ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ନିର୍ବାଚନ ହେଉ ନଥିବାରୁ ପ୍ରତ୍ୟେକ ବିଭାଗରେ କାମ୍‌ ଠିକ୍‌ ହେଉ ନଥିବା ବାରମ୍ବାର ଅଭିଯୋଗ ହେଉଛି। ସରକାର ବଦଳିବାପରେ ସ୍ଥିତିର ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଥିଲା। ସରକାର ଆସିବାର ବର୍ଷକ ପରେ ମଧ୍ୟ ଫଳ ଶୂନ୍‌। ଅଧିକାରୀମାନେ କୌଣସି ସୂଚନା ଦେବାକୁ ରୋକଠୋକ୍‌ ମନା ଦେଉଛନ୍ତି। ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ ମଧ୍ୟ ଦେଉ ନାହାନ୍ତି। ଆର୍‌ଏମ୍‌ସି ପରିବହନ ସଂସ୍ଥାରେ ଚାଲିଥିବା କାମକୁ ନେଇ ଅନେକ ସମୟରେ ବିବାଦ ଉପୁଜିଛି। ୪୦ ୱାର୍ଡରେ ଅଳିଆ ଆବର୍ଜନା ଉଠାଇବାକୁ  ଆର୍‌ଏମ୍‌ସି ଗାଡ଼ି ଯୋଗାଇଦେଇଛି। ଠିକାସଂସ୍ଥା କର୍ମଚାରୀ ଯୋଗାଇ ଦେଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସଂସ୍ଥା ବର୍ଷ ବର୍ଷ ଧରି କାମ କରିବାକୁ ସୁ‌ଯୋଗ ଦିଆଯାଉଛି।

Advertisment

ଠିକା ସଂସ୍ଥା ଅଧିନରେ କାମ କରୁଥିବା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରି ମିଳୁନି। ଇଏସ୍‌ଆଇ ଓ ପିଏଫ୍‌ ଠିକ୍‌ ଭାବେ ମିଳୁ ନଥିବା ସୌମ୍ୟରଞ୍ଜନ ସର୍ଦ୍ଦାର, ଦୀପକ ବାଗ୍‌, ଅଭିମନ୍ୟୁ ରାଉତ, ପ୍ରଶାନ୍ତ ଏକ୍କା, ୱିଲ୍‌ସନ୍‌ ମୁଣ୍ଡା, ସୁଧାଂଶୁ ନାଗ ଅଭିଯୋଗ କରିଛନ୍ତି। ସୌମ୍ୟରଞ୍ଜନ ଏ ସଂକ୍ରାନ୍ତରେ ଶ୍ରମ କାର୍ଯ୍ୟାଳୟର ଯୁଗ୍ମ ଶ୍ରମଆୟୁକ୍ତଙ୍କ ଚିଠି ଲେଖିଥିଲେ। ସେ ତାଙ୍କ ଚିଠିରେ ଦର୍ଶାଇଥିଲେ, ଆର୍‌ଏମ୍‌ସି ପରିବହନ ଅଧୀନରେ କାର୍ଯ୍ୟରତ ଠିକାସଂସ୍ଥା କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରି, ଭବିଷ୍ୟନିଧି ପାଣ୍ଠି, ଇଏସ୍ଆଇ ଠିକ୍‌ ଭାବେ ପୈଠ କରୁନାହାନ୍ତି। ସେମିତି ସୌମ୍ୟରଞ୍ଜନ  ଆର୍‌ଏମ୍‌ସି କମିସନରଙ୍କୁ ଚିଠି‌ ଲେଖି ସେମାନଙ୍କର ଦୁଃଖ ଜଣାଇଥିଲେ। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ,  ୩୦ଦିନ କରୁଥିବା କର୍ମଚାରୀଙ୍କୁ  ୨୬ ଦିନର ଦରମା ଦିଆଯାଉଛି। ମହାନଗର ନିଗମ ପରିବହନ ବିଭାଗରୁ  ୩୦ ଦିନର ଦରମା ଉଠାଉଛନ୍ତି। ଅଭିଯୋଗ ପାଇବା ପରେ  ଯୁଗ୍ମ ଶ୍ରମଆୟୁକ୍ତ ଠିକାସଂସ୍ଥା ଓ ଆର୍‌ଏମ୍‌ସି କମିସନରଙ୍କୁ ତଦନ୍ତ କରି ଲିଖିତ ରିପୋର୍ଟ ଦେବାକୁ କହିଥିଲେ। ଆଜି ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରିଲା ନାହିଁ। କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ଓଲଟା କିଛି କର୍ମଚାରୀଙ୍କୁ କାମରୁ ବିଦା କରି ଦିଆଗଲା।

କେବଳ ପରିବହନ ବିଭାଗ ନୁହେଁ ଅନ୍ୟ କିଛି ବିଭାଗରେ ମଧ୍ୟ ସମାନ ସମସ୍ୟା ଉପୁଜିଛି। ପୂର୍ବତନ ନରଗରପାଳ ନିହାର ରାୟ କହିଛନ୍ତି, ସରକାର ନିୟମ ବିରୋଧୀ କାମ ହେବା କଥା ନୁହେଁ। ବିଭାଗୀୟ ଉଚ୍ଚ ଅଧିକାରୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ନ ହେଲେ ବିଭାଗ ଉପରୁ ସହରବାସୀଙ୍କ ଭରସା ତୁଟିଯିବ। ବିଜେଡ଼ିର ବରି‌ଷ୍ଠ ନେତା ବିରେନ ସେନାପତି କହିଛନ୍ତି, ଆର୍‌ଏମ୍‌ସି ପରିବହନ ସଂସ୍ଥା ମାସକୁ ଯେତିକି ବିଲ୍‌ ହେଉଛି, ସେତିକି ଲୋକ କାମ କରୁନାହାନ୍ତି। ବାଇଓ ମେଟ୍ରିକ୍‌ ଉପସ୍ଥାନ ରହୁନି। ଶ୍ରମ ଅଧିକାରୀ ଚିଠି ଲେଖିବା ପରେ କୌଣସି ପଦକ୍ଷେପ ନିଆଯାଉନି। ତେଣୁ ପରିବହନ ବିଭାଗ ଚାଲିଥିବା କାମର ସ୍ବତନ୍ତ୍ର ଅଡିଟ୍‌ ହେବାର ଆବଶ୍ୟକତା ରହିଛି।

 କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଆର୍‌ଏମ୍‌ସି ପ୍ରତିନିଧି ପ୍ରକାଶ ପାଶ୍ବାନ କହିଛନ୍ତି, ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିଛି। ସମସ୍ତ କାମର ସ୍ବଚ୍ଛତା ରହିବା ଦରକାର। ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌ଙ୍କ ସହ ଆଲୋଚନା କରିବି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ନିଶ୍ଚିତ ଭାବେ ବିଭାଗୀୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ। ଯେଉଁମାନେ ଏଭଳି କାମ କରୁଥିବ‌େ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ତେବେ ଆର୍‌ଏମ୍‌ସି କମିସନର ପରିବହନ ସଂସ୍ଥାରେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।