ଅହମଦାବାଦ: ଆପଣ ତ ଅନେକ ଫିଲ୍ମ ଦେଖିଥିବେ, ଯେଉଁଥିରେ ହାତରେ ଖୋଦେଇ ହୋଇଥିବା ଟାଟୁ କେମିତି ଜଣଙ୍କୁ ତାହାର ପରିଚୟ ପ୍ରଦାନ କରେ | ଟାଟୁ କେମିତି ହଜିଯାଇଥିବା ସମ୍ପର୍କକୁ ଯୋଡ଼ିଦିଏ, ସେ ଦୃଶ୍ୟ ଦେଖିଥିବେ | ଏବେ ଗୁଜୁରାଟର ଅହମଦାବାଦରେ ସମାନ ଘଟଣା ଘଟିଛି | ବାସ୍ତବରେ ୧୫ ବର୍ଷ ପୂର୍ବେ ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରୁ ଦିବ୍ୟାଙ୍ଗ ଯୁବକ ପଙ୍କଜ ନିଖୋଜ ହୋଇଯାଇଥିଲେ | ସେ ଘରୁ ରାଗିକି ଟ୍ରେନରେ ପଳାଇଯାଇଥିଲେ | ଆଉ ଏହି ଟ୍ରେନ ଗୁଜୁରାଟର ଅହମଦାବାଦରେ ପହଞ୍ଚିଥିଲା | ଏହି ଦିବ୍ୟାଙ୍ଗ ଯୁବକ ସେତେବେଳେ ଷ୍ଟେସନରେ ଓହ୍ଲାଇ ଏଣେତେଣେ ବୁଲିଥିଲେ | ଏହାପରେ ସ୍ଥାନୀୟ ପୁଲିସ ତାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିଥିଲା |

Advertisment

କିଛିଦିନ ଆଶ୍ରମରେ ରହିବା ପରେ ଯୁବକ ଜଣକ ନବରଂଗପୁରା ପୁଲିସ ଷ୍ଟେସନରେ ଆସି ରହୁଥିଲେ | ପୁଲିସ କର୍ମଚାରୀମାନେ ତାଙ୍କର ଦେଖାଶୁଣା କରିବା ସହ ଖାଇବା-ପିଇବାକୁ ଦେଉଥିଲେ | ସମୟ ସମୟରେ ପୁଲିସ କର୍ମଚାରୀ ଯୁବକ ଜଣକ କିଭଳି ନିଜ ଘରକୁ ଫେରିପାରିବେ ସେହି ଚେଷ୍ଟା ବି କରୁଥିଲେ | ତେବେ ଦୁଇ ଦିନ ତଳେ ପଙ୍କଜଙ୍କ ପିଲାଦିନର ସାଙ୍ଗ ନୀରଜ ଯିଏ ସେହି ନବରଂଗପୁରାରେ ଏକ ସିକ୍ୟୁରିଟି ଭାବେ ନିଯୁକ୍ତି ପାଇଥିଲେ ତାଙ୍କର ନଜର ହଠାତ ପଡିଥିଲା |

ଏହାପରେ ନୀରଜ ଦ୍ବନ୍ଦରେ ପଡ଼ିଥିଲେ ଯେ ବାସ୍ତବରେ ଏହି ଯୁବକ ତାଙ୍କ ସାଙ୍ଗ ତ! ନୀରଜଙ୍କ ପୀଲାଦିନର ଏକ ସ୍ମୃତି ମନେପଡିଥିଲା | ଯେଉଁଥିରେ ସେମାନେ ଦୁହେଁ ପିଲାଦିନେ ଗାଁକୁ ଆସିଥିବା ମେଳାରେ ରାମ-ସୀତାଙ୍କ ଟାଟୁ କରିଥିଲେ | ଏହାପରେ ନୀରଜ ସେହି ଟାଟୁ ଉକ୍ତ ଯୁବକ(ପଙ୍କଜ)ଙ୍କ ହାତରେ ଦେଖିଥିଲେ | ଏହାପରେ ନୀରଜ ଖୁସିରେ ବିଭୋର ହୋଇପଡିଥିଲେ | ନୀରଜ ତୁରନ୍ତ ପଙ୍କଜଙ୍କ ପରିବାରବର୍ଗଙ୍କୁ ଏବାବଦରେ ସୂଚନା ଦେଇଥିଲେ | ପଙ୍କଜଙ୍କ ପରିବାରବର୍ଗ ଗୁଜୁରାଟରେ ପହଂଚି ସେହି ଟାଟୁକୁ ଜାଣିପାରିଥିଲେ ଓ ପଙ୍କଜଙ୍କୁ ନିଜ ଘର ଉତ୍ତରପ୍ରଦେଶକୁ ଫେରାଇଆଣିଥିଲେ |