଡ଼ର ବିବି ବର୍ମା ଠିକାସଂସ୍ଥାକୁ କାମ ମିଳିଥିଲା। ତେବେ କାମ ଆରମ୍ଭରୁ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରାଯାଉଥିବାରୁ ଏହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବାନେଇ ଅନିଶ୍ଚିତତା ଦେଖାଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/20/Zd78eiEAEuj0EIrArXOu.jpeg)