ନିର୍ବାଚନୀ ପ୍ରଚାର ବେଳେ ପଞ୍ଜାବୀ ଢାବାରେ ପରଟା, ଚଟଣି ସହ ଚା ପିଇଲେ ରାହୁଲ୍‌ ଗାନ୍ଧୀ

ଚଣ୍ଡୀଗଡ଼: ନିର୍ବାଚନୀ ପ୍ରଚାର ନିମନ୍ତେ ଗତ ଗୁରୁବାର ଦିନ ପଞ୍ଜାବରେ ପହଞ୍ଚିଥିବା କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଗୋଟାଏ ରାସ୍ତାକଡ଼ ଢାବାରେ ଚଟଣି ଲଗାଇ ପରଟା ଖାଇବା ପରେ ଚା ପିଇଥିଲେ। ଆଗରୁ ଏ ନେଇ କୌଣସି କାର୍ଯ୍ୟକ୍ରମ ନ ଥିବା ବେଳେ ହଠାତ୍ ରାହୁଲ ବାଟରେ ଅଟକି ଢ଼ାବାକୁ ଯାଇ ସାଙ୍ଗରେ ଥିବା ନେତା ଓ କର୍ମୀଙ୍କ ସହ ଭୋଜନ କରିଥିଲେ।

ସେଦିନ ଫତେଗଡ଼ ସାହିବ୍‌ରେ ବାସି ପଠନାରେ ଆୟୋଜିତ ସାଧାରଣସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ଉଦ୍‌ବୋଧନସ୍ଥଳୀକୁ ଯିବା ବେଳେ ବର୍ଣ୍ଣାଲାସ୍ଥିତ ଗୋଟାଏ ଢାବା ବାହାରେ ରାହୁଲ୍‌ଙ୍କ ଗାଡ଼ି ଅଟକି ଥିଲା। ରାହୁଲ୍‌ ସାଥିରେ ଥିବା କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଲା ଏବଂ ହରିଶ ଚୌଧୁରୀଙ୍କ ସମେତ ବହୁ ନେତା ସେ ଢାବାକୁ ଯାଇ ସୁସ୍ବାଦୁ ପରଟା ଖାଇବା ସହ ଚା’ ପାନ କରିଥିଲେ।

Image Courtesy of IG News

ପରେ ସେଦିନ ଅଟ୍ଟାରିରେ ରାଜ୍ୟ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଦ୍ଧୁଙ୍କ ସହଯୋଗରେ ନିର୍ବାଚନୀ ପ୍ରଚାରରେ ବାହାରି ଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜୀତ୍‌ ସିଂହ ଚନ୍ନୀ କୁର୍ତ୍ତା ପାଇଜାମା ପିନ୍ଧି କିଛି ତରୁଣ ଫୁଟ୍‌ବଲ୍‌ ଖେଳାଳିଙ୍କ ସହ ଫୁଟ୍‌ବଲ୍‌ ଖେଳିଥିଲେ। ସେ ଖେଳର ଭିଡିଓ ମଧ୍ୟ ଚନ୍ନୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି।

ପୂର୍ବରୁ ମଧ୍ୟ ପଞ୍ଜାବ ଗସ୍ତରେ ଆସିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମକ୍କା ରୁଟି ଓ ସୋରିଷ ଶାଗ ଭାଜି ଖାଉଥିବା ଦେଖାଯାଇଥିଲା। ସେ ସମୟରେ ତାଙ୍କ ସହ ଥିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ।

ସମ୍ବନ୍ଧିତ ଖବର