ଭୁବନେଶ୍ୱର: ବାରମ୍ବାର ତାଗିଦ ସତ୍ତ୍ୱେ ମହାପ୍ରଭୁ ଜଗନ୍ନାଥଙ୍କ ପରମ୍ପରାକୁ ମାନିବାକୁ ପ୍ରସ୍ତୁତ ହେଉନାହିଁ ଇସ୍କନ | ବାସ୍ତବରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଚି । ଋଷିକେଷରେ ଥିବା ମଧୁବନ ଆଶ୍ରମ ଦ୍ୱାରା ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରା ଅଦିନରେ ଆୟୋଜନ କରାଯାଇଛି | ଚଳିତମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ମଧୁବନ ଆଶ୍ରମ ଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱାର ଶ୍ରୀ ଗୁରୁ ସିଂ ସଭା ରେଲୱ ରୋଡ ପର୍ଯ୍ୟନ୍ତ ଏହି ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା | ରଥଯାତ୍ରା ପାଇଁ ଏକ ନିର୍ଦ୍ଦିଷ୍ଟ ବିଧି ପରମ୍ପରା ଥିବାବେଳେ ଏହାକୁ ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଛି । ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗତମାସ ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ଗଜପତିଙ୍କ ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଥିଲା । ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ଲେଖାଯାଇଥିଲା ।
ମାତ୍ର ଏକମାସ ପରେ ଇସ୍କନ ପୁନର୍ବାର ତାର ମନମାନି ଜାରି ରଖି ଚଳିତମାସ ୭ ତାରିଖରେ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲା । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି ।