ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅଗଷ୍ଟ ମାସ ବନ୍ୟା ଓ ବନ୍ୟାଜନିତ ଭୟଙ୍କର ବିପର୍ଯ୍ୟୟ ଆଣିଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆକଳନ ଅନୁଯାୟୀ ସେପ୍ଟେମ୍ବର ମାସରେ ମଧ୍ୟ ବର୍ଷା ପ୍ରଭାବ କମିବା ସମ୍ଭାବନା ଖୁବ୍ କମ୍। ସେପ୍ଟେମ୍ବରରେ ପ୍ରଚଳିତ ଧାରା ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା, ଅଚାନକ ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ହେବା ଆଶଙ୍କା ରହିଛି। ଦୀର୍ଘକାଳୀନ ହାରାହାରି ବର୍ଷା ଏହି ସମୟରେ ୧୦୯ ପ୍ରତିଶତରୁ ଅଧିକ ରହିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି। ରବିବାର ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସତର୍କ କରାଇଛନ୍ତି। ଉତ୍ତରଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଅଚାନକ ବର୍ଷା ଓ ଭୂସ୍ଖଳନ ଆଶଙ୍କା ରହିଛି। ଏହା ଦିଲ୍ଲୀ, ଦକ୍ଷିଣ ହରିୟାଣା ଓ ଉତ୍ତର ରାଜସ୍ଥାନକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେ କହିଛନ୍ତି।
ବାଦଲଫଟା ବର୍ଷା ସମ୍ପର୍କରେ ଆଇଏମ୍ଡି ଡିଜି କହିଛନ୍ତି ଯେ ଘଣ୍ଟାକୁ କେବଳ ୧୦୦ ମିମି ବର୍ଷା ହେଲେ ଆମେ ତାକୁ ବାଦଲଫଟା ବର୍ଷା କହିପାରିବା ତାହା ନୁହେଁ,ଛୋଟ ଛୋଟ ବାଦଲଫଟା ବର୍ଷା ଘଣ୍ଟାକୁ ୫ ସେମି (୫୦ ମିମି) ପର୍ଯ୍ୟନ୍ତ ବର୍ଷା ଆଣିପାରେ। ଏହାଦ୍ବାରା ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ କାଦୁଅ ପ୍ରବାହ ହେବା ଆଶଙ୍କା ରହିଛି। ତେଲେଙ୍ଗାନାରେ ମଧ୍ୟ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମ୍ଡି।
ମହାପାତ୍ର କହିଛନ୍ତି,ବାଦଲଫଟା ବର୍ଷା ବିରଳ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଏପରି ଘଟଣା ବଢ଼ିବାରେ ଲାଗିଛି। ଭାରତୀୟ ପାଣିପାଗ ସଂସ୍ଥାନର ଏକ ଅନୁଧ୍ୟାନର ଉଦାହରଣ ଦେଇ ସେ କହିଛନ୍ତି, ଏହା କେବଳ ହିମାଳୟ ଅଞ୍ଚଳରେ ଘଟୁନାହିଁ, ଚେନ୍ନାଇ, ପୁଡୁଚେରୀ, ଆନ୍ଧ୍ର ପ୍ରଦେଶ ଏପରିକି ମୁମ୍ବାଇରେ ମଧ୍ୟ ଦେଖିବାକୁ ମିଳୁଛି। ବାଦଲଫଟା ବର୍ଷା ନେଇ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ୨୪ ଘଣ୍ଟାରେ ତଥ୍ୟକୁ ଅନୁଧ୍ୟାନ କରି ଆମେ କେବଳ ଏବିଷୟରେ କିଛି କହିପାରିବା ବୋଲି ସେ କହିଛନ୍ତି। ଜମ୍ମୁ-କାଶ୍ମୀର ଓ ହିମାଚଳରେ ବର୍ଷା ଯୋଗୁଁ ପଞ୍ଜାବରେ ବନ୍ୟା ଆସି ୩ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ୪.୮ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଅଗଷ୍ଟରେ ଏହା ୫.୨ ପ୍ରତିଶତ ଅଧିକ ଥିଲା।
ମାସ ଶେଷ ବେଳକୁ ଏହା ୬.୧ ପ୍ରତିଶତ ରହିଥିଲା। ତେବେ କେନ୍ଦ୍ରୀୟ ଭାରତରେ ବର୍ଷା ନିଣ୍ଟିଆ ରହିଛି। ଅଗଷ୍ଟରେ ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ଭାରତରେ ଅଧିକ ବର୍ଷା ହୋଇଛି। ଅଗଷ୍ଟରେ ଭାରତରେ ୨୬୮ ମିମି ବର୍ଷା ହୋଇଛି। ଗତ କିଛି ବର୍ଷ ତୁଳନାରେ ଏହା କମ୍ ହୋଇଥିଲେ ମଧ୍ୟ ଅଧିକ ବିପର୍ଯ୍ୟୟ ଘଟାଇଛି। ମହାନଦୀ ଉପରମୁଣ୍ଡ ଅଞ୍ଚଳ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ସେ କହିଛନ୍ତି। ସେହିପରି କେନ୍ଦ୍ରୀୟ ଭାରତ ଏଥର ଅଧିକ ଉଷ୍ଣ ରହିଛି। ଦକ୍ଷିଣ ଓ ଉତ୍ତର ଭାରତ ହାରାହାରି ତୁଳନାରେ ଅଧିକ ଥଣ୍ଡା ରହିଛି। ଚଳିତ ବର୍ଷ ଉତ୍ତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ପଞ୍ଚମ ସର୍ବାଧିକ ସର୍ବୋଚ୍ଚ ହାରାହାରି ତାପମାତ୍ରା ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/09/01/863642d1-c356-4872-9e16-5a2a160e3ed2-2025-09-01-09-58-52.jpg)