ଭୁବନେଶ୍ୱର: ବେଣୀ ପଛେ ପରେ ବାନ୍ଧିବି, ଆଗ ମୋ କେଶ କ୍ୟାନ୍ସର ପୀଡିତଙ୍କ ପାଇଁ ବ୍ୟବହାର ହେଉ | କୁନି କୁନି ଓଠରେ ଯେତେବେଳେ ୫ ବର୍ଷର ଏହି କୁନି ଝିଅ ଏହି ପଦକ କଥା କହିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଯେଉଁବୟସରେ ସାଙ୍ଗସାଥୀଙ୍କ ସହ ଖେଳିବା କଥା, ନୂଆ ନୂଆ ଜିନିଷ ଜାଣିବା କଥା ସେହି ବୟସରେ ଅନ୍ୟମାନଙ୍କ ପାଇଁ ଏଭଳି ଚିନ୍ତା ବୋଧେ ସ୍ୱାଭାବିକ ହୋଇନପାରେ | ଆଜି ଆମେ ଆପଣଙ୍କୁ ଏମିତି ଜଣେ କୁନି ଝିଅଙ୍କ କାହାଣୀ କହିବୁ, ଯାହାକି ଆପଣଙ୍କୁ କିଛି ସମୟ ପାଇଁ ଭାବୁକ କରିଦେବ | ଭୁବନେଶ୍ୱରର ଏପିଜେ ସ୍କୁଲରେ ପାଠପଢନ୍ତି ରାଜଭି ସାମଲ |
ନୂଆ ନୂଆ ଏବେ ସ୍କୁଲକୁ ଯାଉଥିବା କୁନି ଝିଅଟି ଏବେ ଲଣ୍ଡା ହୋଇଯାଇଛି, ସମସ୍ତେ ଭାବନ୍ତି ଯେ ବୋଧେ କିଛି ମାନସିକ ଥିଲା ସେଥିପାଇଁ କେଶ କଟାଯାଇଛି | କିନ୍ତୁ ବାସ୍ତବ କଥା ହେଲା କ୍ୟାନ୍ସର ପୀଡିତଙ୍କ ପାଇଁ ସେ ନିଜ କେଶ ଦାନ କରିଛନ୍ତି | ବାସ୍ତବରେ କ୍ୟାନ୍ସର ହେବା ପରେ ଜଣେ ରୋଗୀ ଯେଭଳି ଚିକିତ୍ସାର ସମ୍ମୁଖୀନ ହୋଇଥାନ୍ତି ସେଥିରେ ତାଙ୍କ କେଶ ଝଡ଼ିଯାଇଥାଏ | ଆଉ କେଶ ପ୍ରତିରୋପଣ କରିବାକୁ ପଡେ | ପ୍ରତିରୋପଣ ପାଇଁ ଯେଉଁ କେଶ ଲଗାଯାଏ, ତାହା ସଂଗ୍ରହ କରାଯାଏ | ଅନେକ ଦାତବ୍ୟ ଅନୁଷ୍ଠାନ ଏହି କେଶ ସଂଗ୍ରହ କରିଥାନ୍ତି |
ବାପା ଡାକ୍ତର ରାଜୀବ ଲୋଚନ ସାମଲ ଓ ମା ସମାପ୍ତି ବଳଙ୍କ ପାଖରୁ ପିଲାଦିନରୁ କ୍ୟାନ୍ସର ପୀଡିତଙ୍କ ସମସ୍ୟା ବାବଦରେ ଶୁଣିଆସୁଥିଲେ ରାଜଭି | ଆଉ ମନେ ମନେ ସ୍ଥିର କରିଥିଲେ ଯେ ସେ ବି କେଶ ଦାନ କରିବେ | ନିଜ ମନର କଥାକୁ ସେ ବାପା-ମାଙ୍କ ଆଗରେ କହିଥିଲେ, ଆଉ ବାପା-ମା ବି ଝିଅର ଇଛାକୁ ସମ୍ମାନ ଜଣାଇ ଏବେ କେଶ ଦାନ କରିଛନ୍ତି | ଏହି କେଶ ଏବେ କ୍ୟାନ୍ସର ପୀଡି଼ତ ହୋଇ କେଶ ହରାଇଥିବା ସେହି ବ୍ୟକ୍ତିମାନଙ୍କର ମୁଣ୍ଡରେ ରୋପଣ କରାଯିବ | କୁହାଯାଏ, ସେବା ପାଇଁ କୌଣସି ବୟସ ନଥାଏ, ଆଉ ରାଜଭି ଏବେ କେଶଦାନ କରି ତାହାକୁ ପ୍ରମାଣିତ କରିଛନ୍ତି |