କୋରାପୁଟ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ  ଦିନ ଯାଏଁ ଜିଲାରେ ଲଗାଣ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।  ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ସାଲୁର ଆଦି ଅଂଚଳରେ ବର୍ଷା ଲାଗି ରହିଥିବା ବେଳେ ଏହାର ପ୍ରଭାବ କୋରାପୁଟଜିଲାରେ ବି ଦେଖିବାକୁ ମିଳିଛି। ବୁଧବାର ପରି ଗୁରୁବାର ବି ଜିଲ୍ଲାରେ  ପ୍ରବଳ ବର୍ଷା ହୋଇଛି।  ଜିଲ୍ଲାରେ ଆଜି ୪୩୨ ମିଲିମିଟର ଓ ହାରାହାରି ୩୦.୮୭ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Advertisment

ପାଣିପାଗ ଦକ୍ଷିଣ ଓଡିଶାର ଅଭିବକ୍ତ କୋରାପୁଟ ଜିଲ୍ଲାର କୋରାପୁଟକୁ ରେଡୱାର୍ଣ୍ଣିଂ ଜାରୀ କରିଛି। ଗତ କାଲି ସକାଳ ୮ଟାରୁ ଆଜି ସକାଳ ୮ଟା ଯାଏଁ ଜିଲ୍ଲାର ଜୟପୁର ବ୍ଲକରେ ୯୯.୪ ମିମି ଓ ନନ୍ଦପୁର ବ୍ଲକରେ ୮୪ମିମି ସର୍ବାଧିକ ବର୍ଷା ହୋଇଛି। ନାରାୟଣପାଟଣା ବ୍ଲକରେ ସର୍ବନିମ୍ନ ୧.୨ମିମି ବର୍ଷା ହୋଇଛି।। ସେହିପରି କୋରାପୁଟ ବ୍ଲକରେ ୩୧ ମିମି, ଲମତାପୁଟ ବ୍ଲକରେ ୨୫ମିମି, ପଟ୍ଟାଙ୍ଗୀ ବ୍ଲକରେ ୧୩ମିମି, ବନ୍ଧୁଗାଁ ବ୍ଲକରେ ୮ମିମି, ଦଶମନ୍ତପୁର ବ୍ଲକରେ ୩୭ମିମି, ଲକ୍ଷ୍ମୀପୁର ବ୍ଲକରେ ୭.୨ମିମି, ସେମିଳିଗୁଡା ବ୍ଲକରେ ୩୩ମିମି, ବୈପାରୀଗୁଡା ବ୍ଲକରେ ୪ମିମି, କୁନ୍ଦ୍ରା ବ୍ଲକରେ ୧୫ମିମି, କୋଟପାଡ଼ ବ୍ଲକରେ ୪୬ମିମି ଓ ବୋରିଗୁମ୍ମା ବ୍ଲକରେ ୨୮.୪ମିମି ବର୍ଷା ହୋଇଛି।

ସେହିପରି କୋରାପୁଟ, ନବରଙ୍ଗପୁର, ମାଲାକାନଗିରୀ, କଳାହାଣ୍ଡି ଜିଲ୍ଲା ସହ ଛତିଶଗଡର ରାୟପୁର ଓଜଗଦଲପୁରର ଲାଇଫଲାଇନ୍ ରାସ୍ତା କୁହାଯାଉଥିବା ଏନଏଚ ୨୬ର ସୁଙ୍କି ଘାଟି ରାସ୍ତାରେ ଆଜି ବି ୨ଟି ସ୍ଥାନରେ ମାଟି ଅତଡା ଖସିଥିବା ସୂଚନା ମିଳିଛି।  ରାସ୍ତାପାର୍ଶ୍ବ ଧୋଇ ହୋଇଯାଇଛି। ଏପରିକି ଆନ୍ଧ୍ର ଓଡିଶା ସୀମାର କିଲୋମିଟର ମଧ୍ୟରେ ଆନ୍ଧ୍ର ସୀମାରେ ଗୋଟିଏ ସ୍ଥାନରେ ଓ ସୁଙ୍କି ନିକଟବର୍ତ୍ତୀ ପାହାଡରେ ଗୋଟିଏ ସ୍ଥାନରେ ମାଟି ଅତଡା, ପଥର ଖସି ରାସ୍ତା ଦୀର୍ଘ ସମୟ ଧରି ଜାମ ରହିଛି। ଏପରିକି ରାସ୍ତା ଉପରେ କୃତ୍ରିମ ପୋଖରୀ ଭଳି ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମା ରହିଛି। ସେଭଳି ରାସ୍ତା ଉପରେ ମାଟି ପଥର ପଡିଥିବାରୁ ଏହି ରାସ୍ତା ଦେଇ ଏବେ ଲୋକେ ଯିବା ଆସିବା କରିବାକୁ ବିପଦ ମଣୁଛନ୍ତି। ଗତ କିଛି ଦିନ ହେବ ବର୍ଷା ହେବା ମାତ୍ରକେ ମାଟି ଖସୁଥିଲେ ହେଁ ଉଭୟ ସରକାର କିଛି ଆଶୁ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

ଏହି ରାସ୍ତାରୁ ତୁରନ୍ତ ମାଟି ଅତଡା ନ ହଟାଇଲେ ଆଗାମୀ ଦିନରେ ଘରୋଇ ବସ ମାଲିକ ସଂଘ , ଟ୍ୟାକ୍ସି ମାଲିକ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଂଘ ଗୁଡିକ ପକ୍ଷରୁ କୁହାଯାଇଛି। ସେଭଳି ଘାଟିରେ ଘନ କୁହୁଡି ଦେଖା ଦେଇଥିବାରୁ ଗାଡି ଚଳାଚଳରେ ବାଧା ଉପୁଜୁଛି।   ସେହି ପରି ଆଜି ଜିଲ୍ଲାରେ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ସୂଚନା ମିଳିଛି। ବର୍ଷା ଫଳରେ ଖାସ୍ କରି ଉଠା ଦୋକାନୀ, ଦିନ ମଜୁରିଆ ମାନେ ବେଶି ପ୍ରଭାବିତ ହୋଇଥିଲେ। ଆସନ୍ତାକାଲି ବି ଅବିଭକ୍ତ କୋରାପୁଟ ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟଜିଲ୍ଲାପ୍ରଶାସନ ପକ୍ଷରୁ ଆସନ୍ତାକାଲିକୁ ସବୁ ସ୍କୁଲ ଓ ଅଙ୍ଗନୱାଡୀ କେନ୍ଦ୍ରକୁ ଛୁଟି ଘୋଷଣା କରିଥିବା ସୂଚନା ମିଳିଛି।