ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି | ସେ ଭୁବନେଶ୍ବରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଉଦ୍ଘାଟନ କରିବେ ଏବଂ ଏଥିନିମନ୍ତେ ବିପୁଳ ଜନସମାଗମ ହେବାର ଆଶଙ୍କା ଅଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁଗମନାଗମନ ଓ ପାର୍କିଙ୍ଗ ନିମନ୍ତେ ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ୱର – କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ ର ଧାରା ୩୬ କୁ ଆଧାର କରି କମିସନରେଟ ପୁଲିସ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି | ଏବେ ଆପଣ ନଜର ପକାନ୍ତୁ କେଉଁ ରାସ୍ତା କେତେ ସମୟ ପାଇଁ ବନ୍ଦ ରହିବ | ଆସନ୍ତାକାଲି ସକାଳ ୭ ଘଟିକା ୩୦ ମିନିଟ ସମୟଠାରୁ ଅପରାହ୍ନ ୩ ଘଟିକା ସମୟ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି |

Advertisment

ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଏବଂ ନାଲକୋ ଛକ ଠାରୁ ଜୟଦେବ ବିହାର ଛକ ମଧ୍ୟରେ ଏବଂ ଏହାକୁ ଯୋଗାଯୋଗ କରୁଥିବା ସମସ୍ତ ଗଳି ରାସ୍ତାଗୁଡ଼ିକରୁ କୌଣସି ପ୍ରକାର ଯାନବାହାନ ଉପରଲିଖିତ ରାସ୍ତା ଦେଇ ଯାତାୟତ କରିପାରିବେ ନାହିଁ । ଉକ୍ତ ସମୟରେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କ - ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟବିହାର ଦେଇ ଯାଇପାରିବେ କିମ୍ବା ଶିଖରଚଣ୍ଡି – ପଥରଗାଡିଆ – ଡ଼ିଏନ ସ୍କୁଲ – କଳିଙ୍ଗ ଷ୍ଟଡିଓ ଛକ – ଫାୟାର ଷ୍ଟେସନ ଛକ ହୋଇ ଯାଇପାରିବେ । ସେହିପରି ଜୟଦେବ ବିହାର ପଟୁ ନନ୍ଦନକାନନ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ଆଚାର୍ଯ୍ୟ ବିହାର – ସୈନିକ ସ୍କୁଲ – ଗୁରୁ କେଳୁ ଚରଣ ପାର୍କ ଦେଇ ଡମଣା ଛକ ହୋଇ ଯାଇପାରିବେ କିମ୍ବା ଫାୟାର ଷ୍ଟେସନ ଛକ - କଳିଙ୍ଗ ଷ୍ଟଡିଓ ଛକ - ଡ଼ିଏନ ସ୍କୁଲ - ପଥରଗାଡିଆ - ଶିଖରଚଣ୍ଡି ହୋଇ ଯାଇପାରିବେ । କଟକ ପଟୁ ଆସୁଥିବା ଏନଏଚ – ୩୧୬ ଦେଇ ଭୁବନେଶ୍ବର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ ।

ବେହେରାସାହି ପଟୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହାନଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହି ଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ । ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭରବ୍ରିଜ ଶେଷଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ । ସେହିପରି ବରମୁଣ୍ଡା ପଟୁ ଆସୁଥିବା ଯାନବାହାନଗୁଡିକ କ୍ରାଉନ ହୋଟେଲଠାରୁ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା (ଫାୟାର ଓ ଆମ୍ବୁଲାନ୍ସ ) ଯାନବାହାନଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।