ଆଇପିଏଲ୍‌ ୧୧: ଫାଇନାଲ୍‌କୁ ପ୍ରବେଶ ପାଇଁ ହାଇଦ୍ରାବାଦ୍‌-କୋଲକାତା ମଧ୍ୟରେ ଆସନ୍ତାକାଲି ହେବ କଡ଼ା ମୁକାବିଲା

କୋଲକାତା: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌ ୧୧ର ୨ୟ କ୍ୱାଲିଫାୟର ମେ’ ମାସ ୨୫ ତାରିଖ ସନ୍ଧ୍ୟା ୭ଟାରେ ମୁକାବିଲା ହେବ। ଗ୍ରୁପ ଶ୍ରେଣୀରେ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଥିବା ହାଇଦ୍ରାବାଦ୍‌କୁ କୋଲକାତା ବିପକ୍ଷରେ ନିଜର ସର୍ବଶ୍ରେଷ୍ଠ ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ। ଯେଉଁ ଟିମ୍‌ ଶୁକ୍ରବାର ବିଜୟୀ ହେବ, ମୁମ୍ବାଇରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ରବିବାର ଫାଇନାଲ୍‌ ମ୍ୟାଚ୍‌ରେ ଭେଟିବ।

ହାଇଦ୍ରାବାଦ୍‌ ଗ୍ରୁପ ମ୍ୟାଚ୍‌ରେ ୧୪ଟି ମ୍ୟାଚ୍‌ ପରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। କିନ୍ତୁ ଶେଷ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା, ଯେଉଁଥିରେ କୋଲକାତା ବିପକ୍ଷରେ କ୍ୱାଲିଫାୟାର-୧ ମଧ୍ୟ ସାମିଲ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ୨ ଓ୍ଵିକେଟ୍‌ରେ କୋଲକାତା ଠାରୁ ପରାସ୍ତ ହୋଇଥିଲା।

 

ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ କୋଲକାତା ନାଇଟ୍‌ ରାଇଡର୍ସ ଗତ ୪ଟି ମ୍ୟାଚ୍‌ରେ କ୍ରମାଗତ ଭାବରେ ବିଜୟୀ ହୋଇଛି। କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲସ୍‌ ବିରୋଧରେ ବୁଧବାର ୨୫ ରନ୍‌ରେ ବିଜୟୀ ହୋଇଛି। ମୁମ୍ବାଇ ଠାରୁ ୧୦୨ ରନ୍‌ରେ ପରାସ୍ତ ହେବା ପରେ କୋଲକାତା ନିଜର ଭୁଲ ସଂଶୋଧନ କରିଥିଲା। ଇଡେନ୍‌ ଗାର୍ଡେନରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ୫୧ ରନ୍‌ରେ ୪ଟି ଓ୍ଵିକେଟ୍‌ ହରାଇ ଥିଲା। ଏଭଳି ପରିସ୍ଥିତିରେ ଆନ୍ଦ୍ରେ ରସେଲ ୨୫ ଟି ବଲ ଖେଳି ୪୯ ରନ୍‌ ସଂଗ୍ରହ କରିବା ସହିତ ଟିମ୍‌କୁ ମଜବୁତ୍‌ ସ୍ତରରେ ପହଞ୍ଚାଇ ଥିଲେ।

ଅନ୍ୟପକ୍ଷରେ ହାଇଦ୍ରାବାଦ୍‌ର ବୋଲିଂ ଶୈଳୀ ଉଚ୍ଚକୋଟୀର ହୋଇପାରିଛି। ଟିମ୍‌ ପାଖରେ ଅଭିଜ୍ଞ ବୋଲର ଅଛନ୍ତି। ଚେନ୍ନାଇ ବିପକ୍ଷରେ ସନ୍‌ରାଇଜର୍ସର ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କାଉଲ ଓ ରସିଦ୍‌ ଖାଁ ଉନ୍ନତ ପ୍ରଦର୍ଶନ କରିଥିଲେ। ରସିଦ୍‌ ଏକ ମ୍ୟାଚ୍‌ରେ ୪ ଓଭର ବୋଲିଂ କରି ମାତ୍ର ୧୧ ରନ୍‌ ଖର୍ଚ୍ଚ କରି ଥିଲେ। ଏଥି ପାଇଁ କୋଲକାତାର ଖେଳାଳିଙ୍କୁ ସତର୍କତା ଅବଳମ୍ବନ କରିବାକୁ ପଡ଼ିବ। ବେଟିଂ ଦେଖିବାକୁ ଗଲେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ଟିମ୍‌କୁ ସମ୍ଭାଳି ପାରିବାର ସାହସ ରଖିଛନ୍ତି। ସେ ଏପର୍ଯ୍ୟନ୍ତ ୧୫ ଟି ମ୍ୟାଚ୍‌ ଖେଳି ୬୮୫ ରନ୍‌ ସଂଗ୍ରହ କରି ସାରିଛନ୍ତି।

ସମ୍ବନ୍ଧିତ ଖବର