ଭୁବନେଶ୍ବର: ରାଜ୍ୟର ମଠମାନଙ୍କୁ ସ୍ବତନ୍ତ୍ର ଆଧ୍ୟାତ୍ମିକ ସଂସ୍ଥାର ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛି ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ। ଆଜି ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ପରମ୍ପରାରେ ମଠମାନଙ୍କର ଗୁରୁତ୍ବ ଆବହମାନ କାଳରୁ ରହି ଆସିଛି। ମଠ ସ୍ଥାପନ ଦ୍ବାରା ସମଗ୍ର ଜଗତରେ ଆଧ୍ୟାତ୍ମିକ ଶୈକ୍ଷିକ, ସାଂସ୍କୃତିକ ଏବଂ ସାମାଜିକ ମଙ୍ଗଳ ସଂଘଟିତ ହୋଇ ଆସିଛି। କିନ୍ତୁ ଆଜି ଉକ୍ତ ମଠଗୁଡ଼ିକ ଅଧିକାଂଶ ପ୍ରଶାସନିକ ଉଦାସୀନତା ଏବଂ ସମାଜିକ ଉପେକ୍ଷାର ଶରବ୍ୟ। ଏହାର ପ୍ରମୁଖ କାରଣ ହେଉଛି ମଠ ଭିତରେ ଅସାମାଜିକ ବ୍ୟକ୍ତିମାନଙ୍କର ଅତିକ୍ରମଣ ଏବଂ ଅନ୍ୟ ସଂସ୍ଥାମାନଙ୍କ ଦ୍ବାରା ଏହାକୁ ବିବାଦୀୟ ତଥା ଦୁର୍ବଳ କରିଦେବାର ପ୍ରଚେଷ୍ଠା। ଏହାଦ୍ବାରା ମଠର ମାଲିକାନା ସହ ଗୁରୁ ଶିଷ୍ୟ ପରମ୍ପରା ଏବଂ ବିବିଧ ଉପାସନା ପଦ୍ଧତି ପ୍ରଭାବିତ ହେଉଛି।
ଏହା ବ୍ୟତୀତ ମଠମାନଙ୍କ ସୁରକ୍ଷା ପ୍ରତି ସରକାରଙ୍କ ଉଦାସୀନତା ହେତୁ ଅସାମାଜିକ ବ୍ୟକ୍ତିମାନେ ମଠରେ ଆପରାଧିକ କାର୍ଯ୍ୟକଳାପ ବଢ଼ାଇ ଚାଲିଛନ୍ତି। ତେଣୁ ଓଡ଼ିଶାର ମଠମାନଙ୍କୁ ସ୍ବତନ୍ତ୍ର ଅଧ୍ୟାତ୍ମିକ ସଂସ୍ଥାର ମାନ୍ୟତା ପ୍ରଦାନ କରାଯାଉ। ମଠମାନଙ୍କ ସମସ୍ୟା ଏବଂ ସୁରକ୍ଷା ଅଗ୍ରାଧିକାର ଭିତ୍ତିରେ ତ୍ବରିତ ସମାଧାନ କରିବା ପାଇଁ ସରକାରୀ ବିଜ୍ଞପ୍ତି ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ସଂପୃକ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରଦାନ କରାଯାଉ। ମଠର ଅନ୍ତେବାସୀ, ସାଧୁ ଓ ବହିରାଗତ ସନ୍ଥମାନଙ୍କୁ ସମ୍ମାନ ପ୍ରଦାନ ସହ ସେମାନଙ୍କର ରହଣି, ପ୍ରସାଦ, ଦର୍ଶନ, ପୂଜନ ଆଦି କାର୍ଯ୍ୟକୁ ସ୍ବତନ୍ତ୍ର ରୂପେ ବ୍ୟବସ୍ଥିତ କରିବା ଭଳି ୬ ଦଫା ଦାବି ଆଜି ସରକାରଙ୍କ ନିକଟରେ ରଖାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ମହାମଣ୍ଡଳେଶ୍ବର ଶ୍ରୀମହନ୍ତ ରାମକୃଷ୍ଣଦାସ ଜୀ, ମହନ୍ତ ଶ୍ରୀନାରାୟଣ ରାମାନୁଜ ଦାସ, ବିଜୟ ରାମାନୁଜ, ରାମଚରଣ ଦାସ, ରାମକୃଷ୍ଣ ଦାସ, ସୁବଳ ଚରଣ ଦାସ, ଶୁଭାନନ୍ଦ ପୁରୀ, ରଘୁବୀର ଦାସ, ଭବାନୀ ଶଙ୍କର ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, କୃଷ୍ଣଗୋପାଳ ଦାସ, ରାମନାରାୟଣ ଦାସ, କମଳ ଲୋଚନ ଦାସ, ଲଡ଼ୁଗୋପାଳ ଦାସ, ସୁଖରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।