ନୂଆଦିଲ୍ଲୀ: ଭାରତ ସମସ୍ତଙ୍କ ପସନ୍ଦର ଦଳ ଭାବେ ବିଶ୍ବକପ୍ ଫାଇନାଲ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ ବି ବିଶ୍ବକପ ଜିତିପାରିନଥିଲା। ଅଷ୍ଟ୍ରେଲିଆ ୬ ୱିକେଟ୍ରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ବକପ୍ ଜିତିବାର ଗୌରବ ଅର୍ଜନ କରିଥିଲା। ଏତେ ଭଲ ଫର୍ମରେ ଥାଇ ବି ଭାରତ ହାରିବା ପରେ ସାରା ଦେଶବାସୀଙ୍କ ସହ ଖେଳାଳିମାନେ ମଧ୍ୟ ଭାଙ୍ଗିପଡ଼ିଥିଲେ। ବିଶ୍ବକପ ହାରିବା ପରେ ପଡ଼ିଆରେ ଖେଳାଳିମାନେ ଭାଙ୍ଗିପଡ଼ିଥିବାର ଦୃଶ୍ୟ ସାରା ଦେଶ ଦେଖିଥିବା ବେଳେ ଡ୍ରେସିଂ ରୁମକୁ ଯାଇ ବିରାଟ କୋହଲି ଓ ରୋହିତ ଶର୍ମା କାନ୍ଦିଥିଲେ ବୋଲି ଜଣାପଡ଼ିଛି।
ଏବିଷୟରେ ଭାରତୀୟ କ୍ରିକେଟ ଟିମର ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ସାକ୍ଷାତକାରରେ କହିଛନ୍ତି। ତାଙ୍କ କହିବା ମୁତାବକ, "ହଁ, ବିଶ୍ବକପ ହାରିବା ପରେ ଆମେ ହାରିବାର ଯନ୍ତ୍ରଣା ଅନୁଭବ କରିଥିଲୁ। ରୋହିତ ଏବଂ ବିରାଟ କାନ୍ଦୁଥିଲେ। ଏହା ଦେଖି ଆମକୁ ବହୁତ ଖରାପ ଲାଗୁଥିଲା। କାରଣ ଆମ ଦଳ ଏକ ଅଭିଜ୍ଞ ଦଳ ଥିଲା। ସମସ୍ତେ କ’ଣ କରିବେ ଭଲ ଭାବରେ ଜାଣିଥିଲେ। ବିଶ୍ବକପ ହାତେଇବା ପାଇଁ ସମସ୍ତେ କଡ଼ା ପରିଶ୍ରମ କରିଥିଲେ । ବିଶେଷ କରି ବିରାଟ ଓ ରୋହିତ ପୂରା ଟିମକୁ ଆଗକୁ ନେଇଥିଲେ। ହେଲେ ସେମାନଙ୍କୁ କାନ୍ଦିବା ଦେଖି ଆମକୁ ବହୁତ ଖରାପ ଲାଗିଥିଲା।"
ରୋହିତଙ୍କ ଅଧିନାୟକତ୍ବକୁ ନେଇ ଅଶ୍ବିନ କହିଥିଲେ ଯେ, ରୋହିତ୍ ଶର୍ମା ଜଣେ ଭଲ ମଣିଷ । ସେ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ବୁଝନ୍ତି, ସେ ଆମ ସମସ୍ତଙ୍କ ପସନ୍ଦ ଏବଂ ନାପସନ୍ଦ ଜାଣନ୍ତି। ପ୍ରତ୍ୟେକ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ପାଇଁ ସେ ଉଦ୍ୟମ କରନ୍ତି।