ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ୨୧୬ ରନର ଲକ୍ଷ୍ୟ ଜବାବରେ ଲକ୍ଷ୍ନୌ ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୪ ରନ କରିଥିବାବେଳେ ଆୟୁଷ ବାଦୋନି ୩୫ ରନ କରିଥିଲେ । ନିକୋଲାସ ପୁରନ ୨୭ ରନ କରିଥିବାବେଳେ ଡେଭିଡ ମିଲର ୨୪ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ଟ୍ରେଣ୍ଟ ବୋଲଟ ୩ଟି ଓ୍ବିକେଟ ନେଇଥିଲେ । ତେବେ ଏହି ମ୍ୟାଚ ପୂର୍ବରୁ ଆଜି ଅଭ୍ୟାସର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରୋହିତ ଶର୍ମା ଲକ୍ଷ୍ନୌ ଖେଳାଳି ଶାର୍ଦ୍ଦୁଳ ଠାକୁରଙ୍କୁ କଟାକ୍ଷ କରୁଛନ୍ତି।

Advertisment

ଏହି ଭିଡିଓଟି ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛି। ଏଥିରେ, ଶାର୍ଦ୍ଦୁଳ ଠାକୁର ଅଭ୍ୟାସ ପାଇଁ ଆସୁଛନ୍ତି, ତା'ପରେ ଜାହିର ଖାନଙ୍କ ସହ ବସିଥିବା ରୋହିତ ଶର୍ମା ଶାର୍ଦ୍ଦୁଳଙ୍କୁ କହୁଛନ୍ତି, "କଣ କିରେ, ଏତେ ଡେରିରେ ଆସୁଛୁ, ଏହା କ'ଣ ତୁମର ଘରୋଇ ଦଳ?" ଆଇପିଏଲ ୨୦୨୫ରେ ଶାର୍ଦ୍ଦୁଳ ଠାକୁରଙ୍କୁ କୌଣସି ଦଳ କିଣି ନଥିଲା, କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ଜଣେ ଆହତ ଖେଳାଳିଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ନିଜ ଦଳରେ ସାମିଲ କରିଥିଲା। ଶେଷ ଥର ପାଇଁ ଯେତେବେଳେ ଉଭୟ ଦଳ ପରସ୍ପରର ମୁହାଁମୁହିଁ ହୋଇଥିଲେ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନରେ ପରାସ୍ତ କରିଥିଲା। ଆଉ ଆଜି ମୁମ୍ବାଇ ଇଣ୍ଡିଆନ୍ସ ସେହି ପରାଜୟର ପ୍ରତିଶୋଧ ନେଇଥିଲା ।

ଉଲ୍ଲେଖ ଥାଉ କି ଆଜିକାର ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ ବିସ୍ଫୋରକ ବ୍ୟାଟିଂ କରି ଏକ ଭଲ ମୂଳଦୂଆ ପକାଇଥିଲେ । ମାତ୍ର ରୋହିତ ୨ଟି ଛକା ମାରିବା ପରେ ୧୨ ରନ କରି ଆଉଟ ହୋଇଥିଲେ । ତେବେ ରିକଲଟନ ନିଦର ଲଢୁଆ ବ୍ୟାଟିଂ ଜାରି ରଖି ୫୮ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଓ୍ବିଲ ଜାକ୍ସ ୨୯ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୫୪ ରନ କରିଥିଲେ ।  ନମନ ଧୀର ଅପରାଜିତ ୨୫ ରନ କରିଥିବାବେଳେ କର୍ବିନ ବୋସ୍ ୨୦ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ମୟଙ୍କ ଯାଦବ ଓ ଅଭେସ ଖାଁ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ପ୍ରିନ୍ସ ଯାଦବ, ଦିଗଭେସ ସିଂ ରାଠି ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।