ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବାଇପାସ ରାସ୍ତା ସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି, ଖଣ୍ଡପଡ଼ା ବିଧାୟକଙ୍କ ଭାପୁର ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଶ୍ରୀ ରଣସିଂହ ଏକ ସ୍କୁଟି ଯୋଗେ ଭାପୁର ବଜାରରୁ ନିଜ ଗ୍ରାମ ମରିଚିଆ ଅଭିମୁଖେ ଯିବା ସମୟରେ ପଛ ପାଖରୁ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ପାର୍ଶ୍ୱକୁ ଖସିପଡିବା ସହ ଗୁରୁତର ଆହତ ହୋଇଥିଲେ। ଖବରପାଇ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭାପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଦୁର୍ଘଟଣାରେ ଶ୍ରୀ ରଣସିଂହଙ୍କ ବାମ ଗୋଡ଼ ଭାଙ୍ଗିଥିବା ନେଇ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଅନ୍ୟପକ୍ଷରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି। ସେହିପରି ଉଦ୍ଦେଶ୍ୟମୂଳକ ଭାବେ ଦୁଇଟି ଗାଡି ତାଙ୍କୁ ଧକ୍କା ଦେଇଥିବା ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଶ୍ରୀ ରଣସିଂହଙ୍କ ଆହତ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସମାନଭାବେ ସ୍ଥାନୀୟ ପୁଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରାଯାଇଥିବା ମଧ୍ୟ ହସ୍ପିଟାଲରେ ତଦନ୍ତ କରାଯାଉଥିବା ସୂଚନା ମିଳିଛି। ଭାପୁର ଅଂଚଳର ଜଣେ ତୁଙ୍ଗ ରାଜନେତା ଭାବରେ ପରିଚିତ ଶ୍ରୀ ରଣସିଂହ ଦୁର୍ଘଟଣାର ଶିକାର ହେବା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଥିବା ବେଳେ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2024/10/16/R3JQN8in4OJGAMNi93zB.jpg)