ଫୁଲବାଣୀ :କାଣିବାଲିଠୁ ଦିନାବାଲି ରାସ୍ତାର ଦୁରତା ୫ କିଲୋମିଟର। ଦୀର୍ଘବର୍ଷ ହେଲା ଏହି ରାସ୍ତାରେ ମୁଠାଏ ମାଟି ପଡି ନାହିଁ। ମରଣଯନ୍ତା ପାଲଟି ଥିବା ଏହି ରାସ୍ତାରେ ବାଇକ ଯିବା ଦୂରର କଥା। ଖାଲି ପାଦରେ ଯିବାକୁ ଡ଼ର ଲାଗୁଛି। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ବହୁବାର ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ହେଲେ କେହି ବି ଦୁଃଖ ନ ଶୁଣିବାରୁ ଆଜି ଅଞ୍ଚଳବାସୀ ଶ୍ରମଦାନ କରି ଉକ୍ତ ରାସ୍ତାର ଖାଲଢିପ ଜାଗାରେ ମାଟି ପକାଇଛନ୍ତି। ଏହି ରାସ୍ତା ଉପରେ ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଞ୍ଚାୟତର ୫ ଏବଂ ଫିରିଙ୍ଗିଆ ବ୍ଳକ କାସିନିପଦର ପଞ୍ଚାୟତର ୫ ଖଣ୍ଡ ଗ୍ରାମର ୫ହଜାର ଜନସାଧାରଣ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ହେଲେ ୨ ବ୍ଲକର ବିଡିଓ ରାସ୍ତା ନିର୍ମାଣ ଓ ମରାମତି ଦାବିକୁ ଅଣଦେଖା କରି ଚାଲିଛନ୍ତି। ଏ ନେଇ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ବହୁବାର କହିଛନ୍ତି। ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବାକୁ ଦାବି କରି ଆସିଛନ୍ତି। ଏମିତିକି ଅଭିଯୋଗ ଶୁଣାଣି ଶିବିରରେ ୨-୩ ଥର ଗୁହାରି କରିଛନ୍ତି। ଜିଲ୍ଲାପାଳ ରାସ୍ତା କାମ ହେବ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯିବ ବୋଲି କାଳେ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ପ୍ରତିଶ୍ରୁତି ସେମିତି ରହିଗଲା। ନାଁ ୨ ବ୍ଲକର ବିଡିଓ ନାଁ ଜିଲ୍ଲାପାଳ ଏହି ରାସ୍ତାର ନିର୍ମାଣ ଓ ମରାମତି ପାଇଁ ଆଉ ତତ୍ପରତା ଦେଖାଇଛନ୍ତି। ଏବେ ଉକ୍ତ ରାସ୍ତାରେ ମରଣଯନ୍ତା ପାଲଟିଥିବା ବେଳେ ବନ୍ଧୁବାନ୍ଧବ ବି କେହି ଗାଁକୁ ଆସୁ ନଥିବା କହନ୍ତି ଅଞ୍ଚଳବାସୀ। କାହାର ଦେହ ଖରାପ ହେଲେ ଆମ୍ବୁଲାନସ ବି ଆସିବାକୁ ଡରୁଛି ବୋଲି କହନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ପୂର୍ବତନ ୱାର୍ଡମେମ୍ବର ଭଂଜଦେବ କହଁର।
ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୫-୩୦ କିଲୋମିଟର ଦୁର ଗାଁର ମରଣଯନ୍ତା ପାଲଟିଥିବା ରାସ୍ତା ଯଦି ନିର୍ମାଣ ହୋଇ ନ ପାରୁଛି ତାହା ହେଲେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ରାସ୍ତାର ଅବସ୍ଥା କିଭଳି ଥିବା ତାହା ସହଜେ ଅନୁମେୟ। ଆଜି ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଅଞ୍ଚଳବାସୀ କୋଡି ଓ କୋଦାଳ ଧରି ମାଟି ପକାଇ ରାସ୍ତା ମରାମତି କରିଛନ୍ତି। ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଉ ଆଉ ରାସ୍ତା କାମ ଆରମ୍ଭ କରାଯାଉ। ନ ହେଲେ ଜାନୁଆରୀ ୨୬ ତାରିଖରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀ ଆମରଣ ଅନଶନରେ ବସିବୁ ବୋଲି ଗୁପ୍ତେଶ୍ବର କହଁର,ବିକ୍ରମ କହଁର,ଅମ୍ବୁଜ କହଁର,ନୀଳମାଧବ କର୍ଣ୍ଣ,ପିଙ୍କୁ ପ୍ରଧାନ,ଟୁନା ଚାଉଳିଆ,ନୀଳାମ୍ବର କହଁର,କପିଳାସ ପ୍ରଧାନ ପ୍ରମୁଖ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/plbdcm2-kanibali-dinabali-road.jpg)