ମାଲକାନଗିରି: ମାଲକାନଗିରି ସହରର ଇଣ୍ଡେନ ଗ୍ୟାସ ଡିପୋ ନିକଟରେ ଥିବା ଏକ ଟ୍ରକ୍ ଭିତରୁ ବିରାଟ ଅଜଗର ଉଦ୍ଧାର ହୋଇଛି। ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ସହର ଭିତରେ ପଶି ଆସୁଛନ୍ତି ଅଜଗର। ସ୍ଥାନୀୟ ଲୋକେ ଅଜଗରକୁ ଦେଖି ଭୟଭୀତ ହୋଇଯାଇଥିଲେ। ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବି.ବିଭୁତି ଭୂଷଣ ଓ ଶରତ ନାୟକ ଘଟଣାସ୍ଥଳରେ ପହଂଚି ଅଜଗରକୁ ଉଦ୍ଧାର କରିଥିଲେ। ପରେ ବନବିଭାଗକୁ ହସ୍ତାନ୍ତର କରିଥିଲେ।

Advertisment

ସେହିପରି ଏମଭି ୪୩ ଗ୍ରାମରୁ ଗୋଟିଏ ଏବଂ ମାଲକାନଗିରି ସହର ଭିତରୁ ଗୋଟିଏ ନାଗସାପ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବନବିଭାଗ ପକ୍ଷରୁ ସମସ୍ତ ସାପଗୁଡ଼ିକର ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରେଇବା ପରେ ନିକଟସ୍ଥ ଜଙ୍ଗଲରେ ସାପ ୩ଟିକୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଅଜଗର ସାପଟିର ଓଜନ ୧୦ ରୁ ୧୨ କିଲୋ ଭିତରେ ଥିବାବେଳେ ୯ ଫୁଟ ଲମ୍ବା ରହିଛି।ଡିଏଫଓ ପ୍ରତାପ କତ୍ତାପାଲି ଏବଂ ଏସିଏଫ ମୁନଶୁନ ଖେମୁଡ଼ୁଙ୍କ ଉପସ୍ଥିତିରେ ସାପଗୁଡ଼ିକକୁ ଜଙ୍ଗଲରେ ଛଡ଼ା ଯାଇଥିବା ଜଣାପଡିଛି।

ପ୍ରତିବର୍ଷ ବର୍ଷା ଦିନେ ଅଜଗର ଖାଦ୍ୟ ଅନ୍ୱେଷଣରେ ଗାଁ ଓ ସହର ମୁହାଁ ହୋଇଥାନ୍ତି। ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ଜାଗାରୁ ଅଜଗର ପଶି କୁକୁଡ଼ା ଖାଇବାର ନଜିର ରହିଛି। ଆଜି ସୁଦ୍ଧା ୧୦୦ରୁ ଉର୍ଦ୍ଧ୍ବ ଅଜଗର ଗାଁ ଓ ସହର ମୁହାଁ ହୋଇସାରିଲେଣି। କିନ୍ତୁ କୌଣସି ଲୋକଙ୍କ ଉପରେ ଆକ୍ରମଣ କରିଥିବା ନଜିର ନାହିଁ। ତେବେ ବିଭିନ୍ନ ସମୟରେ ଛୋଟ ଛୋଟ ପିଲାଙ୍କୁ ନେଇ ଲୋକେ ଭୟଭୀତ ରହିଥାନ୍ତି।