ରାଉରକେଲା(ମଳୟ ରଂଜନ ସାହୁ): ରାସନକାର୍ଡ ମହାଦୁର୍ନୀତିର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି। ଯାଞ୍ଚ ଯେତିକି କଡ଼ାକଡି ହେଉଛି, ଦୁର୍ନୀତି ସେତିକି ବାହାରୁଛି। ଭୂତ ଓ ଅଯୋଗ୍ୟ କାର୍ଡ ବାତିଲ ହେବାପରେ ଏବେ ଯୋଡ଼ା ଯାଇଥିବା ନକଲି ନାମକୁ ଗୋଟିଗୋଟି କରି କଟାଯାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷ ୨ ହଜାର ୮୦୮ ହିତାଧିକାରୀଙ୍କୁ ବାଦ୍ ଦିଆଗଲାଣି। ଏଥିରେ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ଅଛନ୍ତି ୨୩ ହଜାରରୁ ଅଧିକ ହିତାଧିକାରୀ। ଏହି ୨୩ ହଜାର ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ୭ ହଜାର ୬୦୦ରୁ ଅଧିକ କାର୍ଡ କଟାଗଲାଣି।
ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଞ୍ଚଳରେ ୨୦୨୪ ଡିସେମ୍ବରରେ ରାସନକାର୍ଡ ହିତାଧିକାରୀଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୩୮ ହଜାର ୯୫୪। ବର୍ତ୍ତମାନ ଏହି ସଂଖ୍ୟା ହେଉଛି ୨ ଲକ୍ଷ ୨୫ ହଜାର ୭୨୨। ମାତ୍ର ସାଢ଼େ ତିନି ମାସ ମଧ୍ୟରେ ୧୩ ହଜାର ୨୩୨ ହିତାଧିକାରୀଙ୍କ ନାମକୁ ବାଦ୍ ଦିଆଯାଇଛି। ଏହି ସମୟ ମଧ୍ୟରେ ଆର୍ଏମ୍ସି ଅଞ୍ଚଳରୁ ପ୍ରାୟ ସାଢ଼େ ୪ ହଜାର ରାସନ କାର୍ଡ କଟିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଜିଲ୍ଲାରୁ ୧୦ ହଜାରରୁ ଅଧିକ ରାସନକାର୍ଡ ସଂଖ୍ୟା ବାତିଲ ହେବ ବୋଲି ଆକଳନ କରାଯାଉଛି। ଫଳରେ ଜିଲ୍ଲାର ୩୫ରୁ ୪୦ ହଜାର ହିତାଧିକାରୀ ବାଦ୍ ପଡିବ ବୋଲି ଆକଳନ କରାଯାଉଛି। ପ୍ରାୟ ୩୫% କାର୍ଡରେ ନକଲି ନାମ ଯୋଡ଼ା ଯାଇ ମାସକୁମାସ ପିଡିଏସ୍ ସାମଗ୍ରୀ ହଡ଼ପ କରାଯାଉଥିବା ଜଣାପଡ଼ିଛି।
ଲାକ୍ରା ନାମଧାରୀ ରାସନକାର୍ଡରେ ରହିଛି ମହାନ୍ତି, ଦାଶ ସାଙ୍ଗିଆ ଥିବା ନାମ। ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀ ଓ କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରାରେ ବର୍ଷବର୍ଷ ଧରି ଏଭଳି କେଳେଙ୍କାରୀ ଚାଲିଥିଲା। ବାଦ ପଡ଼ିଥିବା ୪୦ ହଜାରରୁ ପ୍ରାୟ ୩୫% ନକଲି ନାମ ଅର୍ଥାତ୍ ପାଖାପାଖି ୧୪ ହଜାର ଭୂତ ହିତାଧିକାରୀଙ୍କ ନାମରେ ପିଡିଏସ୍ ଚାଉଳ ବର୍ଷବର୍ଷ ଧରି ହଡ଼ପ ହେଉଥିଲା। ପ୍ରତି ୨୦ ଜଣରେ ୭ ଜଣଥିଲେ ନକଲି ହିତାଧିକାରୀ। ଏହି ଅନୁଯାୟୀ ହିସାବ କଲେ ମାସକୁ ପ୍ରାୟ ୭୦୦ କ୍ବିଣ୍ଟାଲ ପିଡିଏସ୍ ଦୁର୍ନୀତି ହେଉଥିଲା। ତେଣୁ ଏହି ମହାକେଳେଙ୍କାରୀରେ ସମ୍ପୃକ୍ତ ଅଧିକାରୀ ଓ କଣ୍ଟ୍ରୋଲ ଦୋକାନୀଙ୍କ ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ନେବେ ତା’ଉପରେ ବି ଜାଣିବା ଲୋକଙ୍କ ନଜର ରହିଛି।
ହିତାଧିକାରୀଙ୍କ ନାମ ବାଦ୍ ପଡିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୭ ହଜାର ୨୫୧ ରାସନ କାର୍ଡ ରହିଛି। ଏହି କାର୍ଡରୁ ୧୩ ଲକ୍ଷ ୩୧ ହଜାର ୪୦୩ ହିତାଧିକାରୀ ଉପକୃତ ହେଉଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ପୌରପାଳିକାରେ ୪ ହଜାର ୭୨୪ କାର୍ଡରେ ୧୫ ହଜାର ୭୮୨ ହିତାଧିକାରୀ ଅଛନ୍ତି। ରାଉରକେଲା ମହାରନଗର ନିଗମରେ ୬୫ ହଜାର ୯୫ କାର୍ଡରୁ ୨ ଲକ୍ଷ ୧୯ ହଜାର ୬୬୭ ହିତାଧିକାରୀ ଉପକୃତ ହେଉଛନ୍ତି। ବାଲିଶଙ୍କରା ବ୍ଲକରେ ୧୯,୯୪୯ କାର୍ଡରେ ୬୫,୨୪୭, ବଡଗାଁରେ ୧୫, ୬୩୬ କାର୍ଡରେ ୫୪,୨୪୦, ବୀରମିତ୍ରପୁର ପୌରପାଳିକାରେ ୬,୧୦୪ କାର୍ଡରେ ୨୦, ୫୮୨, ବିଶ୍ରାରେ ୧୫,୪୯୬ କାର୍ଡରେ ୫୨,୦୨୯, ବଣାଇରେ ୧୩,୯୩୭ କାର୍ଡରେ ୪୭,୨୩୧, ଗୁରୁଣ୍ଡିଆରେ ୧୪,୩୬୯ କାର୍ଡରେ ୫୨,୧୨୫, ହେମଗିରିରେ ୧୯,୧୩୪ କାର୍ଡରେ ୫୬,୫୯୦ ହିତାଧିକାରୀ ଅଛନ୍ତି।
ସେମିତି କୋଇଡ଼ାରେ ୧୫,୪୯୭ କାର୍ଡରେ ୫୭,୧୭୮, କୁଆରମୁଣ୍ଡାରେ ୨୧,୧୫୧ କାର୍ଡରେ ୮୦,୭୩୦, କୁତ୍ରାରେ ୧୭,୫୭୯ କାର୍ଡରେ ୬୨,୫୪୮, ଲହୁଣିପଡ଼ାରେ ୧୮,୬୩୩ କାର୍ଡରେ ୬୬,୩୪୮ ହିତାଧିକାରୀ ଉପକୃତ ହେଉଛନ୍ତି। ଲାଠିକଟା ବ୍ଲକରେ ୨୩,୫୬୦ କାର୍ଡରେ ୮୩,୭୪୫, ଲେଫ୍ରିପଡ଼ାରେ ୧୮,୨୬୦ କାର୍ଡରେ ୫୯,୪୪୨, ନୂଆଗାଁରେ ୨୨,୭୨୮ କାର୍ଡରେ ୮୨,୧୧୬, ରାଜଗାଙ୍ଗପୁରରେ ୨୧,୫୨୦ କାର୍ଡରେ ୮୧,୫୯୩, ରାଜଗାଙ୍ଗପୁର ପୌରପାଳିକାରେ ୮,୮୯୨ କାର୍ଡରେ ୨୯,୬୬୨, ସବ୍ଡେଗାରେ ୧୪,୫୯୧ କାର୍ଡରେ ୪୯,୪୧୧, ସୁନ୍ଦରଗଡ ସଦର ବ୍ଲକରେ ୧୫,୫୧୨ କାର୍ଡରେ ୪୮,୯୪୦ ଓ ଟାଙ୍ଗରପାଲି ବ୍ଲକରେ ୧୪,୮୯୪ କାର୍ଡରେ ୪୬, ୧୯୭ ହିତାଧିକାରୀ ଉପକୃତ ହେଉଛନ୍ତି।