ପୁରୀ: ରାତି ପାହିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଦେଖିବା ପାଇଁ ବିଶ୍ୱର ଚାରିଆଡୁ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛୁଟି ଆସିଛନ୍ତି। ବିଶାଳ ଜନ ସମୁଦ୍ରରେ ପରିପୂର୍ଣ୍ଣ ହୋଇଛି ଆଧ୍ୟତ୍ମିକ ସହର ପୁରୀ। ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ବ୍ୟତୀତ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କର ସମାଗମ ହୋଇଛି। ମଠ-ମନ୍ଦିର, ଧର୍ମଶାଳା, ଅତିଥି ଭବନ, ହୋଟେଲ ଆଦି ସ୍ଥାନ ଗୁଡ଼ିକରେ ଲୋକଙ୍କର ଭିଡ ଲାଗି ରହୁଛି।
ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଇଛି। ପ୍ରଥମ ଥର ପାଇଁ ବ୍ୟାପକ ଆକାରରେ ଫୁଲରେ ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯାଇଛି। ଏହି କାମ ମଙ୍ଗଳବାର ଠାରୁ ଆରମ୍ଭ କରାଯାଇଥିବା ବେଳେ ବୁଧବାର ଶେଷ ହୋଇଛି।
ରଥଯାତ୍ରାର ସବୁଠାର ବଡ଼ ଆକର୍ଷଣୀୟ ଜିନିଷ ହେଉଛି ରଥ। ଭଗବାନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନକୁ ସିଂହଦ୍ୱାର ସମ୍ମୁଖ ୩ ଚକଡାକୁ ନିଆଯାଇ ଉତ୍ତର ମୁହାଁ କରି ରଖାଯାଇଛି।
ରଥଯାତ୍ରା (ଗୁରୁବାର) ପାଇଁ ପ୍ରମୁଖ କାର୍ଯ୍ୟକ୍ରମ
ସକାଳ ୯ଟା: ରଥ ପ୍ରତିଷ୍ଠା
୯ଟା ୩୦ରୁ ୧୨ଟା ୩୦: ତିନି ଠାକୁରଙ୍କର ପହଣ୍ଡି
ମଧ୍ୟାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା: ମଦନ ମୋହନ ବିଜେ
ଅପରାହ୍ଣ ୨ଟାରୁ ୩ଟା: ଗଜପତି ମହାରାଜଙ୍କ ରଥ ଉପରେ ଛେରାପହଁରା
ଅପରାହ୍ଣ ୩ଟାରୁ ୪ଟା: ଚାରମାଳ ଫିଟିବା ପରେ ଘୋଡା ଓ ସାରଥୀ ଲାଗିବ
ଅପରାହ୍ଣ ୪ଟାରୁ ରଥଟଣା କାର୍ଯ୍ୟକ୍ରମ
(ବି.ଦ୍ର) : ଆବଶ୍ୟକ ପଡ଼ିଲେ ନୀତିନିର୍ଘଣ୍ଟ ପରିବର୍ତ୍ତନ ହୋଇପାରେ