ରାଉରକେଲା: ବିଲ୍ଡିଂ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ପ୍ଲାନକୁ ଅନୁମତି ମିଳିଥିଲା। କିନ୍ତୁ ଏହାକୁ ଅଣଦେଖାକରେ ଘର ମାଲିକ ମନମର୍ଜି ଅନ୍ୟ ଏକ ଢାଞ୍ଚାରେ ଗୃହ ନିର୍ମାଣ କରୁଥିଲେ। ଏଭଳି ବେଆଇନ ନିର୍ମାଣକାର୍ଯ୍ୟକୁ ବନ୍ଦ କରିବାକୁ ବାରମ୍ବାର ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ଭୃକ୍ଷେପ ନକରି ଘର ମାଲିକ ନିର୍ମାଣକାର୍ଯ୍ୟ ଚାଲୁ ରଖିଥିଲେ। ଶେଷରେ ଆର୍ଏମ୍ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ପୁନର୍ବାର ଆର୍ଏମ୍ସି ପକ୍ଷରୁ ବିଲ୍ଡିଂରେ ନୋଟିସ ଲଗାଯାଇଛି।
ଦୀର୍ଘଦିନ ହେଲା ପାନପୋଷ କାଳୀ ମନ୍ଦିର ନିକଟରେ ବହୁ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେଉଛି। ଏହି ବିଲଡିଂର ନିର୍ମାଣ ପାଇଁ ଆର୍ଏମ୍ସି ପକ୍ଷରୁ ଏକ ବିଲ୍ଡିଂ ପ୍ଲାନକୁ ଅନୁମୋଦନ କରାଯାଇଥିଲା। କିନ୍ତୁ ମାଲିକ ଉକ୍ତ ପ୍ଲାନରେ ବିଲ୍ଡିଂ ନିର୍ମାଣ ନକରି ନିଜସ୍ଵ ଢାଞ୍ଚାରେ ବିଲ୍ଡିଂ ନିର୍ମାଣ କରୁଥିଲେ। ଏନେଇ ୨୦୨୩ ମସିହାରେ ସଂପୃକ୍ତ ମାଲିକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ଏହାକୁ ଅବମାନନାକରି ନିର୍ମାଣକାର୍ଯ୍ୟ ଜାରିରଖିଥିଲେ। ପରବର୍ତ୍ତୀ ସମୟରେ ଆଉ ଏକ ନୋଟିସ ଜାରି ହୋଇଥିଲେ ମଧ୍ୟ କାର୍ଯ୍ୟ ବନ୍ଦ ହୋଇନଥିଲା। ବାରମ୍ବାର ନୋଟିସ ସତ୍ତ୍ଵେ ନିର୍ମାଣକାର୍ଯ୍ୟ ବଳବତ୍ତର ରହିବାରୁ ଆଜି ଆର୍ଏମ୍ସି ଡେପୁଟି କମିସନର ଅନୀତା ନାଏକଙ୍କ ସହ ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳଙ୍କ ଉପସ୍ଥିତିରେ ଆର୍ଏମ୍ସିର ପ୍ଲାନିଂ ଓ ଏନଫୋର୍ସ୍ମେଣ୍ଟ୍ ଟିମ୍ ବିଲଡିଂରେ ନୋଟିସ୍ ମାରିଥିଲେ।