ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କରୋନା କଟକଣା । ସ୍କୁଲ,କଲେଜ, ସିନେମା ହଲକୁ ପୁଣି ବନ୍ଦ କରାଯାଇଛି । ଦିଲ୍ଲୀରେ ପୁଣି ସଂକ୍ରମଣ ଦ୍ରୁତ ଗତିରେ ବଢିବା ଆରମ୍ଭ କରିଥିବାରୁ ଦିଲ୍ଲୀର କେଜ୍ରିଓ୍ବାଲ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଦିଲ୍ଲୀରେ ବଢିଚାଲିଥିବା କରୋନା ସଂକ୍ରମଣ ବିଶେଷକରି ଓମିକ୍ରନ ସଂକ୍ରମଣ ସ୍ଥିତିର ସମୀକ୍ଷା କରାଯାଇଥିଲା । ଏହା ପରେ ସହରରେ ହଳଦିଆ ସତର୍କତା ଜାରି କରାଯାଇଛି । ଏହି କଟକଣା ଅନୁସାରେ ଦିଲ୍ଲୀରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ସିନେମା ହଲ, ଜିମ, ସ୍ପା ଆଦିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଡିଟୋରିଅମ, ସଭାଗୃହ, ମନୋରଂଜନ ପାର୍କ, ଯୋଗ କେନ୍ଦ୍ର ଆଦି ମଧ୍ୟ ବନ୍ଦ ରହିବ ।
ଦିଲ୍ଲୀର ଲାଇଫଲାଇନ କୁହାଯାଉଥିବା ମେଟ୍ରୋ ଟ୍ରେନକୁ ୫୦ ପ୍ରତିଶତ କ୍ଷମତା ସହ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ରାଜ୍ୟକୁ ଯାଉଥିବା ବସଗୁଡ଼ିକ ୫୦ ପ୍ରତିଶତ ସିଟିଂ କ୍ଷମତାରେ ଚାଲିପାରିବ । ରେସ୍ତୋରାଁ ଗୁଡ଼ିକ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ଗ୍ରାହକରେ ଖୋଲାଯାଇପାରିବ । ତେବେ ସେଲୁନଗୁଡ଼ିକ ଖୋଲା ରହିବ ।
ବେସରକାରୀ ସଂସ୍ଥାରେ ୫୦ ପ୍ରତିଶତ କର୍ମଚାରୀ ସକାଳ ୯ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦିଆଯାଇଛି । ସେହିପରି ଦିଲ୍ଲୀ ମେଟ୍ରୋ ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ରାଜ୍ୟ ବାହାରକୁ ଯାତାୟତ କରୁଥିବା ବସ୍ ଗୁଡିକ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚାଲିପାରିବ । ସେହିଭଳି ଅଟୋ, ଇ-ରିକ୍ସା, ଟେକ୍ସି ସାଇକେଲ ରିକ୍ସାଗୁଡିକ ମାତ୍ର ୨ ଜଣ ଯାତ୍ରୀଙ୍କୁ ନେଇ ଯାଇପାରିବେ ।
ବାହାଘର, ଅନ୍ତିମ ସଂସ୍କାର ଭଳି କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଲୋକ ଯୋଗ ଦେଇପାରିବେ । ଧାର୍ମିକ ସ୍ଥଳ ଖୋଲା ରହିବ କିନ୍ତୁ ଶ୍ରଦ୍ଧାଳୁ ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ରାଜନୈତିକ, ଧାର୍ମିକ, ଉତ୍ସବ ଓ ମନୋରଞ୍ଜନ ସହିତ ଜଡିକ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ।
ଏହି ବୈଠକ ପରେ କେଜ୍ରିଓ୍ବାଲ କହିଛନ୍ତି ଯେ ଗତ ଥର ତୁଳନାରେ ଏଥର ମହାମାରୀର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସହରରେ ସଂକ୍ରମଣ ବଢୁଥିଲେ ବି ଅକ୍ସିଜେନ ଓ ଭେଣ୍ଟିଲେଟର ବ୍ୟବହାର ବୃଦ୍ଧି ପାଇନାହିଁ ।