ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ପ୍ରତିବର୍ଷ ତିନିଟି ନୂଆ ରଥ ତିଆରି ହୁଏ । କିନ୍ତୁ ‘ନୀଳାଦ୍ରିବିଜେ’ରେ ଠାକୁରମାନେ ରତ୍ନବେଦିକୁ ବାହୁଡ଼ିଯିବା ପରେ ସେହି ରଥ ଆଉ ପରବର୍ଷର ରଥଯାତ୍ରାରେ ଲାଗେ ନାହିଁ । ମାତ୍ର ନଅଦିନର ଯାତ୍ରାକୁ ମିଶାଇ ୧୨-୧୩ ଦିନପାଇଁ ପ୍ରତିଥର ନୂଆ ରଥ ଚଢ଼ୁଥିବା ଏପରି ଠାକୁର ବୋଧହୁଏ ଜଗତରେ ଆଉ କେଉଁଠି ନାହାନ୍ତି ।

Advertisment

ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ୧୯୮୩ରେ ପ୍ରସ୍ତୁତ ‘ପୁରୀ ରଥ ସଂହିତା’ (ଦି ପୁରୀ କାର୍‍ ଫେଷ୍ଟିଭାଲ୍‍ କୋଡ଼୍‍) ଅନୁସାରେ, ପ୍ରତିବର୍ଷ ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡ ତିନିରଥର ନିର୍ମାଣ ପାଇଁ ଆବଶ୍ୟକ ପରିମାଣର କାଠ ଯୋଗାଇ ଥାଆନ୍ତି । ରଥର ତୁମ୍ବ, ଦଣ୍ଡା ଓ ଅଖ, ପହି, ଅରମୁଣ୍ଡି ଓ ଗୟଳ ଆଦିର ନିର୍ମାଣ ପାଇଁ ପ୍ରାୟ ୮୬୨ ଖଣ୍ଡ କାଠଗଡ଼ ଲାଗିଥାଏ । ଏଥିରୁ ତୁମ୍ବ ପାଇଁ ୯ ଫୁଟ ଲମ୍ବା ଓ ୬ ଫୁଟ ମୋଟେଇର ୨୨ ଖଣ୍ଡ, ଦଣ୍ଡା ଓ ଅଖ ପାଇଁ ୪୦ ଫୁଟ ଲମ୍ବା ଓ ୩ ଫୁଟ ମୋଟେଇର ୫୦ ଖଣ୍ଡ, ପହି ପାଇଁ ୧୨ ଫୁଟ ଲମ୍ବା ଓ ୬ ଫୁଟ ମୋଟେଇର ୫୦ ଖଣ୍ଡ, ଅରମୁଣ୍ଡି ପାଇଁ ୧୨ ଫୁଟ ଲମ୍ବା ଓ ୩ ଫୁଟ ମୋଟେଇର ୪୬୮ ଖଣ୍ଡ ଏବଂ ଗୟଳ ପାଇଁ ୪୦ ଫୁଟ ଲମ୍ବା ଓ ୩ ଫୁଟ ମୋଟେଇର ୨୭୨ ଖଣ୍ଡ କାଠଗଡ଼ ଲାଗେ । ଏହା ବ୍ୟତୀତ ରଥର ପଟା ଓ ବହ୍ଲା ଆଦି ପାଇଁ ୨୭୪ ଖଣ୍ଡ କଞ୍ଚା କାଠଗଡ଼ ଲାଗିଥାଏ । ସେଥିରେ କଂସା, ଶିମିଳି, ପାଳଧୁଆ, ମହାନିମ୍ବ, ଗମ୍ଭାରି, ମଇ, କଦମ୍ବ, କଳଚୁଆ ଓ ଦେବଦାରୁ କାଠ ରହିଥାଏ । ଏହିପରି ଭାବରେ ମୋଟ ୧୧୩୬ ଖଣ୍ଡ କାଠଗଡ଼ ତିନିରଥର ନିର୍ମାଣପାଇଁ ଆବଶ୍ୟକ ହେଉଥିବା ବେଳେ, ଅଧିକ କେତେଖଣ୍ଡ କାଠଗଡ଼ ଆସିଥାଏ । ଏଥିରୁ କାଠ ଓ ପଟା ପ୍ରସ୍ତୁତ କରାଯାଇ ତାଳଧ୍ୱଜ ରଥରେ ୭୩୧ ଖଣ୍ଡ, ଦେବଦଳନ ରଥରେ ୭୧୧ ଖଣ୍ଡ ଓ ନନ୍ଦିଘୋଷ ରଥଷର ୭୪୨ ଖଣ୍ଡ, ଏହିପରି ମୋଟ ୨୧୮୪ ଖଣ୍ଡ କାଠ ବ୍ୟବହାର କରାଯାଏ। ଏସବୁର ମୋଟ ପରିମାଣ ପ୍ରାୟ ୧୩,୦୦୦ ଘନଫୁଟ ।

publive-image

ଏଣୁ ପ୍ରଶ୍ନ ଉଠେ, ରଥଯାତ୍ରା ସରିଯିବା ପରେ, ଏହି ତିନିରଥ ଯାଏ କୁଆଡ଼େ? ଏହି ବିପୁଳ ପରିମାଣର ରଥକାଠ ହୁଏ କ’ଣ?

