ଭଦ୍ରକ: ଭଦ୍ରକ ଜିଲ୍ଲାରେ ବିଳମ୍ବରେ ଧାନ ମଣ୍ଡି ଖୋଲିବା ସହ ଚାଷୀମାନେ ଧାନ ବିକ୍ରୟ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ସହ ମଣ୍ଡିରେ ନାହିଁ ନ ଥିବା ଅସୁବିଧା ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନ ବସ୍ତା ଢାଳି ଧାରଣା ଦିଆଯାଇଛି | ଏନେଇ ସଂଗଠନ ପକ୍ଷରୁ ଦାବି କରାଯାଇଛି ଯେ ଦୀର୍ଘ ୮ ଦିନ ହେବ ମଣ୍ଡିରେ ଧାନ ପଡି ରହିଛି, ନା ମିଲର ଟ୍ରକ ପଠାଉଛି, ନା ଚାଷୀମାନେ ଧାନ ଠିକ ଭାବରେ ବିକ୍ରୟ କରି ପାରୁଛି |

Advertisment

ଚାଷୀମାନେ ଧାନ ଦେଇଥିଲେ ମଧ୍ୟ ୮ ଦିନ ହେବ ଟଙ୍କା ପାଇ ପାରିନାହାନ୍ତି | ସେପଟେ ଗତକାଲି ମିଲରମାନେ ମଣ୍ଡିରୁ ଧାନ ଆଉ ଉଠାଇବେ ନାହିଁ ବୋଲି କହିଥିଲେ, କିନ୍ତୁ ଚାଷୀମାନେ ଟୋକାନ ଲାପ୍ସ ହେବାକୁ ବସିଥିଲେ ମଧ୍ୟ ଧାନ ବିକ୍ରୟ କରି ପାରୁନାହାନ୍ତି | କାରଣ ମଣ୍ଡିରୁ ଧାନ ଉଠି ପାରୁନାହିଁ | ଏହି ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିଛି ସମସ୍ୟାର ସମାଧାନ କରିପାରିନାହିଁ | ଯାହା ଫଳରେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଚାଷୀ ଧାରଣାରେ ବସିଛି |

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯେପର୍ଯ୍ୟନ୍ତ ଧାନର କଟଣି, ଛଟଣୀ, ମଣ୍ଡିରେ ଧାନ ଉଠାଣ, ସମସ୍ତ ଚାଷୀର ଧାନ ବିକ୍ରୟ ସମସ୍ୟା ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି  ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଚେତାବନୀ ଦେଇଛନ୍ତି |