ରାଉରକେଲା: ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜରେ ମ୍ୟାନେଜ୍ମେଣ୍ଟ କୋଟା ନାମ ଲେଖାରେ ଅନିୟମିତତା ଓ ବିପୁଳ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି। ଭୁବନେଶ୍ବରର ହାଇଟେକ୍, କିମ୍ସ, ସମ୍ ସହ ରାଉରକେଲାସ୍ଥ ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଏକକାଳୀନ ଚଢ଼ାଉ କରାଯାଇଥିଲା। କୋଲକାତା ଓ ଭୁବନେଶ୍ବର ଇଡି ଟିମ୍ ବୁଧବାର ସକାଳ ପ୍ରାୟ ୯ଟାରୁ ରାଉରକେଲା ହାଇଟେକ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟାଳୟରେ ପହଞ୍ଚି ଚଢ଼ାଉ କରିଥିଲେ। ଚଢ଼ାଉ ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିଥିବା ଜଣାପଡ଼ିଛି।
ସୁରକ୍ଷା ଦୃଷ୍ଟିରୁ ମେଡ଼ିକାଲ କଲେଜ ପରିସରରେ ସିଆର୍ପିଏଫ୍ ଯବାନ ମୁତୟନ ହୋଇଥିଲେ। ଇଡି ଟିମ୍ର ଅଧିକାରୀମାନେ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିଲେ। କିଛି ଗୁରୁ୍ତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଥିବା ଜଣାପଡିଛି। ମେଡିକାଲ ନାମଲେଖାରେ ଅନିୟମିତତା ଓ ଅର୍ଥକାରବାରକୁ ନେଇ ଚଢ଼ାଉ କରାଯାଇଥିବା କୁହାଯାଉଛି। କଲେଜ ପ୍ରଶାସନ ଟଙ୍କା ନେଇ ମେଡିକାଲ୍ ସିଟ୍ ବିକ୍ରି କରୁଥିବା ଇଡି କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧରରେ ଓଡ଼ିଶା ସମେତ ଦେଶର ଅନ୍ୟ କିଛି ଘରୋଇ ମେଡିକାଲ କଲେଜରେ ମଧ୍ୟ ଚଢ଼ାଉ କରାଯାଇଛି। ଚଢ଼ାଉ ସଂକ୍ରାନ୍ତରେ ହାଇଟେକ୍ କଲେଜ କର୍ତ୍ତୃପକ୍ଷ ଓ ଇଡି ଟିମ୍ ଅଧିକାରୀମାନେ କିଛି କହିବାକୁ ମନା କରିଦେଇଛନ୍ତି। ଇଡି ଅଧିକାରୀଙ୍କ ଯାଞ୍ଚ ପରେ ମେଡିକାଲ କଲେଜ ନାମଲେଖାରେ କେତେ ଟଙ୍କା ହେରଫେର ହୋଇଛି ଜଣାପଡ଼ିବ।