ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ‘ଛାୟା ଯୁଦ୍ଧ’ ଚାଲିଥିବା ବେଳେ ଭଣ୍ଡାରୀପୋଖରୀରେ ମୁହାଁମୁହିଁ ଲଢ଼େଇ

ଭୁବନେଶ୍ୱର (ସୁବ୍ରତ ଦାସ): ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବରିଷ୍ଠ ନେତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ବେଳେ ଏହା ଅନ୍ତର୍ଗତ ଭଣ୍ଡାରୀପୋଖରୀ ବିଧାନସଭା ଆସନରେ ବିଜୁ ଜନତା ଦଳ ଓ କଂଗ୍ରେସର ଦୁଇ ମହାରଥୀଙ୍କ ମଧ୍ୟରେ ଜୋର୍‌ଦାର ଲଢେଇ ହେଉଛି। ସେଥିପାଇଁ ଏଠାରେ ନିର୍ବାଚନୀ ବାତାବରଣ ବେଶ୍‌ ସରଗରମ ହୋଇଉଠିଛି।

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏଥର ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଆଦି ତିନି ପ୍ରମୁଖ ଦଳ ନୂଆ ପ୍ରାର୍ଥୀ ଦେଇଥିବା ବେଳେ ଏଠାରେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ‘ପ୍ରକ୍ସି ଓ୍ଵାର୍‌’ ବା ଛାୟା ଯୁଦ୍ଧ ହେଉଥିବାର ଲକ୍ଷ୍ୟ କରାଯାଉଛି।

ବିଜୁ ଜନତା ଦଳ ଏଠାକାର ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଟିକେଟ ନ ଦେଇ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳକୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ଏହି ଆସନରୁ ଗତ ଥର ଜିତିଥିବା ଅର୍ଜୁନ ସେଠୀଙ୍କ ପୁତ୍ର ଅଭିମନ୍ୟୁ ସେଠୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଲଢ଼ୁଛନ୍ତି। ପୂର୍ବତନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ପୁଅ ଅଭିମନ୍ୟୁ ସପକ୍ଷରେ ପ୍ରଚାର କରୁଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀଙ୍କ କନ୍ୟା ମଧୁସ୍ମିତା ସେଠୀ ଏଥର ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଠାରେ ପ୍ରାର୍ଥୀଙ୍କ ଭିତରେ ଘମାଘୋଟ ଲଢ଼େଇ ଚାଲିଥିବାର ଦେଖାଯାଇଛି।

୧୯୯୮ ମସିହାଠାରୁ ବିଜୁ ଜନତା ଦଳ ଏହି ଲୋକସଭା ଆସନ ଜିତି ଆସୁଛି। ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀ ୫.୦୨ ଲକ୍ଷ ଭୋଟ ପାଇ ବିଜୟୀ ହୋଇଥିଲେ। ପ୍ରାୟ ୧.୮ ଲକ୍ଷ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଏବଂ ତତ୍କାଳୀନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନାଙ୍କ ପୁତ୍ର ସଂଗ୍ରାମ କେଶରୀ ଜେନାଙ୍କୁ ହରାଇ ସେ ଏହି ଆସନ ଜିତିଥିଲେ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ଶରତ ଦାଶ ୨.୧୬ ଲକ୍ଷ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେବେ ଏହି ତିନି ଜଣ ଏଥର ନିର୍ବାଚନ ମଇଦାନରେ ନାହାନ୍ତି। ନୂଆ ମୁହଁ ଦେଇଥିବା ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଯାଇଛନ୍ତି। ତିନି ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତି ନିର୍ବାଚନୀ ବାତାବରଣକୁ ସରଗରମ କରି ରଖିଛି। ବିଶେଷତଃ ଭଣ୍ଡାରୀପୋଖରୀ ବିଧାନସଭା ଆସନରେ ଏଥର ବିଜୁ ଜନତା ଦଳର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଂରଜନ ପଟ୍ଟନାୟକଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେଉଛି। ମାତ୍ର ପ୍ରଚାର ଯୁଦ୍ଧରେ ନିରଂଜନ ଆଗରେ ରହିଥିବା ଦେଖିବାକୁ ମିଳୁଛି। ତେଣୁ ସମସ୍ତଙ୍କର ଦୃଷ୍ଟି ଏହି ଆସନ ଉପରେ ରହିଛି। ‘

ସେହିପରି ସିମୁଳିଆ ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ଚାଲିଛି। ବିଜୁ ଜନତା ଦଳ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କୁ କଡ଼ା ଟକ୍କର ଦେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ।

ଶାସକ ବିଜୁ ଜନତା ଦଳ ସୋରର ବିଧାୟକ ପର୍ଶୁରାମ ଧଡ଼ା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ଭଦ୍ରକ ବିଧାୟକ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ବଦଳାଇ ସଞ୍ଜିବ ମଲ୍ଲିକଙ୍କୁ ପ୍ରାର୍ଥୀ ରୂପେ ମଇଦାନକୁ ଆଣିଛି ।

ସେହିପରି ଧାମନଗରର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ଥାନରେ ଦଳ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି। ବାସୁଦେବପୁରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢ଼ୁନାହାନ୍ତି। ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ଏଥର ପ୍ରାର୍ଥୀ କରାଯାଇଛି। ବିଷ୍ଣୁବ୍ରତଙ୍କ ପାଇଁ ବିଜୟଶ୍ରୀ ପ୍ରଚାର କରୁଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଚାନ୍ଦବାଲିରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି। ପଡ଼ୋଶୀ ଧାମନଗରରେ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ବିଷ୍ଣୁଚରଣ ସେଠୀ। ଭଦ୍ରକରେ ପୁରୁଣା ପ୍ରାର୍ଥୀ
ପ୍ରଦୀପ ନାୟକ ଓ ଭଣ୍ଡାରୀପୋଖରୀରେ ବଦ୍ରିନାରାୟଣ ଧଳଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି। ବାସୁଦେବପୁରରେ ଗତଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାଧବାନନ୍ଦ ମଳ୍ଲିକ ଏଥର ବିଜେପି ଟିକଟରେ ଲଢୁଛନ୍ତି।

କଂଗ୍ରେସର ଦୁଇ ମହାରଥୀ ନିରଞ୍ଜନ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ଯଥାକ୍ରମେ ଭଣ୍ଡାରୀପୋଖରୀ ଓ ସିମୁଳିଆ ବିଧାନସଭା ଆସନରୁ ଲଢୁଥିବାରୁ ଏହାର ପ୍ରଭାବ ନିକଟବର୍ତ୍ତୀ ନିର୍ବାଚନମଣ୍ଡଳୀ ଉପରେ ମଧ୍ୟ ପଡ଼ୁଛି। ସୋରର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ କଂଗ୍ରେସକୁ ଫେରି ଆସି ପୁଣି ଥରେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ଆସନଗୁଡିକରେ ଦଳ ନୂଆ ପ୍ରାର୍ଥୀ ଦେଇଛି।

ଏହି ଦୃଷ୍ଟିରୁ ବିଚାର କଲେ ଭଦ୍ରକ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଏଥର ନୂଆ-ପୁରୁଣା ଲଢ଼େଇ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର