ରାୟପୁର: ଛତିଶଗଡ଼ର ଦୁର୍ଗ ଜିଲାରେ ଜଣେ ବ୍ୟକ୍ତି ଏଚଆଇଭି ସଂକ୍ରମିତ ହୋଇଥିବାବେଳେ ଠାକୁରଙ୍କଠାରୁ ପ୍ରତିଶୋଧ ନେବାକୁ ଯାଇ ଗତ ୧୨ ବର୍ଷ ହେଲା ମନ୍ଦିରରୁ ଚୋରି କରୁଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଅଭିଯୁକ୍ତ ୪୫-ବର୍ଷୀୟ ଯଶବନ୍ତ ଉପାଧ୍ୟାୟ ଦୁର୍ଗ ଜିଲାର ଉପାନ୍ତରେ ଥିବା ଏକ ଜୈନ ମନ୍ଦିରରେ ଚୋରି କରି ଗିରଫ ହେବା ପରେ ପୁଲିସ ନିକଟରେ ଏହା ସ୍ବୀକାର କରିଛନ୍ତି। ରୋଗ ତାଙ୍କ ଜୀବନ ଦୁର୍ବିସହ କରିଦେଇଛି। ଏଥିରୁ ମୁକ୍ତି ପାଇବା ପାଇଁ ସେ ଠାକୁରଙ୍କୁ ଯେତେ ପ୍ରାର୍ଥନା କରୁଥିଲେ ମଧ୍ୟ ସୁସ୍ଥ ହୋଇପାରୁନାହାନ୍ତି।
୨୦୧୨ରେ ଏକ ଆକ୍ରମଣ ମାମଲାରେ ତାଙ୍କୁ ଜେଲ ହୋଇଥିଲା। ସେହି ସମୟରେ ସେ ଏଚଆଇଭି ସଂକ୍ରମିତ ହୋଇଥିଲେ। ଜେଲରେ ଅନ୍ୟ ଅପରାଧୀଙ୍କ ସଂସ୍ପର୍ଶ ଆସି ଚୋରି କରିବାର କୌଶଳ ଶିଖିଥିଲେ। ଜେଲରୁ ମୁକ୍ତି ପାଇବା ପରେ ସେ ମନ୍ଦିରରୁ ଟଙ୍କା ଚୋରି କରିବା ଆରମ୍ଭ କଲେ। ତାଙ୍କର କୌଣସି ଭୁଲ ନଥାଇ ଏଚଆଇଭି ସଂକ୍ରମିତ ହେବା ପରେ ଈଶ୍ବରଙ୍କ ପ୍ରତି ତାଙ୍କର ପ୍ରତିଶୋଧ ପରାୟଣତା ବୃଦ୍ଧି ପାଇଲା।
ତାଙ୍କ ରାଗ ଶାନ୍ତ କରିବାକୁ ସେ ଦାନ ଅର୍ଥ ଚୋରି କରିବାକୁ ନିଷ୍ପତ୍ତି ନେଲେ ବୋଲି ପୁଲିସ ଆଗରେ କହିଛନ୍ତି। ମନ୍ଦିରରୁ ଚୋରି କରିବା ପୂର୍ବରୁ ସେ ଆଗେ ସେଠାରେ ବୁଲି ସେଠାକାର ବ୍ୟବସ୍ଥା ଦେଖୁଥିଲେ। ସ୍କୁଟରରେ ଆସି ଚୋରି କରୁଥିଲେ। ସେ ଏପର୍ଯ୍ୟନ୍ତ ୧୨ରୁ ଅଧିକ ମନ୍ଦିରରେ ଚୋରି କରିସାରିଥିବା ସ୍ବୀକାର କରିଛନ୍ତି। ପୁଲିସ ସାଇବର ଶାଖା ସହାୟତାରେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଧରିଥିଲା।