କଟକ: ଯିଏ ଖାଇଛି, ସିଏ ଜାଣିଛି-ଯିଏ ଦହିପାଣି ପିଇଛି-ସିଏ ଏବେ ଝୁରୁଛି | କାରଣ ଦହିବରାକୁ ଭଲ ପାଉଥିବା ପ୍ରତିଟି କଟକିଆଙ୍କ ପ୍ରିୟର ମଣିଷ ରଘୁ ମଉସା ଆଜି ଚାଲିଯାଇଛନ୍ତି | ଦହିବରା ସହ ଜଡିତ ଏମିତି ଜଣେ ମଣିଷ ଯାହାଙ୍କ ହାତ ତିଆରି ଦହିବରା-ଆଳୁଦମ ଅନେକଙ୍କୁ ତାଙ୍କ କୁନି ଦୋକାନ ଆଡକୁ ଟାଣି ଆଣିଛି | ସ୍ୱାଦର ଖିଆଲୀ ମଣିଷଙ୍କ ପାଇଁ ରଘୁ ମଉସା କେବଳ ଜଣେ ମଣିଷ ନଥିଲେ ବରଂ ଥିଲେ ଜଣେ ଇମୋସନ | ଆଜି ୯୧ ବର୍ଷ ବୟସରେ ରଘୁ ମଉସା ଚାଲିଯାଇଛନ୍ତି |
ରଘୁ ମଉସାଙ୍କ ପୁରା ନାମ ରଘୁନାଥ ସାସମଲ | ସକାଳ ହେଉ ହେଉ କଟକ ବିଡାନାସୀରେ ରଘୁ ମଉସାଙ୍କ ଦହିବରା-ଆଳୁଦମର ଆସର ଜମେ | ଦହିପାଣିରୁ ଦହିବରା ଚିପୁଡ଼ି, ଶାଳପତ୍ର ଦନାରେ ଯେତେବେଳେ ସେ ବାଢିଦିଅନ୍ତି ତା ଉପରେ ପରସ୍ତେ ଆଳୁ ଝୋଳ ଓ କଟା ପିଆଜ ପକାଇ ଅଳ୍ପ ହସି ଲୋକଙ୍କ ହାତକୁ ବଢ଼ାଇଦିଅନ୍ତି | ଦହିବରାର ସ୍ୱାଦ ଯେତିକି ଲୋକଙ୍କ ପେଟକୁ ଶାନ୍ତି ଦିଏ, ରଘୁ ମଉସାଙ୍କ ହସ ଖାଉଟିଆଙ୍କ ମନ କିଣିନିଏ |
ରଘୁଙ୍କୁ ପନ୍ଦର ବର୍ଷ ହେଲାବେଳଠୁ, ସେ ଦହିବରା ବେପାର କରିଆସୁଛନ୍ତି । କୁହାଯାଏ ୧୯୫୦ ମସିହାରୁ ଦହିବରା ବେପାରକୁ ଆପଣାଇଥିଲେ ରଘୁ | ଘରେ ଦହିବରା ପ୍ରସ୍ତୁତ କରିବା ସହ ନିଆରା ସ୍ୱାଦ ରଘୁଙ୍କୁ କଟକିଆଙ୍କ ମଧ୍ୟରେ ବେଶ ପରିଚୟ ଦେଇଥିଲା | କେବଳ କଟକିଆ ନୁହନ୍ତି ବରଂ ଯିଏ ତାଙ୍କ ହାତ ତିଆରି ଦହିବରା-ଆଳୁଦମ ଖାଇଛି ସିଏ ସବୁବେଳେ ଆଉ କେବେ ଖାଇବ ତାହାକୁ ଅନାଇ ବସିଥାଏ | ବିଡ଼ାନାସୀ ଛକରେ ରଘୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଁଚୁଥିଲେ । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହୁଥିଲେ । ପୂର୍ବରୁ ଏକୁଟିଆ ଦହିବରା ନେଇ ଆସୁଥିବା ରଘୁଙ୍କର ବୟସ ଯେତେବେଳେ ବଢିଚାଲିଲା, ପୁଅକୁ ସାଥିରେ ନେଇ ରଘୁ ଆସିଲେ | ଲୋକଙ୍କୁ ବାଢିକି ଦେବାରେ ଯେଉଁ ଆନନ୍ଦ ରଘୁଙ୍କର ଥାଏ, ବେପାରୀ-ଗ୍ରାହକର ସମ୍ପର୍କକୁ ତାହା ମଜଭୁତ କରିଦିଏ | ଟଙ୍କା ଅପେକ୍ଷା ଲୋକଙ୍କ ଆତ୍ମସନ୍ତୋଷ ଯେ ସବୁକିଛି ତାହା ରଘୁ ବୁଝିପାରିଥିଲେ, ଆଉ ସେଥିପାଇଁ ତ ଆଜି ପ୍ରତିଟି କଟକିଆଙ୍କ ମୁହଁରେ ଗୋଟିଏ କଥା ହିଁ ଶୁଣିବାକୁ ମିଳୁଛି ଆହା, ରଘୁ ମଉସା ଚାଲିଗଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/16/new-project-5-2025-08-16-13-29-52.jpg)