ପୁରୀ: ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି | ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିବାବେଳେ ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ | ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ରମାକାନ୍ତ ରଥଙ୍କ ଘରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |
ଉଲ୍ଲେଖ ଥାଉ କି ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଥିଲା । ସ୍ବର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ ଓ ସାହିତ୍ୟିକ ଶୋକପ୍ରକାଶ କରିଥିଲେ। ରାଜନୀତି ଓ ସାରସ୍ବତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଖାରବେଳନଗରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ଗତ ପାଞ୍ଚମାସ ହେଲା ସ୍ବର୍ଗତ ରଥଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ଶରୀର ଅସୁସ୍ଥ ହେଉଥିବାରୁ ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଥିଲା। ଗତକାଲି ଭୋର୍ ସାଢ଼େ ୪ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
‘ଶ୍ରୀରାଧା’ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବର୍ଗତ ରଥ ପାଠକଙ୍କ ମହଲରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କର ପ୍ରତ୍ୟେକଟି ସୃଷ୍ଟି ଓଡ଼ିଶାର କାବ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ‘କେତେ ଦିନର’, ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’ ଆଦି କବିତା ଗ୍ରନ୍ଥ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି। ତାଙ୍କର ଗଳ୍ପ ସଂକଳନ ‘ମେଘ ଓ ଅନ୍ୟାନ୍ୟ ଗଳ୍ପ’ ମଧ୍ୟ ପାଠକୀୟ ଆଦୃତି ହାସଲ କରିଥିଲା। ସେ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ଦାୟିତ୍ବ ତୁଲାଇଥିଲେ।
୧୯୭୭ରେ କେନ୍ଦ୍ର ସାହିତ୍ୟ ଅକାଦେମି, ୧୯୮୪ରେ ସାରଳା ପୁରସ୍କାର, ୧୯୯୨ରେ ସରସ୍ବତୀ ସମ୍ମାନ, ୧୯୯୪ରେ କବୀର ସମ୍ମାନ, ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ୨୦୧୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ବିଭୂଷିତ ହୋଇଥିଲେ। ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମିର ସମ୍ମାନଜନକ ମହତ୍ତର ସଦସ୍ୟତା ପ୍ରଦାନ କରାଯାଇଥିଲା। ୨୦୦୬ରେ ରାଷ୍ଟ୍ରପତିଙ୍କ ନିକଟରୁ ସେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ଗ୍ରହଣ କରିଥିଲେ। ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବେ ସ୍ବର୍ଗତ ରଥ ରାଜ୍ୟ ଓ କେନ୍ଦ୍ରରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ରାଜ୍ୟର ବିଭିନ୍ନ ବିଭାଗର ସଚିବ ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ୧୯୯୧ ଅଗଷ୍ଟ ମାସରୁ ୧୯୯୨ ନଭେମ୍ବର ମାସ ଯାଏଁ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ସରକାରୀ ଚାକିରିରୁ ଅବସର ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/17/CcghoWDu5F6i8FyXWMQb.jpg)