ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ‌ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଗୃହରେ କହିବାକୁ ଅନୁମତି ନ ମିଳିବାରୁ ସେ ଏହାର ତୀବ୍ର ବିରୋଧ କରିଛନ୍ତି ଏବଂ ଏନେଇ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧୀ ଗୃହରେ ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍‌ ନରବଣେଙ୍କର ଏକ ଅପ୍ରକାଶିତ ଆତ୍ମଜୀବନୀକୁ ଉଦ୍ଧୃତ କରି ଲଗାତାର ଦ୍ବିତୀୟ ଦିନରେ ଗୃହରେ ଭାଷଣ ଦେବାକୁ ଉଦ୍ୟମ କରିଥିବାବେଳେ ତାଙ୍କୁ ବିରୋଧ କରାଯାଇଥିଲା। ତେବେ ରାହୁଲ କହିଛନ୍ତି, ତାଙ୍କୁ ଗୃହରେ କହିବାର ଅନୁମତି ନ ମିଳିବା କେବଳ ପରମ୍ପରାର ଉଲ୍ଲଂଘନ କରୁନାହିଁ ବରଂ ଜାଣିଶୁଣି ତାଙ୍କୁ ଗୃହରେ ଉଦ୍‌ବୋଧନ ଦେବା ପାଇଁ ଅଟକାଯାଇଛି।

Advertisment

ସେ କହିଛନ୍ତି, ବିରୋଧୀ ଦଳ ନେତା ଓ ପ୍ରତ୍ୟେକ ସଦସ୍ୟଙ୍କ କଥା କହିବାର ଅଧିକାର ଗଣତନ୍ତ୍ରରେ ଏକ ଅବିଚ୍ଛେଦ୍ୟ ଅଂଶ। ଏହି ମୌଳିକ ଗଣତାନ୍ତ୍ରିକ ଅଧିକାରକୁ ନା’ କରିବା ଦ୍ବାରା ଅପ୍ରତ୍ୟାଶିତ ସ୍ଥିତି ସୃଷ୍ଟି ହେଉଛି। ଏହା ଆମ ଗଣତନ୍ତ୍ର ଉପରେ ଏକ ଦାଗ ଏବଂ ଏହାକୁ ମୁଁ ଦୃଢ଼ ଭାବେ ବିରୋଧ କରୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ପୁସ୍ତକ‌ରେ ଯାହା ଲେଖା ଅଛି ସରକାର ତାକୁ ଭୟ କରୁଛନ୍ତି ବୋଲି ରାହୁଲ ଦାବି କରିଛନ୍ତି।

ଆହୁରି ପଢନ୍ତୁ: ଟଙ୍କାରେ ସର୍ବବୃହତ୍‌ ଦୈନିକ ସୁଧାର: ଦିନକରେ ୧ ଟଙ୍କା ୨୫ ପଇସା ସବଳ

ଚିଠିରେ କଂଗ୍ରେସ ନେତା କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ତାଙ୍କୁ କହିବାକୁ ଅନୁମତି ଦିଆଯାଇ ନାହିଁ। ଗାନ୍ଧୀ କହିଛନ୍ତି, ଲୋକସଭାରେ ମୋତେ କହିବାରୁ ବାରଣ କରିବା କେବଳ କେବଳ ପରମ୍ପରାର ଉଲ୍ଲଂଘନ ନୁହେଁ ବରଂ ବିରୋଧୀ ଦଳ ନେତା ଭାବରେ ମୋତେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କହିବାରୁ ବାରଣ କରିବା ପାଇଁ ଜାଣିଶୁଣି ଏକ ପ୍ରୟାସ କରାଯାଇଛି। ଅନ୍ୟପ‌କ୍ଷେ ଆଜି ରାହୁଲଙ୍କୁ ଗୃହରେ କିଛି କହିବା ପାଇଁ ଅନୁମତି ନ ମିଳିବା ଘଟଣାକୁ କଂଗ୍ରେସ ସାଂସଦମାନେ ବିରୋଧ କରି ଗୃହରେ ହୋହଲ୍ଲା କରିବାରୁ ୮ ଜଣ କଂଗ୍ରେସ ସାଂସଦ ଆଜି ଗୃହରୁ ନିଲମ୍ବିତ ହୋଇଛନ୍ତି।