ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ସ୍ବଳ୍ପ ବୃଷ୍ଟି ଅଞ୍ଚଳ ଚନ୍ଦାହାଣ୍ଡି ବ୍ଲକ। ଏଠାରେ ୭ବର୍ଷ ହେଲା କ୍ରମାଗତ ଭାବେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହେଉଥିବାରୁ ଚାଷ ପ୍ରଭାବିତ ହେଉଛି। ଜଳବାୟୁ ଏବଂ ମୃତ୍ତିକାକୁ ଭିତ୍ତି କରି ରବି ଓ ଖରିଫ ଋତୁରେ ବାଦାମ ଚାଷ ପରିମାଣକୁ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରହିଥିଲା। କିନ୍ତୁ ଚାଷ ପରିମାଣ ବଢ଼ିବା ପରବର୍ତ୍ତେ ଯଥେଷ୍ଟ କମିଛି। ଏବେ ଚିନାବାଦାମ ଛାଡ଼ି ମକା ଚାଷ ପ୍ରତି ଚାଷୀ ଆଗ୍ରହ ଦେଖାଉଛନ୍ତି।

Advertisment

ଅଳ୍ପ ପାଣିରେ ବି ଚିନାବାଦାମ ଚାଷ ହୋଇପାରିବ। ତେଣୁ ୨୦୨୧ ମସିହାରେ ଚନ୍ଦାହାଣ୍ଡି ବ୍ଲକରେ ୬୧୨ ହେକ୍ଟର ଜମିରେ ଚିନାବାଦାମ ଚାଷ କରିବାକୁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ୨୦୨୨ ମସିହାରେ ୭୫୨ହେକ୍ଟର ଏବଂ ୨୦୨୩ ଖରିଫ ଋତୁରେ ୧୦୫୦ ହେକ୍ଟର ଜମିରେ ଚାଷ ନିମନ୍ତେ ଲକ୍ଷ୍ୟ ରହିଥିଲା। କିନ୍ତୁ ଚଳିତବର୍ଷ ୭୪୦ହେକ୍ଟର ଜମିରେ ଫସଲ ସୀମିତ ରହିଛି। ‌ଜଳସେଚନ ଅଭାବ ସହ ବର୍ଷା କମିବା କାରଣରୁ ଚିନାବାଦାମ ଚାଷ ପ୍ରତି ବିମୁଖ ହୋଇଥିବା ଚାଷୀ ସ୍ବୀକାର କରିଛନ୍ତି।
ଛତିଶଗଡ଼ ରାଜ୍ୟ ସୀମାକୁ ଲାଗିଛି ଚନ୍ଦାହାଣ୍ଡି ବ୍ଲକ। ଛତିଶଗଡ଼ ସବୁଜ ବନାନୀରେ ଭର୍ତ୍ତି ହୋଇଥିଲା ବେଳେ ଚନ୍ଦାହାଣ୍ଡିରେ ବାହାରକୁ ଦେଖାଯାଉଥିବା ଜଙ୍ଗଲ ଭିତରୁ ଟାଙ୍ଗରା ହୋଇସାରିଲାଣି। ଅନ୍ୟପଟେ ଚନ୍ଦାହାଣ୍ଡି ଓ ଝରିଗାଁ ବ୍ଲକକୁ ନେଇ ଗଠିତ ଝରିଗାଁ ବନାଞ୍ଚଳରେ ପ୍ରାୟ ୨୦ହଜାର ହେକ୍ଟର ଜଙ୍ଗଲ ଜବରଦଖଲରେ ରହିଛି। ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପ୍ରାୟ ୬୩୦୦ ଏକର ଜମି ପଟ୍ଟା ପ୍ରଦାନ କରାଯାଇଛି।

ପୂର୍ବରୁ ଘଞ୍ଚ ଜଙ୍ଗଲରେ ରହିଥିବା ପୁରୁଣା ଗଛ ସବୁ ଉଭାନ ହୋଇ ସେହି ସ୍ଥାନରେ ବର୍ତ୍ତମାନ ମକା ଚାଷ ହେଉଛି। ଯାହାର ସିଧାସଳଖ ପ୍ରଭାବ ଜଳବାୟୁ ଉପରେ ପଡ଼ିଛି। ୨୦୧୦ ମସିହାରେ ବ୍ଲକରେ ୨୩୩୪ମିମି ବର୍ଷା ହୋଇଥିବା ବେଳେ ୨୦୧୬ରେ ୧୪୪୭ମିମି ବର୍ଷା ରେକର୍ଡ କରାଯାଇଛି। ୨୦୧୭ ମସିହାରୁ କ୍ରମାଗତ ଭା‌ବେ ବ୍ଲକରେ ବର୍ଷା କମିବାରେ ଲାଗିଛି। କୃଷି ବିଭାଗ ୧୫୬୯ମିମି ବୃଷ୍ଟିପାତକୁ ସ୍ବାଭାବିକ ବର୍ଷା ବୋଲି ବିବେଚନା କରିଥାଏ। ତେବେ ଚନ୍ଦାହାଣ୍ଡି ବ୍ଲକରେ ୨୦୧୭ ମସିହାରେ ୧୨୦୭ମିମି, ୨୦୧୮ ମସିହାରେ ୧୨୭୬ମିମି, ୨୦୧୯ ମସିହାରେ ୧୩୫୩ ମିମି, ୨୦୨୦ ମସିହାରେ ୧୩୫୧ ମିମି, ୨୦୨୧ ମସିହାରେ ୯୭୬ ମିମି, ୨୦୨୨ ମସିହାରେ ୭୬୨ ମିମି ଓ ୨୦୨୩ ମସିହାରେ ୬୮୬ ମିମି ବର୍ଷା ରେକର୍ଡ ହୋଇଛି। ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ବର୍ଷା ୧୦୦୦ମିମି ତଳକୁ ରହୁଛି। କେବଳ ଚନ୍ଦାହାଣ୍ଡି ନୁହେଁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଝରିଗାଁ ବ୍ଲକ ଉପରେ ବି ପଡୁଥିବା ଦେଖିବାକୁ ମିଳିଛି।