ଦୁଇ ଦିନ ବର୍ଷା : ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆଜିଠାରୁ ପାଗରେ ପରିବତର୍ନ ଆସିଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ଲାଗି ରହିଛି। ତେବେ ଶନିବାରଠାରୁ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୪ ତାରିଖ ପୂର୍ବାହ୍ନ ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥା‌ନେ ୮୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହି ସମୟ ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ୨୫ ତାରିଖରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିସହ ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗୁଆ ସତର୍କତା ଅବଲମ୍ବନ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ଲଘୁଚାପ ‌ପ୍ରଭାବରେ ୨୪ ଓ ୨୫ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ସ୍ଥିତି ଉପରେ ଦୃଷ୍ଟି ରଖିବାକୁ କୁହାଯିବା ସହ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ସଜାଗ ରଖିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଗତ ୧୨ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୪୭ମିମି ବର୍ଷା ରେକର୍ଡ କରାଯାଇଛି। ଏହା ତଳକୁ କେନ୍ଦୁଝରରେ ୨୬, ଝାରସୁଗୁଡ଼ାରେ ୨୪, ଭୁବନେଶ୍ବରରେ ୧୫, ସୁନ୍ଦରଗଡ଼ରେ ୧୦, କଟକରେ ୭, ତା‌ଳଚେରରେ ୬ ମିମି ବର୍ଷା ହୋଇଛି। ଗତକାଲି ରାତିରେ ଚାନ୍ଦବାଲିରେ ୫୭.୨ ମିମି, ପାରାଦୀପରେ ୫୪, ପୁରୀରେ ୧୭ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର