କ୍ୟାବିନେଟ୍‌ ବୈଠକକୁ ବସ୍‌ରେ ଗଲେ ମନ୍ତ୍ରୀ, ଭାଇରାଲ୍‌ ହେଲା ଭିଡିଓ

ପୁଡୁଚେରୀ: ପୁଡୁଚେରୀର କୃଷି ମନ୍ତ୍ରୀ ଆର୍‌ କମଲକାନନ ଶୁକ୍ରବାର ‌କ୍ୟାବିନେଟ୍‌ ବୈଠକକୁ ଏକ ବସ୍‌ରେ ଯିବା କଥା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସମବାୟ ବିଭାଗ ପରିଚାଳିତ ଏକ ପେଟ୍ରୋଲ୍‌ ଟାଙ୍କି ତାଙ୍କ ସରକାରୀ ଗାଡ଼ିରେ ପେଟ୍ରୋଲ୍‌ ପକାଇବାକୁ ମନା କରିବା ପରେ କମଲକାନନ ବସ୍‌ ଯୋଗେ ଯାଇଥିବା ସୂଚନା ରହିଛି। ପାଞ୍ଚ ବର୍ଷ ତଳୁ ମନ୍ତ୍ରୀଙ୍କ ଅଫିସ୍‌ ଉପରେ ତେଲ ଯୋଗାଣ ବାବତ ବକେୟା ଟଙ୍କା ପୈଠ ହୋଇନଥିବା କାରଣରୁ ପେଟ୍ରୋଲ୍‌ ଟାଙ୍କି ପକ୍ଷରୁ ପେଟ୍ରୋଲ୍‌ ଦିଆଯାଇ ନଥିବା ଜାଣିବାକୁ ମିଳିଛି।

ମନ୍ତ୍ରୀ ବସ୍‌ରେ ଯାତ୍ରା କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ମନ୍ତ୍ରୀଙ୍କୁ ବସ୍‌ ଭିତରେ ଦେଖି ବସ୍‌ରେ ଥିବା ଅନ୍ୟ ଯାତ୍ରୀ ଓ କଣ୍ଡକ୍ଟର ବେଶ୍‌ ଆନନ୍ଦିତ ହୋଇଥିବା ନଜର ଆସିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜାନୁଆରି ୨ ତାରିଖରୁ ସୁପରମାର୍କେଟ ପରିଚାଳନା ପକ୍ଷରୁ ସରକାରୀ ବିଭାଗର  ଗାଡ଼ିଗୁଡ଼ିକୁ ପେଟ୍ରୋଲ୍‌ ଦେବା ବନ୍ଦ କରିବାକୁୁ କୁହାଯାଇଥିଲା। ସୂଚନା ରହିଛି କି ଗତ କିଛି ମାସ ଭିତରେ ସରକାରୀ ବିଭାଗମାନେ  ୨.୫ କୋଟି ଟଙ୍କାର ଅର୍ଥ ବାକି ପକାଇଛନ୍ତି।

ତେବେ, ବସ୍‌ରେ ଯାତ୍ରା କରିବା ନେଇ ମନ୍ତ୍ରୀ କମଲକାନନ କହିଛନ୍ତି, ‘କୌଣସି ମତେ ମୁଁ ବୈଠକରେ ଉପସ୍ଥିିତ ରହିବାକୁ ଚାହୁଁଥିଲି ଓ ସେଥିପାଇଁ ବସ୍‌ରେ ଯାତ୍ରା କରି ସେଠାରେ ପହଞ୍ଚିଲି।’

ସମ୍ବନ୍ଧିତ ଖବର