ରାଞ୍ଚି: ଅନ୍ୟ ବର୍ଷର ନିର୍ବାଚନ ଭଳି ଏବର୍ଷ ମଧ୍ୟ ସୋମବାର ଭୋର୍ ୪ଟାରେ ନିଦରୁ ଉଠିଲେ ରିଜ୍ଓ୍ଵାନ୍ ଆଲାମ୍ ଏବଂ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ନିଜର ମତଦାନ କରିବାକୁ ଦୁଇ କିଲୋମିଟର୍ ଚାଲି ଚାଲି ଗଲେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ମତଦାନ କେନ୍ଦ୍ରକୁ।
ଭୋର୍ ପାଞ୍ଚଟାରେ ବୁଥ୍ ସାମ୍ନାରେ ପହଞ୍ଚି ପ୍ରଥମେ ଧାଡ଼ି ବାନ୍ଧିବା ଆରମ୍ଭ କରି ୩୬ ବର୍ଷିୟ ଆଲାମ୍ ରାଞ୍ଚିର ପ୍ରଥମ ଭୋଟର୍ ହୋଇଛନ୍ତି। ହାର୍ମୁ ଅଞ୍ଚଳର ଥିବା ସେଣ୍ଟ୍ ଫ୍ରାନ୍ସିସ୍ ସ୍କୁଲ୍ରେ ଚାଲିଥିବା ବୁଥ୍ ନମ୍ବର ୨୮୭ରେ ଏଥରକୁ ମିଶାଇ ଆଲାମ୍ ତିନି ଥର ସର୍ବ ପ୍ରଥମ ଭୋଟ୍ ଦେଲେଣି।
ହାମ୍ରୁର ଇମ୍ଲି ଚୌକ୍ ବାସିନ୍ଦା ତଥା ଦରଜୀ କାମ କରୁଥିବା ଆଲାମ୍ କହନ୍ତି: ତୃତୀୟ ଥର ପାଇଁ ମୁଁ ପ୍ରଥମ ଭୋଟର୍ ସାର୍ଟିଫିକେଟ୍ ପାଇଲି।
ମୋତେ ଦେଶ ଗଠନ ସହ ପ୍ରତ୍ୟକ୍ଷ ଜଡ଼ିତ କରୁଥିବାରୁ ମୋ ପାଇଁ ଭୋଟ୍ ଦାନ ଅତି ଗୁରୁତ୍ୱପୂର୍ଣ୍ଣ। ଯେଉଁ ସରକାର ଆସୁ ନା କାହିଁକି, ତାହା କେବଳ ଆମ ସକାଶେ। ତେଣୁ, ସଭିଏଁ ଆସି ଭୋଟ୍ ଦେବା ଉଚିତ।
ଏଥର ନିଜ ବୁଥ୍ରେ ପ୍ରଥମ ଭୋଟର୍ ହୋଇ ପାରି ନ ଥିବା କାରଣରୁ ପତ୍ନୀ ମମତାଜ ବେଗମଙ୍କ ଉପରେ ଚିଡ଼ି ଯାଇଛନ୍ତି ଆଲାମ୍। ଘର କାମ ଯୋଗୁଁ ସେ ଟିକିଏ ଡେରିରେ ଆସି ପହଞ୍ଚିଥିଲେ। ତେଣୁ, ସେ ସୁଯୋଗ ହରାଇଲେ।
ସେଲ୍ଫିଟିଏ ଉଠାଇବାକୁ ଆଲାମ୍ଙ୍କୁ ଅନୁରୋଧ କରିଥିବା ରାଞ୍ଚି ଡେପୁଟି କମିସନର୍ ରାଇ ମହିମାପତ ରାୟ କହନ୍ତି: ଆଲାମ ପରି ଲୋକ ସମାଜ ପାଇଁ ଦୃଷ୍ଟାନ୍ତ, ଯିଏ ଲୋକଙ୍କୁ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଉତ୍ସାହ ଦେଉଛନ୍ତି। ଆମେ ଏକଥା ପ୍ରଶଂସା କରିବା କଥା।
ଝାଡ଼ଖଣ୍ଡରେ ୪ଟି ସଂସଦୀୟ କ୍ଷେତ୍ରରୁ ରାଞ୍ଚି ଅନ୍ୟତମ। ଆଜି ସେଠାରେ ମତଦାନ ଚାଲିଛି। ସେଠାରେ ୧୯. ୧୦ ଲକ୍ଷ ଭୋଟର୍ ୨୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସକାଳ ୯ଟା ସୁଦ୍ଧା ଏଠାରେ ୧୫. ୬୯% ଭୋଟ୍ ଗ୍ରହଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/alam.jpg)