ଏ ସଂପର୍କରେ ଜଣାଯାଏ ଯେ ରଥଯାତ୍ରା ପରେ ଏହି ରଥ ପୁଣିଥରେ ବ୍ୟବହାର ହେବାର ବିଧି ନଥିବାରୁ, ରଥଗୁଡ଼ିକୁ ଭାଙ୍ଗି ଦିଆଯାଏ । କେବଳ ନବକଳେବର ବର୍ଷରେ ତିଆରି ହୋଇ ଆଉ ଗୋଟିଏ ନବକଳେବର ପର୍ଯ୍ୟନ୍ତ ରହୁଥିବା ସାରଥି, ଘୋଡ଼ା, ପାଶ୍ୱର୍ଦେବଦେବୀ, ଓଲଟଶୁଆ, ରଥର ଠେଲାବାଡ଼ ଓ ବ୍ରେକ୍‍ ଆଦିକୁ ପରବର୍ତ୍ତୀ ରଥଯାତ୍ରା ପାଇଁ ସାଇତି ରଖାଯାଏ ।

ଅଧିକ ଅନୁଧ୍ୟାନରୁ ଜଣାଯାଏ ଯେ ଏହି ତିନିରଥ ମଧ୍ୟରୁ ପ୍ରଥମେ ଭଙ୍ଗାଯାଏ ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ ରଥକୁ । ତା’ପରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ‘ତାଳଧ୍ୱଜ’ ଭଙ୍ଗାଯାଏ । ତେବେ ଏହି ରଥଭଙ୍ଗାପାଇଁ ସ୍ୱତନ୍ତ୍ର ବିଧି କିଛି ନାହିଁ । ବାହୁଡ଼ାଯାତ୍ରାରେ ଫେରି ନୀଳାଦ୍ରିବିଜେ ପର୍ଯ୍ୟନ୍ତ ତିନି ରଥ ବଡ଼ଦାଣ୍ଡକୁ ପ୍ରାୟ ଅବରୋଧ କରି ଗୋଟିଏ ଧାଡ଼ିରେ ରହିଥାଆନ୍ତି । ତେଣୁ ଗମନାଗମନର ସୁବିଧାପାଇଁ ପ୍ରଥମେ ମଝିରେ ଥିବା ଦେବଦଳନ ରଥକୁ ଭଙ୍ଗାଯାଇଥାଏ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳେ।

publive-image

ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ମିଳୁଥିବା ଅନ୍ୟ ସୂଚନାରୁ ଜଣଯାଏ ଯେ ବିଗତ କିଛି ବର୍ଷ ଧରି ତିନି ରଥର ଚକ, ପ୍ରଭା, ଗୁଜ ଓ ଅସୁଆରୀ ପରି ଚାରିଟି ଅଙ୍ଗକୁ ସାଇତି ରଖାଯାଇ ବିଭିନ୍ନ ଦେବପୀଠକୁ ଦାନସୂତ୍ରରେ ବା ବ୍ୟକ୍ତିବିଶେଷଙ୍କୁ ବିକ୍ରି ସୂତ୍ରରେ ପ୍ରଦାନ କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ୱେବ୍‍ସାଇଟ୍‍ରେ ସ୍ୱତନ୍ତ୍ର ବିଜ୍ଞପ୍ତି ଦିଆଯାଇଛି ।

