ରାଉରକେଲା: ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ରାଉରକେଲା ମହାନଗର ନିଗମ ସଭାଗୃହରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସହରାଞ୍ଚଳରେ ଚାଲିଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମ ସମେତ ରାଉରକେଲା ସରକାରୀ ଡାକ୍ତରଖାନା, ପୁଲିସ ପ୍ରଶାସନ, ଟାଟା ପାୱାର, ଯୋଗାଣ ଆଦି ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନା ତଥା ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣି ଆରଏମସି ତରଫରୁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ସମ୍ବନ୍ଧରେ ମାନ୍ୟବର ବାଚସ୍ପତିଙ୍କୁ ସୂଚନା ଦେଇଥିଲେ। ଆରଏମସି ତରଫରୁ ହୋଇଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣଠାରୁ ଆରମ୍ଭ କରି ଆଗାମୀ ଦିନରେ ହେବାକୁ ଥିବା ନୂତନ ପ୍ରକଳ୍ପ ଗୁଡ଼ିକ ବିଷୟରେ କମିଶନର ଶ୍ରୀ କୁଲକର୍ଣ୍ଣି ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ରାଉରକେଲା ସରକାରୀ ଚିକିତ୍ସାଳୟ ସମେତ ଯୋଗାଣ ବିଭାଗ, ଟାଟା ପାୱାର ଏବଂ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ବିଭାଗୀୟ କାର୍ଯ୍ୟ ବାବଦରେ ଉପବାଚସ୍ପତିଙ୍କୁ ସୂଚନା ଦେଇଥିଲେ।
ସମୀକ୍ଷା ବୈଠକରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଆର୍ଏମ୍ସିର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।