ବ୍ରହ୍ମପୁର: ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର୍‌ ଠକ। ଶିକ୍ଷିତ ବର୍ଗ ମଧ୍ୟ ଏହି ଠକଙ୍କ ଜାଲରୁ ଫିଟି ପାରୁନାହାନ୍ତି। ଏଭଳି ଏକ ସଦ୍ୟ ଘଟଣା ସାମ୍ନାକୁ ଆସିଛି। ଅନ୍‌ଲାଇନ୍‌ରେ ପାର୍ଟଟାଇମ୍ ନିଯୁକ୍ତିର ପ୍ରଲୋଭନ ଦେଖାଇ ସାଇବର୍‌ ଠକ ଜଣେ ଯୁବକଙ୍କ ଠାରୁ ୫ଲକ୍ଷ ୮୩ହଜାର ୪ଶହ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏନେଇ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା (କେସ୍‌ନଂ୨୯/୨୦୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ବ୍ରହ୍ମପୁର ବିଜୟ ବିହାର ଅଂଚଳର ଜଣେ ଯୁବକ ଏହି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ସାଇବର୍‌ ଓ ଅର୍ଥନୈତିକ ଥାନାରେ ସେ କରିଥିବା ଅଭିଯୋଗ ମୁତାବକ, ଗତ ୫ତାରିଖରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ହ୍ବାଟ୍ସଆପ୍ ବାର୍ତ୍ତା ଆସିଥିଲା। ନିଜକୁ ପ୍ରିୟା ବୋଲି ପରିଚୟ ଦେବା ସହ ପାର୍ଟଟାଇମ୍ ନିଯୁକ୍ତି ପାଇଁ ପ୍ରଲୋଭିତ କରିଥିଲା। ଏଥିରେ ଦେଶ‌ରେ ଥିବା ବିଭିନ୍ନ ପଞ୍ଚ ତାରକା ହୋଟେଲ୍‌ମାନଙ୍କ ରିଭ୍ୟୁ କରିବାର ଟାସ୍କ ରହିବ। ପ୍ରତି ଟାସ୍କ ‌େଶଷ କଲେ ୫୦ଟଙ୍କା ଲେଖାଏଁ ମିଳିବ ବୋଲି ଦର୍ଶାଇ ଏକ ଟେଲିଗ୍ରାମ ଲିଙ୍କ୍‌ ପଠାଇଥିଲା। ଯୁବକ ଜଣକ ଏହାକୁ ବିଶ୍ବାସ କରି ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିଥିଲେ। ଗତ ୮ତାରିଖରୁ ଅନ୍‌ଲାଇନ୍ ଟାସ୍କ କରିବାରେ ଲାଗିପଡ଼ିଥିଲେ। କେତୋଟି ଟାସ୍କ ଶେଷ କରିବା ପରେ ତାଙ୍କୁ ପ୍ରତି ଟାସ୍କ ପାଇଁ ଦୁଇଗୁଣା ଟଙ୍କା ଦେବାର ପ୍ରଲୋଭନ ଦିଆଗଲା। ଏଥିପାଇଁ ସେ ଅନ୍‌ଲାଇନ୍‌ରେ ୨୦୦୦ଟଙ୍କା ପଠାଇବା ପରେ ପୁଣି ଏକ ଲିଙ୍କ୍‌ ଆସିଲା। ତା’କୁ କ୍ଲିକ୍ କରି ପଂଜୀକରଣ କରିବା ପରେ ନୂଆ ଟାସ୍କରେ ୧ଲକ୍ଷ ୪୫ହଜାର ଟଙ୍କା ପାଇବା ପାଇଁ ସେ ତିନିଟି ପୃଥକ୍ ସଂସ୍ଥା ପାଇଁ ଯଥାକ୍ରମେ ୯ହଜାର, ୩,୮୦୦ ଏବଂ ୯,୮୦୦ଟଙ୍କା ବାନ୍ଧିଥିଲେ।

ଟାସ୍କ ପୂରଣ ହେବା ପରେ ତାଙ୍କ ପାଖକୁ ଏକ ଭିନ୍ନ ଆକାଉଣ୍ଟରେ ଆସିଥିବା ଟଙ୍କା ଉଠାଇବା ପାଇଁ ଚେଷ୍ଟା କଲାବେଳେ, ତାହା ଫ୍ରିଜ୍ ହୋଇଯାଇଥିବା ଏବଂ ଏହାକୁ ଅନ୍‌ଫ୍ରିଜ୍ କରିବା ପାଇଁ ୨ଲକ୍ଷ୧୪ହଜାର ୬ଶହ ଟଙ୍କା ବାନ୍ଧିବାକୁ ନିର୍ଦ୍ଦେଶ ଆସିଲା। ସେ ପରିବାରବର୍ଗଙ୍କ ସହଯୋଗରେ ଟଙ୍କା ଯୋଗାଡ଼ କରି ବୈଷ୍ଣବୀ ଏଣ୍ଟରପ୍ରାଇଜର୍ସ ନାମକ ସଂସ୍ଥାର ଆକାଉଣ୍ଟରେ ବାନ୍ଧିଥିଲେ। ତଥାପି ତାଙ୍କ ଆକାଉଣ୍ଟ ଫ୍ରିଜ୍ ଦେଖାଇଲା। ପୁଣି ନିର୍ଦ୍ଦେଶ ମୁତାବକ ସେ ଆଉଥରେ ୨ଲକ୍ଷ ୧୪ହଜାର ୬୦୦ଟଙ୍କା ଯୋଗାଡ଼ କରି ଆର୍‌ଏଫ୍.ଏଣ୍ଟରପ୍ରାଇଜର୍ସ ନାମକ ସଂସ୍ଥାର ଆକାଉଣ୍ଟରେ ବାନ୍ଧିଥିଲେ। ତଥାପି ତାଙ୍କର ଅାକାଉଣ୍ଟ ଫ୍ରିଜ୍ ଦେଖାଇଲା। ଅନ୍‌ଫ୍ରିଜ୍ ପାଇଁ ପୁଣି ୩ଲକ୍ଷ ୮୬ହଜାର ୨୮୦ଟଙ୍କା ବାନ୍ଧିବା କିମ୍ବା ୧୮୦ଦିନ ଅପେକ୍ଷା କରିବାକୁ କୁହାଗଲା। ଏତେବେଳକୁ ଯାଇ ସେ ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ। ଟଙ୍କା‌ ଫେରିପାଇବା ପାଇଁ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ବାରସ୍ଥ ହୋଇଥିଲେ।