ତେବେ, ଏସବୁ ବ୍ୟତୀତ, ରଥଭଙ୍ଗାରୁ ପ୍ରତିବର୍ଷ ବାହାରୁଥିବା ବିପୁଳ ପରିମାଣର ରଥକାଠ ହୁଏ କ’ଣ? ରଥଯାତ୍ରା ଅବସରରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଗୋଟିଏ ଘରୋଇ ଟେଲିଭିଜନ୍‍ ଚ୍ୟାନେଲ୍‍କୁ ଦେଇଥିବା ଏକ ସାକ୍ଷାତ୍‍କାରରୁ ଏହାର ଉତ୍ତର ମିଳେ । ସେହି ସାକ୍ଷାତ୍‍କାରରେ ଗଜପତି ମହାରାଜା କହିଛନ୍ତି- ଯେଉଁ ତିନିଟି ରଥ ପ୍ରତିବର୍ଷ ନୂତନ ଭାବରେ ନିର୍ମାଣ ହେଉଛନ୍ତି, ନୀଳାଦ୍ରିବିଜେ ପରେ ସେହି ତିନି ରଥର କାଠ ଯାଏ ମହାପ୍ରଭୁଙ୍କ ରୋଷଘରକୁ । ସାରାବର୍ଷ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିପାଇଁ ଯେତେ ଜାଳେଣି କାଠ ପ୍ରୟୋଜନ ହୁଏ, ତାହାର ପ୍ରାୟ ୭୫ ଭାଗ ଏହି ରଥକାଠ ମେଣ୍ଟାଇଥାଏ ।

ସେହିପରି, ପ୍ରତିବର୍ଷ ନୂଆ ରଥର ନିର୍ମାଣ ନ କରାଯାଇ, ତିନି ରଥର ପୁନର୍ବ୍ୟବହାର ପ୍ରସଙ୍ଗରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସେହି ସାକ୍ଷାତ୍‍କାରରେ ସେ କହିଛନ୍ତି- ଶ୍ରୀଜଗନ୍ନାଥ ହେଉଛନ୍ତି ମହାପ୍ରଭୁ । ସମଗ୍ର ବିଶ୍ୱର ମହାପ୍ରଭୁ । ଆପଣ ଯେପରି ଆପଣଙ୍କର ଜନ୍ମଦିନରେ ନୂଆ ପୋଷାକ ପିନ୍ଧନ୍ତି, ସେହିପରି ଆମେ କ’ଣ ଆମର ଏ ମହାପ୍ରଭୁଙ୍କୁ ଏ ମହାନ୍‍ ଯାତ୍ରାରେ ପ୍ରତିବର୍ଷ ନୂଆ ରଥରେ ବସାଇ ନେଇପାରିବା ନାହିଁ?

publive-image

ଏ ପ୍ରସଙ୍ଗରେ, ସେ ଆହୁରି ମଧ୍ୟ କହିଛନ୍ତି- ଯଦି ମହାପ୍ରଭୁ ଆମ ଜୀବନର, ଆମ ରାଷ୍ଟ୍ରର ମୁଖ୍ୟ, ତେବେ ରଥପାଇଁ କାଠର ଅଭାବ ହେବ କାହିଁକି? ଏ ଭାବନାକୁ ନେଇ ଆମେ କ’ଣ ଆମ ମହାପ୍ରଭୁଙ୍କ ପାଇଁ ସୁନ୍ଦର ଭାବରେ ଜଙ୍ଗଲ ସୃଷ୍ଟି କରିପାରିବା ନାହିଁ? ଏଣୁ ରଥକାଠର ଅଭାବକୁ ଦୃଷ୍ଟିରେ ରଖି ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୧୦ / ୧୫ ବର୍ଷ ପୂର୍ବେ ‘ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ’ ଆରମ୍ଭ କରାଯାଇଥିଲା । ସେଥିରେ ମହାପ୍ରଭୁଙ୍କ ରଥନିର୍ମାଣପାଇଁ ଆବଶ୍ୟକ ହେଉଥିବା କାଠର ଅଭାବ ପୂରଣପାଇଁ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଜନସାଧାରଣଙ୍କୁ ମଧ୍ୟ ସଂପୃକ୍ତ କରାଯାଇଥିଲା । ଏହାଦ୍ୱାରା ମହାପ୍ରଭୁଙ୍କ ଆବଶ୍ୟକତା ଓ ଆମ ପରିବେଶର ଆବଶ୍ୟକତାର ସହଜ ସମାଧାନ ହୋଇପାରିଥାନ୍ତା । ପୂର୍ବେ ଗଡ଼ଜାତ ରାଜାମାନେ ଏହାକୁ ଦୃଷ୍ଟିରେ ରଖି ନିଜ ନିଜ ରାଜ୍ୟରେ ବନର ବିକାଶ କରୁଥିଲେ । ଆଜିର ଗଣତନ୍ତ୍ରରେ ଏ ଦାୟିତ୍ୱ ଜନସାଧାରଣଙ୍କର। ସଂପୃକ୍ତ ବନଖଣ୍ଡ ଅଧିକାରୀମାନେ ଏ ଦିଗରେ ସଜାଗ ରହିଲେ ମହାପ୍ରଭୁଙ୍କ ପାଇଁ ରଥକାଠର ଆଉ ଅଭାବ ରହିବ ନାହିଁ ।