ପୁରୀ ଲୋକସଭାରେ କଡା ମୁକାବିଲା; ବିଜେଡିକୁ ଯାଇପାରେ ୫ ବିଧାନସଭା ଆସନ, ୨ରେ ଫୁଟିପାରେ ପଦ୍ମ  

ଭୁବନେଶ୍ୱର: ଆସନ୍ତା ୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । କିନ୍ତୁ ଏହା ପୂର୍ବରୁ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ ଏକଜିଟ୍ ପୋଲ୍ କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ କାହାର ଜିତିବା ସମ୍ଭାବନା ଅଧିକ ରହିଛି ତାହା ଦର୍ଶାଯାଇଛି । ଏହିକ୍ରମରେ ପୁରୀ ଲୋକସଭା ଆସନରେ କିଏ ଜିତିବ ତାହାକୁ ନେଇ କନଫ୍ୟୁଜନ୍ ଦେଖିବାକୁ ମିଳିଛି । ପୁରୀରେ ୩ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ବୋଲି ଏହି ରିପୋର୍ଟରେ ସାମ୍ନାକୁ ଆସିଛି । ପୂର୍ବରୁ ସାଂସଦ ରହି ଆସିଥିବା ପିନାକୀଙ୍କୁ ଏହି ଆସନରେ କଡା ଟକ୍କର ଦେଉଛନ୍ତି ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଥିବା ବିଜେପିର ସମ୍ବିତ ପାତ୍ର ଓ କଂଗ୍ରେସର ସତ୍ୟ ନାୟକ । ଏହାଛଡା ପୁରୀ ଲୋକସଭା ଅଧୀନରେ ଆସୁଥିବା ୭ ବିଧାନସଭା ଆସନରେ ମଧ୍ୟ କିଏ ବାଜି ମାରିବ ତାହାକୁ ନେଇ ଏକଜିଟ୍ ପୋଲ୍ ରିପୋର୍ଟରେ ଉଲ୍ଲେଖ ରହିଛି ।

ପୁରୀରେ ପୁଣିଥରେ ଜିତିପାରେ ବିଜେଡି

ଜଗନ୍ନାଥ ଧାମ ପୁରୀରେ ପୁଣିଥରେ ଜିତିପାରେ ବିଜେଡି । ଲଗାତାର ଜିତିବା ସହ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଥିବା ବିଜେଡି ପୁଣିଥରେ ଏଠାରେ ବାଜିମାତ୍ କରିପାରେ ।

ବ୍ରହ୍ମଗିରିରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିପାରେ

ପୁରୀରେ ବିଜେଡି ଫ୍ରଣ୍ଟଫୁଟରେ ରହିଥିବା ବେଳେ ବ୍ରହ୍ମଗିରିରେ ବ୍ୟାକଫୁଟକୁ ଠେଲି ହୋଇଯାଇଛି । ବ୍ରହ୍ମଗିରିରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିପାରେ ବୋଲି ବୁଥ ବାହୁଡା ମତ ପରେ ସମ୍ଭାବନା ସୃଷ୍ଟି ହୋଇଛି । ବିଜେଡିର ହେଭିୱେଟ ସଞ୍ଜୟ ଦାସବର୍ମାଙ୍କୁ ମାତ୍ ଦେଇ ଲଳିତେନ୍ଦୁ ମହାପାତ୍ର ଏଠାରେ ଗେରୁଆ ବାନା ଉଡାଇପାରନ୍ତି ବୋଲି ଏକଜିଟ୍ ପୋଲ୍ ରିପୋର୍ଟରେ ସାମ୍ନାକୁ ଆସିଛି ।

ସତ୍ୟବାଦୀରେ ପ୍ରଥମ ଥର ପାଇଁ ଖାତା ଖୋଲିପାରେ ବିଜେଡି

ସତ୍ୟବାଦୀରେ ପ୍ରଥମ ଥର ପାଇଁ ଖାତା ଖୋଲିପାରେ ବିଜେଡି । ସ୍ୱାଧୀନ ପ୍ରାର୍ଥୀଙ୍କ ଦବଦବା ଦେଖିବାକୁ ମିଳୁଥିବା ସତ୍ୟବାଦୀରେ ଦୀର୍ଘ ୧୯ ବର୍ଷ ପରେ ବିଜୟ ସ୍ୱାଦ ଚାଖିପାରେ ବିଜେଡି। ଆଉ ବିଜେଡିର ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇପାରନ୍ତି  ଉମା ସାମନ୍ତରାୟ । ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ୍ ରିପୋର୍ଟରେ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି ।

ପିପିଲି ଆସନରେ ପୁଣିଥରେ ପ୍ରଦୀପଙ୍କ ପରାକ୍ରମ ଦେଖିବାକୁ ମିଳିପାରେ

ଚର୍ଚ୍ଚାରେ ରହିଥିବା ପିପିଲି ଆସନରେ ପୁଣିଥରେ ପ୍ରଦୀପଙ୍କ ପରାକ୍ରମ ଦେଖିବାକୁ ମିଳିପାରେ। ବିଜେଡିର ଏହି ଗଡକୁ ବିରୋଧୀଙ୍କ କବଳରୁ ପୁଣିଥରେ ସୁରକ୍ଷିତ ରଖିପାରନ୍ତି ପ୍ରଦୀପ ମହାରଥୀ ।

ପାଣିରେ ପୁଣିଥରେ ଫୁଟିପାରେ ପଦ୍ମ

ସେହିଭଳି ଚିଲିକା ପାଣିରେ ପୁଣିଥରେ ଫୁଟିପାରେ ପଦ୍ମ । ୨୦୧୪ ଫଳାଫଳର ପୁନରାବୃତ୍ତି ପୁଣିଥରେ ୨୦୧୯ରେ ଦେଖିବାକୁ ମିଳିପାରେ ।

ରଣପୁରରେ ଉଡିପାରେ ବିଜେଡି ବାନା

ରଣପୁରରେ ଉଡିପାରେ ବିଜେଡି ବାନା । ପୂର୍ବ ଇତିହାସର ରିପିଟ୍ ପୁଣିଥରେ ଦେଖିବାକୁ ମିଳିପାରେ ।

ନୟା‘ଗଡ’କୁ ପୁଣିଥରେ ଦଖଲରେ ନେଇପାରେ ବିଜେଡି

ଅନ୍ୟପଟେ ନୟା‘ଗଡ’କୁ ପୁଣିଥରେ ଦଖଲରେ ନେଇପାରେ ବିଜେଡି । ହେଭିୱେଟ ଅରୁଣ ଏହି ଆସନରେ ପୁଣିଥରେ ମାରିପାରନ୍ତି ବାଜି । ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ୍ ରିପୋର୍ଟରେ ଏଭଳି ସମ୍ଭାବନା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର