ବଟଲରଙ୍କ ଲଢୁଆ ବ୍ୟାଟିଂ, ମୁମ୍ବାଇ ଇଣ୍ଡିଆନ୍ସକୁ ୭ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଏଭିନ ଲୁଇସଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୬୮/୬

ମୁମ୍ବାଇ : ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ  ମୁମ୍ବାଇ ଇଣ୍ଡିଆନ୍ସକୁ ୭ୱିକେଟରେ ପରାସ୍ତ କରିଛି । ମୁମ୍ବାଇର ୧୬୮/୬ ଜବାବରେ ରାଜସ୍ଥାନ ଜସ ବଟଲରଙ୍କ ଲଢୁଆ ୯୪ (୫୩ ବଲ, ୯ ଚୌକା, ୫ଛକା) , ଅଜିଙ୍କ ରାହାଣେଙ୍କ ୩୭ ରନ ଓ  ସଂଜୁ ସାମସନଙ୍କ ୨୬ରନସହାୟତାରେ ଏହି ଟାର୍ଗେଟକୁ ସହଜରେ ହାସଲ କରିନେଇଥିଲା ।

ଏହା ପୂର୍ବରୁ ମୁମ୍ବାଇ ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଦଳ ପକ୍ଷରୁ ଏଭିନ ଲୁଇସ ମାତ୍ର ୪୨ ବଲରେ ୬୦ ରନ ଓ ସୂର୍ଯ୍ୟ କୁମାର ଯାଦବ ୩୧ ବଲରେ ୩୮ରନ ସଂଗ୍ରହ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରେ ୩୬ ରନ କରି ସଂଜୁ ସାମସନଙ୍କ ଚମତ୍କାର କ୍ୟାଚ ବଳରେ ଆଉଟ ହୋଇ ଫେରିଥିଲେ । ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ଜେଫ୍ରା ଆର୍ଚର ଓ ବେନ ଷ୍ଟୋକସ ଦୁଇଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୧୨ଟି  ମ୍ୟାଚ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର