ନୂଆଦିଲ୍ଲୀ: ରଣଜୀ ଟ୍ରଫି ଗ୍ରୁପ୍ ସି ମ୍ୟାଚ୍ର ତୃତୀୟ ଦିନରେ ପଞ୍ଜାବ ଅଧିନାୟକ ତଥା ଓପନର୍ ଶୁଭମନ ଗିଲ୍ (୧୦୨) ଏକ ଚମତ୍କାର ଶତକ ସତ୍ତ୍ୱେ କର୍ଣ୍ଣାଟକ ବିପକ୍ଷରେ ତାଙ୍କ ଦଳକୁ ଇନିଂସ ପରାଜୟରୁ ବଞ୍ଚାଇ ପାରି ନଥିଲେ। ଗିଲ୍ ତାଙ୍କ ଦ୍ୱିତୀୟ ଦିନର ସ୍କୋର ୭ରେ ୯୫ ରନ୍ ଯୋଡ଼ି ୧୭୧ ବଲ୍ ରୁ ୧୦୨ ରନ୍ କରିଥିଲେ। ସେ ତାଙ୍କ ଇନିଂସରେ ୧୪ଟି ଚୌକା ଏବଂ ତିନୋଟି ଛକା ମାରିଥିଲେ। ସେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ୧୧୯ ବଲ୍ରେ ଏବଂ ପରବର୍ତ୍ତୀ ୫୦ ରନ୍ ମାତ୍ର ୪୦ ବଲ୍ରେ ହାସଲ କରିଥିଲେ। ପ୍ରଥମ ଇନିଂସରେ ୪୨୦ ରନ ପଛରେ ଥିବା ପଞ୍ଜାବ ପକ୍ଷରୁ ସେ ଆଉଟ ହୋଇଥିବା ଅଷ୍ଟମ ବ୍ୟାଟସମ୍ୟାନ ଥିଲେ।
ପ୍ରଥମ ଇନିଂସରେ ପଞ୍ଜାବର ୫୫ ରନର ଜବାବରେ, କର୍ଣ୍ଣାଟକ ୪୭୫ ରନ କରିଥିଲା, ଯେଉଁଥିରେ ଆର ସ୍ମରନ (୨୦୩)ଙ୍କ ଦ୍ୱିଶତକ ସହାୟତାରେ ବିଜୟୀ ହୋଇଥିଲା। ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୨୪ ରନ୍ ରୁ ଦିନର ଖେଳ ଆରମ୍ଭ କରିଥିବା ପଞ୍ଜାବ ୬୩.୪ ଓଭରରେ ୨୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। କର୍ଣ୍ଣାଟକ ପାଇଁ, ପେସର ଯଶୋବର୍ଦ୍ଧନ ପରନ୍ତପ ଏବଂ ଲେଗ୍-ସ୍ପିନର ଶ୍ରେୟସ ଗୋପାଳ ତିନୋଟି ଲେଖାଏଁ ୱିକେଟ ନେଇ ଦଳ ପାଇଁ ବୋନସ ପଏଣ୍ଟ ସମେତ ସାତ ପଏଣ୍ଟ ନିଶ୍ଚିତ କରିଥିଲେ। ଗିଲ୍ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆରେ ସମ୍ପ୍ରତି ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିପାରି ନଥିଲେ।
ଏହି ୨୫ ବର୍ଷୀୟ ଡାହାଣହାତୀ ବ୍ୟାଟସମ୍ୟାନ ତିନୋଟି ଟେଷ୍ଟ ମ୍ୟାଚ୍ ର ପାଞ୍ଚଟି ଇନିଂସରେ ୧୮.୬୦ ହାରରେ ମାତ୍ର ୯୩ ରନ କରିଥିଲେ ଏବଂ ତାଙ୍କର ସର୍ବାଧିକ ସ୍କୋର ୩୧ ଥିଲା।