କେଇ ସେକେଣ୍ଡ୍ର ଏକ କ୍ଷୁଦ୍ର ଭିଡିଓ ବା ‘ରିଲ୍’ ଆଜି ଜଣଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଲୋକପ୍ରିୟ କରିଦେଇପାରେ- ଏହି ସମ୍ଭାବନାର ଦୁର୍ବାର ଆକର୍ଷଣ ଅଧିକରୁ ଅଧିକ ମହିଳାଙ୍କୁ ରାତାରାତି ପ୍ରସିଦ୍ଧି ଅର୍ଜନର ମାୟାରେ ଛନ୍ଦିବାରେ ସଫଳ ହୋଇଛି। ତେଣୁ ରାସ୍ତାଘାଟ, ହାଟବଜାରରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ସବୁଠାରେ, କେହି ନା କେହି ରିଲ୍ ଭିଡିଓ ପ୍ରସ୍ତୁତିରେ ବ୍ୟସ୍ତ ଥିବାର ଦୃଶ୍ୟ ଏବେ ଅତି ସାଧାରଣ ପାଲଟିଲାଣି।
କେତେକ ସ୍ଥଳରେ ଦକ୍ଷତାସମ୍ପନ୍ନ କଳାକାରମାନେ ସୃଜନଶୀଳ ନୃତ୍ୟାଭିନୟ ଜରିଆରେ ଏହାକୁ ଏକ ପେସାରେ ପରିଣତ କରୁଥିବା ବେଳେ ଅଧିକାଂଶ ‘ରିଲ୍’ ପ୍ରସ୍ତୁତକାରୀ କିନ୍ତୁ ନିଜକୁ ବିଜ୍ଞପିତ କରି ସେଲିବ୍ରିଟି ହେବାର କ୍ଷଣିକ ସୁଖ ହାସଲର ଉଦ୍ୟମ କରୁଥାନ୍ତି। ଉଦ୍ଦେଶ୍ୟ ଯାହା ହେଉ, ବିଶେଷ କରି ସ୍ମାର୍ଟଫୋନ୍ ଓ ସାମାଜିକ ଗଣମାଧ୍ୟମ ସହ ନୂଆ କରି ପରିଚିତ ହେଉଥିବା ମହିଳାମାନେ ଏହାକୁ ନିଜ ସ୍ବାଧୀନ ଅଭିବ୍ୟକ୍ତି ପରିପ୍ରକାଶର ମାଧ୍ୟମ ରୂପେ ବ୍ୟବହାର କରୁଛନ୍ତି, ଯାହା ସେମାନଙ୍କ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି କରୁଥିବ। ତେବେ ଯେ କେହି ବି ସ୍ବୀକାର କରିବେ ଯେ ସବୁଥିର ସ୍ଥାନ-କାଳ-ପାତ୍ର ରହିଛି।
ତେଣୁ ସାର୍ବଜନୀନ ସ୍ଥାନରେ ରିଲ୍ ପ୍ରସ୍ତୁତ କରିବା ସମୟରେ ଅନ୍ୟମାନେ ଯେ ଅସ୍ବସ୍ତି ଅନୁଭବ କରୁଛନ୍ତି ଏହା ହୃଦୟଙ୍ଗମ କରି ନପାରିବା ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଏହାର କେତେକ ଉଦାହରଣ ହେଉଛି ଦିଲ୍ଲୀ ମେଟ୍ରୋରେ ଜଣେ ମହିଳା ଅଶାଳୀନ ଭଙ୍ଗୀ ପ୍ରଦର୍ଶନ କରି ନୃତ୍ୟ କରିବା, ହୋଲି ସମୟରେ ସେହି ମେଟ୍ରୋ ଭିତରେ ଦୁଇଜଣ ନାବାଳିକା ପରସ୍ପରଙ୍କ ଦେହରେ ହୋଲି ବୋଳିବା, ଏକ ବିମାନର ଆସନ ମଧ୍ୟସ୍ଥ ରାସ୍ତାରେ ଜଣେ ମହିଳା ଏଆର୍ ରେହମାନଙ୍କ ଗୀତ ‘ଷ୍ଟାଇଲ୍ ଷ୍ଟାଇଲ୍’ର ତାଳେ ତାଳେ ନୃତ୍ୟ କରିବା, ଉତ୍ତର ପ୍ରଦେଶର ଏକ ଭିଡ଼ ରାସ୍ତାରେ କାର୍ରୁ ଓହ୍ଲାଇ ରାସ୍ତା ଉପରେ ବର୍ଷାରେ ଭିଜିଭିଜି ନାଚିବା। ଏଭଳି କେତେକ ଭିଡିଓରେ ରିଲ୍ ପ୍ରସ୍ତୁତକର୍ତ୍ତାଙ୍କ ପାଖରେ ଥିବା ଲୋକଙ୍କ ମୁହଁରୁ ବିରକ୍ତିଭାବ ସ୍ପଷ୍ଟ ଦେଖାଯାଉଛି। ବିପଦପୂର୍ଣ୍ଣ ଢଙ୍ଗରେ ରିଲ୍ ପ୍ରସ୍ତୁତ କରୁଥିବା ବେଳେ ମହିଳାମାନେ ମୃତାହତ ହେଉଥିବାର ମଧ୍ୟ ଦେଖାଯାଉଛି।
ରୂଢ଼ିବାଦୀମାନେ ଏହାର ସମାଧାନ ସ୍ବରୂପ ‘ରିଲ୍’ ଉପରେ ଲଗାମ ଲଗାଇବା ସପକ୍ଷରେ ଯୁକ୍ତି ବାଢ଼ିଥାନ୍ତି, ଯାହା ବାସ୍ତବରେ ସଂବିଧାନପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତାକୁ କ୍ଷୁଣ୍ଣ କରିବ। ରିଲ୍ ପ୍ରସ୍ତୁତ କରିବା ସୁସ୍ଥ ଅଭିବ୍ୟକ୍ତି ନା ଉପଦ୍ରବ ତାହା ସ୍ଥାନ, ପରସ୍ଥିତି ଭଳି ବିଭିନ୍ନ କାରକ ନିର୍ଦ୍ଧାରିତ କରୁଥିବାରୁ ସେଗୁଡ଼ିକ ଭିତରର ବିଭାଜନରେଖା ସ୍ଥିର କରିବା କଷ୍ଟକର। ତେଣୁ ‘ରିଲ୍’ ପ୍ରସ୍ତୁତ କରୁଥିବା ମହିଳାମାନେ ନିଜେ ପାରିପାର୍ଶ୍ବିକ ପରିସ୍ଥିତିକୁ ଲକ୍ଷ୍ୟ କରି କେଉଁଠି ‘ରିଲ୍’ ପ୍ରସ୍ତୁତ କରିବା ଠିକ୍ ନୁହେଁ ତାହା ବିଚାର କରିବା ଜରୁରି। ରିଲ୍ ଉପଦ୍ରବୀ ଯଦି ସାର୍ବଜନୀନ ସ୍ଥାନରେ ଆଇନ ଉଲ୍ଲଂଘନ କରୁଛନ୍ତି ତେବେ ଦେଖଣାହାରୀ ସେ ନେଇ ଅଭିଯୋଗ କରିବା ଉଚିତ।