ଧାନକିଣାରେ ମହାଦୁର୍ନୀତି; ନୟାଗଡ଼ ଇଟାମାଟି ପ୍ୟାକ୍ସ ସମ୍ପାଦକ ନିଲମ୍ବିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ସେବା ସମବାୟ ସମିତି(ପ୍ୟାକ୍ସ)ରେ ଚଳିତ ଖରିଫ୍‌ ଋତୁରେ ଧାନକିଣାରେ ବ୍ୟାପକ ଅନିୟମିତା ଘଟଣାରେ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି। ଇଟାମାଟି ପ୍ୟାକ୍ସରେ ବର୍ଷ ବର୍ଷ ଧରି ପଡ଼ିଆ ଜମି ପ୍ଲଟ ନମ୍ବର ସହିତ ନକଲି ଚାଷୀ ପଞ୍ଜିକରଣ କରାଯାଇ କେଳେଙ୍କାରୀ କରାଯାଇଥିବା ନେଇ ‘ସମ୍ବାଦ’ରେ ଲଗାତାର ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା। ଏପରିକି ଲିମ୍ବ, ନଡ଼ିଆ, ଚାକୁଣ୍ଡା ଗଛ ଥିବା ଜମିରେ ଧାନ ଫଳୁଥିବା ଦର୍ଶାଯାଇଥିଲା। ଚାଷୀ ଏଥିନେଇ ପ୍ରଥମେ ‘ସମ୍ବାଦ’ ନିକଟରେ ପ୍ୟାକ୍ସ ସମ୍ପାଦକଙ୍କ ଏଭଳି ଜାଲିଆତି ନେଇ ଅଭିଯୋଗ କରିବା ସହିତ ଜିଲ୍ଲାପାଳ ପୋମା ଟୁଡୁଙ୍କୁ ଭେଟି ଅଭିଯୋଗ କରିଥିଲେ।

ପ୍ୟାକ୍ସ ସମ୍ପାଦକ ପ୍ରକୃତ ଚାଷୀଙ୍କୁ ଅଣଦେଖା କରି ବେପାରୀଙ୍କ ଠାରୁ ଧାନ ସଂଗ୍ରହ କରିବା ପାଇଁ ଏଭଳି ଜାଲିଆତି କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଗତ ୨୫ ତାରିଖରେ କରାଯାଇଥିଲା। ତଦନ୍ତ ପରେ ଘଟଣାର ସତ୍ୟତା ପ୍ରମାଣ ହେବାରୁ ସମ୍ପାଦକ ଶ୍ରୀ ପ୍ରଧାନଙ୍କୁ ଆଜି ନିଲମ୍ବିତ(ଚିଠି ନମ୍ବର ୮୪୧/ସିଏସ୍‌/୨୦୨୦) କରାଯାଇଥିବା ନୟାଗଡ଼ ଜିଲ୍ଲା ସମବାୟ ସମିତି ସହକାରୀ ନିବନ୍ଧକ ଭାସ୍କରଚନ୍ଦ୍ର ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର