ଭୁବନେଶ୍ୱର( ସୁବ୍ରତ ଦାସ) : ଦଳୀୟ ଟିକେଟ୍‌ ପାଇବାରୁ ବଞ୍ଚିତ ହେବା ପରେ ଅସନ୍ତୁଷ୍ଟ ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି କିଶୋର ମହାନ୍ତିଙ୍କୁ ବିଜୁ ଜନତା ଦଳ ନେତୃତ୍ୱ ମନାଇବାରେ ସଫଳ ହୋଇଛନ୍ତି।

Advertisment

publive-image Odisha Assembly

ବ୍ରହ୍ମପୁରରୁ ଲଗାତାର ୫ ଥର ବିଧାୟକ ଲୋକପ୍ରିୟ ଡାକ୍ତର ଚ୍ୟାଉ ପଟ୍ଟନାୟକ ଏଥର ଦଳୀୟ ଟିକେଟ୍‌ ପାଇନାହାନ୍ତି। ତାଙ୍କ ସ୍ଥାନରେ ନିକଟରେ କଂଗ୍ରେସରୁ ଆସି ଦଳରେ ଯୋଗ ଦେଇଥିବା ବିକ୍ରମ କେଶରୀ ପଣ୍ଡାଙ୍କୁ ବିଜେଡି ଟିକେଟ୍‌ ଦିଆଯାଇଛି। ପୂର୍ବରୁ ଡାକ୍ତର ଚ୍ୟାଉ ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ଦଳୀୟ ଟିକେଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ଦିଆନଯାଇ ତାଙ୍କ ବଦଳରେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀ ପଣ୍ଡାଙ୍କୁ( ଯିଏ ୪ ଥର ଡାକ୍ତର ଚ୍ୟାଉଙ୍କ ସହ ଲଢ଼ି ହାରିଛନ୍ତି) ଦଳୀୟ ପ୍ରାର୍ଥୀ କରାଯାଇ ଥିବାରୁ ତାଙ୍କ ସମର୍ଥନକମାନେ କ୍ଷୁବ୍ଧ ହୋଇଥିଲେ।

ଦଳ ଉପରେ ରୁଷ୍ଟ ଡାକ୍ତର ଚ୍ୟାଉ ପଟ୍ଟନାୟକଙ୍କୁ ମନାଇବା ପାଇଁ ତାଙ୍କୁ ରାଜ୍ୟସଭା ଟିକେଟ୍‌ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକକୁ ଡାକ୍ତର ଚ୍ୟାଉ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇ ଥିଲ। ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନିକଟରେ କଂଗ୍ରେସରୁ ଆସି ବିଜୁ ଜନତା ଦଳରେ ଯୋଗ ଦେଇ ବ୍ରହ୍ମପୁର ଲୋକସଭା ଆସନ ଟିକେଟ୍‌ ପାଇଥିବା ଚନ୍ଦ୍ରଶେଖର ସାହୁ ମଧ୍ୟ ଉପସ୍ଥିତ ଥିବାର ଜଣାଯାଏ।

publive-image Telegraph India

ସେହିପରି ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ ସେଠାରୁ ପୂର୍ବରୁ ଦଳୀୟ ଟିକେଟରେ ଲଢ଼ିଥିବା କିଶୋର ମହାନ୍ତି ଅସନ୍ତୁଷ୍ଟ ହୋଇଥିଲେ। ଗତକାଲି ଶ୍ରୀମହାନ୍ତିଙ୍କୁ ଟିକେଟ୍‌ ନଦେଇ ଶ୍ରୀ ଦାସଙ୍କୁ ଦିଆଯାଇଛି। ସେଥିପାଇଁ ଶ୍ରୀ ମହାନ୍ତିଙ୍କୁ ମନାଇବା ଲାଗି ତାଙ୍କୁ ପଡ଼ୋଶୀ ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅନୁପ ସାଏ ଏଥର ବିଜେଡି ଟିକେଟ ପାଇନାହାନ୍ତି। ୨୦୧୪ରେ ସେ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ହାରି ଯାଇଥିଲେ। ତା’ପରେ ତାଙ୍କୁ ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା।